Home Health ସ୍ପୁଟନିକ-V ଟିକାକୁ ଅନୁମତି

ସ୍ପୁଟନିକ-V ଟିକାକୁ ଅନୁମତି

ନୂଆଦିଲ୍ଲୀ : ଜରୁରିକାଳୀନ ସ୍ଥିତିରେ ସ୍ପୁଟନିକ-V ଟିକାର ସୀମିତ ଉପଯୋଗ ଲାଗି ଅନୁମତି ଦେଲା ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ (ଡିଜିସିଆଇ) । ମେସର୍ସ ଡ. ରେଡ୍ଡୀ ଲାବୋରୋଟେରିଜ୍ ଲିମିଟେଡ ପକ୍ଷରୁ ରୁଷର ମେସର୍ସ ଗାମାଲେୟା ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ ଗାମ-କୋଭିଡ-ଭାକର ଆମାଦାନୀ ଏବଂ ଏହାର ବିକ୍ରି ନିମନ୍ତେ ଅନୁମତି ମଗାଯାଇଛି। ଏହି କୋଭିଡ୍ ଟିକା ସ୍ପୁତନିକ୍-V ନାମରେ ଲୋକପ୍ରିୟ।

ରୁଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ତଥା ମସ୍କୋସ୍ଥିତ ନ୍ୟାସନାଲ ସେଣ୍ଟର ଫର ଏମିଡେମୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପକ୍ଷରୁ ଗାମ-କୋଭିଡ-ଭାକ ବିକଶିତ କରାଯାଇଛି। ଏହାର ଦୁଇଟି ଉପାଦାନ ରହିଛି। ଏହି ଟିକାକୁ ବିଶ୍ବର 30ଟି ଦେଶରେ ମଞ୍ଜୁରି ମିଳିସାରିଛି।

ଭାରତରେ ଏହି ଟିକାର ବିପଣନ ନିମନ୍ତେ ଆମଦାନୀ ଲାଗି ରୁଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ତଥା ମସ୍କୋସ୍ଥିତ ନ୍ୟାସନାଲ ସେଣ୍ଟର ଫର ଏମିଡେମୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ସହିତ ମେସର୍ସ ଡିଆରଏଲ ସହଭାଗିତା ସ୍ଥାପନ କରିଛି। ରୁଷରେ ଏହି ଟିକାର ସୁରକ୍ଷା ପ୍ରତିରକ୍ଷା କ୍ଷମତା (ସେଫ୍ଟି ଇମ୍ୟୁନୋ ଜେନେସିଟି) ଏବଂ ପ୍ରଭାବର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଅନ୍ତରୀଣ ଫଳାଫଳ ଲାନ୍ସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ମେସର୍ସ ଡିଆରଏଲ ଲିମିଟେଡକୁ ଏହି ଟିକାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଅନୁମତି ଦିଆଯାଇଥିଲା। ଦେଶରେ ଏହି ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ପରେ କମ୍ପାନୀ ନିଜର ତଥ୍ୟ ଦାଖଲ କରିଛି। ତ୍ବରିତ ନିୟାମକ ପ୍ରତ୍ୟୁତ୍ତର ରୂପରେ, ସିଡିଏସସିଓ ଏ ସଂକ୍ରାନ୍ତରେ ବିଷୟ ବିଶେଷଜ୍ଞ ସମିତି (ଏସଇସି) ସହିତ ବିଚାରବିମର୍ଶ କରିବା ସହିତ ଚିକିତ୍ସା ପରୀକ୍ଷଣରୁ ପ୍ରାପ୍ତ ତଥ୍ୟ ଉପରେ ନିରନ୍ତର ଆକଳନ କରୁଛି।

ଏହି ସମିତି ଫୁସଫୁସ ଚିକିତ୍ସା ବିଜ୍ଞାନ (ପଲ୍ମୋନୋଲୋଜି), ପ୍ରତିଷେଧକ ଚିକିତ୍ସା ବିଜ୍ଞାନ (ଇମ୍ୟୁନୋଲୋଜି), ସୂକ୍ଷ୍ମ ଜୀବ ବିଜ୍ଞାନ (ମାଇକ୍ରୋ ବାୟୋଲୋଜି), ଔଷଧୀୟବିଜ୍ଞାନ (ଫାର୍ମାକୋଲୋଜି) ଶିଶୁରୋଗ ଚିକିତ୍ସା , ଅନ୍ତରୀଣ ଭେଷଜ ବିଜ୍ଞାନର ବିଷୟ ବିଶେଷଜ୍ଞମାନେ ସାମିଲ ରହିଛନ୍ତି।

