Home General ସ୍ଥାନ ସଂରକ୍ଷଣ ତଥ୍ୟ ନାହିଁ

ସ୍ଥାନ ସଂରକ୍ଷଣ ତଥ୍ୟ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା କେତେ ତାହାର ପ୍ରାମାଣିକ ତଥ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ କମିଶନ ଆସନ୍ତା ମଇ ମାସରୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ସମ୍ପର୍କରେ ଯେଉଁ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଏହି ବର୍ଗର ଲୋକସଂଖ୍ୟା ଏବଂ ଏମାନଙ୍କ ମଧ୍ୟରୁ କେତେ ଅନଗ୍ରସର ଓ କେତେ ଆଗୁଆ ଏବଂ ଆର୍ଥିକ, ଶିକ୍ଷା ଓ କର୍ମନିଯୁକ୍ତି ଦୃଷ୍ଟିରୁ ସେମାନଙ୍କର ସ୍ଥିତି କ’ଣ ସେ ସମ୍ପର୍କରେ ସ୍ପଷ୍ଟ ଧାରଣା ମିଳିପାରେ ।

୨୦୧୧ରେ ହୋଇଥିବା ଶେଷ ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକସଂଖ୍ୟା ୪,୧୯,୭୪,୨୧୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ଥିଲା ୨,୦୭,୬୨,୦୮୨ ଓ ପୁରୁଷଙ୍କ ସଂଖ୍ୟା ୨,୧୨,୧୨,୧୩୬ । ମୋଟ୍‍ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୭୧,୮୮,୪୬୩ ଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସଂଖ୍ୟା ୯୫,୯୦,୭୫୬ ବୋଲି ଗଣାଯାଇଥିଲା ।

ତେବେ ସମଗ୍ର ଦେଶରେ ଏବଂ ଓଡ଼ିଶା ସମେତ ବିଭିନ୍ନ ପ୍ରଦେଶରେ ଏସ୍‍ଇବିସି ବା ଓବିସି ବର୍ଗର ଲୋକସଂଖ୍ୟା କେତେ ତାହାର ହିସାବ ଏଯାବତ୍‍ କାହା ପାଖରେ ନାହିଁ । କିନ୍ତୁ ଓଡ଼ିଶାରେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ୭୨ ପ୍ରତିଶତ ବୋଲି କେହି କେହି ଦାବି କରୁଥିବା ବେଳେ ଆଉ କେହି ଏହା ୫୪ ପ୍ରତିଶତ ତ କେହି ୨୭ ପ୍ରତିଶତ ବୋଲି କହୁଛନ୍ତି । କିନ୍ତୁ ବାସ୍ତବରେ ରାଜ୍ୟରେ ପଛୁଆ ବର୍ଗର କେତେ ଲୋକ ଅଛନ୍ତି ଓ ସେମାନଙ୍କ ପ୍ରତିଶତ କେତେ ସେ ସମ୍ପର୍କରେ କିନ୍ତୁ ପ୍ରାମାଣିକ ତଥ୍ୟ ସମ୍ବଳିତ କୌଣସି ଦସ୍ତାବିଜ୍‍ ନାହିଁ ।

ଦେଶର ଶେଷ ଜାତିଭିତ୍ତିକ ଜନଗଣନା ୧୯୩୧ ମସିହାରେ ହୋଇଥିଲା ଯେତେବେଳେକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିଲା । ୨୦୨୧ର ଜନଗଣନାରେ ଓବିସି/ଏସ୍‍ଇବିସି ଗଣନାକୁ ସ୍ଥାନୀତ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ମଧ୍ୟ ତାହା ଗ୍ରହଣୀୟ ନ ହେବାରୁ ରାଜ୍ୟ ପଛୁଆ ବର୍ଗ କମିଶନ ନିଜଆଡ଼ୁ ଏଭଳି ସର୍ଭେ କାମ ହାତକୁନେଇ କିଭଳି ଏହି କାର୍ଯ୍ୟ ସୀମିତ ସମୟ ମଧ୍ୟରେ ସରିବ ତାହା ଉପରେ ଗୁରୁତ୍ୱାରୋପ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ମୋରାର୍‍ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ବିହାରର ଜଣେ ରାଜନେତା ବିନ୍ଧେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଛୁଆବର୍ଗଙ୍କ ସମସ୍ୟା ଅନୁଧ୍ୟାନ ଲାଗି ଏକ କମିଶନ ଗଠନ କରାଯାଇଥିଲା । ପ୍ରାୟ ୧୦ ବର୍ଷ ଧରି ଏହି କମିଶନଙ୍କ ରିପୋର୍ଟ ପଡ଼ିରହିବା ପରେ ନବେଦଶକରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମଣ୍ଡଳ କମିଶନଙ୍କ ସୁପାରିଶକୁ ଲାଗୁ କରାଯାଇଥିଲା ।

ତେବେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରଖିବା ପାଇଁ ସୁପ୍ରିମ୍‍କୋର୍ଟଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟ ମୁତାବକ ଏସ୍‍ସି ଓ ଏସ୍‍ଟିଙ୍କ ପାଇଁ କେନ୍ଦ୍ର ସରକାରୀ ଚାକିରିରେ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବାରୁ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି ।

ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ସରକାର ଏକ ସ୍ୱତନ୍ତ୍ର କମିଶନ ବସାଇ ତାଙ୍କ ସୁପାରିଶ ଆଧାରରେ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଆଖିଆଗରେ ରଖି ୧୯୯୩ ମସିହାରେ ପଛୁଆବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ପରେ ଏହାକୁ ବୃଦ୍ଧି କରାଯିବା ପରେ ତାହା କାଟ୍‍ ଖାଇଯାଇଥିଲା । ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ସ୍ୱତନ୍ତ୍ର ଆଇନ୍‍ ଆଣି ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରୁ ମୋଟ୍‍ ସଂରକ୍ଷଣ ୬୫.୭୫ ପ୍ରତିଶତ ହେବାରେ ତାହା ଅଦାଲତରେ କାଟ୍‍ ଖାଇଯାଇଛି । ଏ ପରିପ୍ରେକ୍ଷୀରେ ପଛୁଆବର୍ଗଙ୍କ ସର୍ଭେରୁ କ’ଣ ଫଳ ମିଳିବ ନ ମିଳିବ ସେଥିଘେନି ରାଜନୈତିକ କାଦୁଅଫିଙ୍ଗା ଚାଲିଛି ।