Home News in Odia ସ୍କେଟିଂ’ରେ ଓଡ଼ିଶାର ସଫଳତା

ସ୍କେଟିଂ’ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର : ‘ସ୍କେଟିଂ’ରେ ଓଡ଼ିଶାର କ୍ରୀଡାବିତ୍‍ମାନେ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଥିବାରୁ ଏହି କ୍ରୀଡାକୁ ଲୋକପ୍ରିୟତା କରିବା ସହ କ୍ରୀଡାବିତ୍‍ମାନଙ୍କ ଲାଗି ଉନ୍ନତମାନର ତାଲିମ ବ୍ୟବସ୍ଥା ଲାଗି ଦାବି ହେଉଛି ।

ନିକଟରେ ରାୟପୁରର ସରୋନାଠାରେ ସିବିଏସ୍‍ଇ ବିଦ୍ୟାଳୟ ଗୁଡିକର ପୂର୍ବଜୋନ୍‍ ସ୍କେଟିଂ ଚାମ୍ପିଅନ୍‍ସିପ୍‍ରେ ଉତ୍କଳ ୟୁନିକର୍ଣ୍ଣସ୍‍ ରୋଲର ସ୍ପୋର୍ଟ୍ସ ଏକାଡେମୀର ପ୍ରଶିକ୍ଷାର୍ଥୀମାନେ ୧୯ଟି ସ୍ୱର୍ଣ୍ଣ ସମେତ ୪୬ଟି ପଦକ ହାସଲ କରିଛନ୍ତି । ଏହି ଚାମ୍ପିଅନ୍‍ସିପ୍‍ ପ୍ରତିଯୋଗିତାରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ, ମିଜୋରାମ୍‍, ମଣିପୁର, ଅରୁଣାଞ୍ଚଳ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟର ବିଭିନ୍ନ ସିବିଏସ୍‍ସି ସ୍କୁଲରୁ ପ୍ରାୟ ଦେଢ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ ।

ଓଡ଼ିଶାର ସ୍କେଟର୍‍ମାନେ ଏଥିରେ ୧୯ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ ଓ ୧୪ଟି କାଂସ୍ୟ ପଦକ ଜିଣିଛନ୍ତି । ବିଜେତାମାନଙ୍କ ମଧ୍ୟରୁ ଓଡ଼ିଶାରେ ୨୧ଜଣ ଛାତ୍ରଛାତ୍ରୀ ଚଳିତମାସ ୨୪ରୁ ୨୬ ପର୍ଯ୍ୟନ୍ତ ଗୁର୍‍ଗାଓଁଠାରେ ଆୟୋଜିତ ହେଉଥିବା ସିବିଏସ୍‍ଇ ଜାତୀୟ ସ୍କେଟିଂ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱରରୁ ବିଭିନ୍ନ ସିବିଏସ୍‍ସି ସ୍କୁଲର ଛାତ୍ରଛାତ୍ରୀମାନେ ଉତ୍କଳ ୟୁନିକର୍ଣ୍ଣସ୍‍ ଏକାଡେମୀରେ ପ୍ରଶିକ୍ଷଣ ନେଇ ସଫଳତା ହାସଲ କରିଛନ୍ତି । ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଏବେ ସ୍କେଟିଂ ପାଇଁ ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । ଏ ସମସ୍ତଙ୍କୁ ଘରୋଇ ଭାବେ ତାଲିମ ଦେବା ବ୍ୟୟବହୁଳ ହୋଇପଡୁଛି ।

ଯେଉଁ ତାଲିମଦାତା ଓ ସଂସ୍ଥାମାନେ ସ୍କେଟିଂ ପାଇଁ ଉଚ୍ଚମାନର ତାଲିମ ଦେଉଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟସ୍ତରରେ ଓ ଜିଲ୍ଲା ଗୁଡିକରେ ସ୍କେଟିଂ କ୍ଲବମାନ ପ୍ରତିଷ୍ଠା କଲେ ଏହି କ୍ରୀଡା ପାଇଁ ଅଧିକ ପ୍ରୋତ୍ସାହନ ମିଳିପାରିବ । ଏହାଛଡ଼ା ଏବେ ସ୍କେଟିଂ ଲାଗି ବହୁସ୍ଥାନରେ ସ୍ୱତନ୍ତ୍ର ପିଚ୍‍ ନଥିବାରୁ ସର୍ବସାଧାରଣ ରାସ୍ତାରେ ସ୍କେଟିଂ ଅଭ୍ୟାସ କରିବାକୁ ପିଲାମାନେ ବାଧ୍ୟ ହେଉଛନ୍ତି । ରାସ୍ତାରେ ସ୍କେଟିଂ ଅଭ୍ୟାସ କଲାବେଳେ ଦୁର୍ଘଟଣାର ଭୟ ରହୁଥିବାରୁ ବହୁ ସ୍ଥାନରେ ଅଭିଭାବକମାନେ ସ୍କେଟିଂ ସମୟରେ ଯାନବାହନ ନିୟନ୍ତ୍ରଣ କରିବାକୁ ବାଧ୍ୟ ହେଉଛନ୍ତି ।

ଏ ପରିପ୍ରେକ୍ଷୀରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଷ୍ଟାଡିୟମ୍‍, ପାର୍କ ଓ ସ୍କୁଲକଲେଜ ଆଦିରେ ସ୍ୱତନ୍ତ୍ର ସ୍କେଟିଂ ପିଚ୍‍ ନିର୍ମାଣ କରିବା ଏବଂ ପ୍ରତି ଜିଲ୍ଲାରେ ସ୍କେଟର୍‍ମାନଙ୍କୁ ଉନ୍ନତମାନର ତାଲିମ ଦେବାଲାଗି ମତ ପ୍ରକାଶ ପାଉଛି । ଉତ୍କଳ ୟୁନିକର୍ଣ୍ଣସ୍‍ ଏକାଡେମୀର ସମ୍ପାଦକ ଅଜୟ ଭୂଷଣ ସାହୁ ଓ ମୁଖ୍ୟ ପ୍ରଶିକ୍ଷକ ଦେବାଶିଷ ପଟ୍ଟନାୟକ ଆଶା ରଖିଛନ୍ତି ଯେ ଓଡ଼ିଶାର ସିବିଏସ୍‍ଇ ପ୍ରତିଯୋଗୀମାନେ ଛତିଶଗଡ଼ରେ ଅନୁଷ୍ଠିତ ଜୋନ୍‍ସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଯେଭଳି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି ଗୁର୍‍ଗାଓଁରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ସ୍କେଟିଂ ଚାମ୍ପିଅନ୍‍ସିପ୍‍ ପ୍ରତିଯୋଗିତାରେ ତାହାଠାରୁ ଭଲ ପ୍ରଦର୍ଶନ କରି ତୁଳନାତ୍ମକ ଭାବେ ଅଧିକ ପଦକ ହାସଲ କରିବେ । (ତଥ୍ୟ)