ଏହି ଟିକାର ନିରାପତ୍ତା, ସୁରକ୍ଷା ପ୍ରତିରକ୍ଷା କ୍ଷମତା (ଇମ୍ୟୁନୋଜେନେସିଟି), ବିଦେଶରେ ହୋଇଥିବା ଚିକିତ୍ସକୀୟ ଅଧ୍ୟୟନର ପ୍ରଭାବଶୀଳତା ତଥ୍ୟ, ଲକ୍ଷଣ, ଆୟୁ ବର୍ଗ, ଔଷଧ ଦେବାର କ୍ରମ, ସତର୍କତା, ଭଣ୍ଡାରଣ, ଚେତାବନୀ, ବିଶେଷ ମହତ୍ବ ଥିବା ପ୍ରତିକୂଳ ପ୍ରଭାବ, ବିପତ୍ତି ଲାଭ ମୂଲ୍ୟାଙ୍କନ, ପ୍ରସ୍ତାବିତ ତଥ୍ୟ ସାରଣୀ, ପିଆଇ, ଏସଏମପିସି ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରିଛି।

ଏସଇସି ସର୍ତ୍ତ/ପ୍ରତିବନ୍ଧକ ସହିତ ଏହି ଟିକାର ମଞ୍ଜୁରି ମଧ୍ୟ ସମୀକ୍ଷା କରିଛି। ସମିତି ଏହା ଜାଣିବାକୁ ପାଇଛି ଯେ ଭାରତରେ ହୋଇଥିବା ଅଧ୍ୟୟନ ପରେ କମ୍ପାନୀ ଦ୍ବାରା ଉପଲବ୍ଧ କରାଯାଇଥିବା ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷମତାର ତଥ୍ୟ ସହିତ ରୁଷର ତୃତୀୟ ପର୍ଯ୍ୟାୟ ଚିକିତ୍ସା ଚିକିତ୍ସା ପ୍ରୟୋଗ ପରୀକ୍ଷଣ ତଥ୍ୟ ମେଳ ଖାଉଛି।

ଏ ସବୁ ଉପରେ ବିସ୍ତୃତ ବିଚାର ବିମର୍ଶ କରିବା ପରେ ଏସଇସି ଜରୁରିକାଳୀନ ସ୍ଥିତିରେ ସ୍ପୁତନିକ୍-V ଟିକାର ସୀମିତ ଉପଯୋଗ ନିମନ୍ତେ ଅନୁମତି ଦେଇଛି ଯାହାକି ବିଭିନ୍ନ ନିୟାମକ ବ୍ୟବସ୍ଥାକୁ ଗ୍ରହଣ କରିବା ପରେ କାର୍ଯ୍ୟକାରୀ ହେବ।

ଏହି ଟିକା 18 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଆୟୁ ବିଶିଷ୍ଟ ବ୍ୟକ୍ତିଙ୍କ ଠାରେ କୋଭିଡ-19 ସଂକ୍ରମଣକୁ ରୋକିବା ନିମନ୍ତେ ବିଶେଷ ପ୍ରଭାବୀ। ଏହି ଟିକାର 0.5 ମିଲିଲିଟର ଦୁଇଟି ଇଣ୍ଟ୍ରାମସ୍କୁଲାର ମାତ୍ରା ଇଞ୍ଜେକ୍ସନ ମାଧ୍ୟମରେ 21 ଦିନ ଅନ୍ତରାଳରେ ଦିଆଯିବ।

ଏହି ଟିକାକୁ ବିଯୁକ୍ତ 18 ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇପାରିବ। ଏହି ଟିକାରେ ଦୁଇଟି ଉପାଦାନ ରହିଛି ଏବଂ ଏହାକୁ ଅଦଳବଦଳ କରାଯାଇପାରିବ ନାହିଁ। ଧ୍ୟାନର ସହକାରେ ବିବେଚନା କରିବା ପରେ ଏସଇସିର ସୁପାରିସକୁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଗ୍ରହଣ କରିଛି। ଏବେ ମେସର୍ସ ଡିଆରଏଲ୍ ଲିମିଟେଡ୍ ଭାରତରେ ଏହି ଟିକା ଆମଦାନୀ କରିବ।