Home News in Odia ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା

ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ଆଜି କ୍ରାଇମବ୍ରାଞ୍ଚ ପରଦା ହଟାଇଛି । ଏହା ହତ୍ୟାକାଣ୍ଡ ନୁହେଁ ବରଂ ଏକ ଦୁର୍ଘଟଣା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ତଦନ୍ତ ସମୟରେ ପୋଡି ହୋଇଥିବା ସୌମ୍ୟଙ୍କୁ ବଞ୍ଚାଇବା କ୍ଷେତ୍ରରେ ଅବହେଳା ପାଇଁ ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି ।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସଂକ୍ରାନ୍ତରେ ଶ୍ରୀ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ମୃତ ସୌମ୍ୟରଞ୍ଜନ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ଯେ କିରୋସିନି ପକାଇ କିଛି ଅଦରକାରୀ କାଗଜରେ ନିଆଁ ଲଗାଉଥିବା ସମୟରେ ସେ ପୋଡି ଯାଇଥିଲେ । ଏହି ଜମାନବନ୍ଦୀ ଚିକିତ୍ସା କରୁଥିବା ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନିଆଯାଇଥିବାବେଳେ ଏହାର ଭିଡିଓ ରେକର୍ଡିଂ କରାଯାଇଛି ।

ସେହିଭଳି ଅଭିଯୋଗ ଆସି ପରେ ଜେରାର ସମ୍ମୁଖୀନ ହୋଇଥିବା ଡିଏଫ୍‍ଓଙ୍କ ସହିତ ବିଦ୍ୟା ଭାରତୀୟଙ୍କର କୌଣସି ସମମ୍ପର୍କ ନଥିବା କ୍ରାଇବ୍ରାଞ୍ଚ ସ୍ପଷ୍ଟ କରିଛି । ଏ ସଂକ୍ରାନ୍ତରେ କୌଣସି ପ୍ରମାଣ ମିଳିପାରି ନାହିଁ । ସେହିଭଳି ଆଉଜଣେ ବ୍ୟକ୍ତି ମନ୍ମଥଙ୍କର ମଧ୍ୟ ଏଥିରେ କୌଣସି ସମ୍ପର୍କ ନାହିଁ ।

ପ୍ରଥମେ ଏହି ଘଟଣାଟି ହତ୍ୟା ମାମଲା ହିସାବରେ ତଦନ୍ତ କରାଯାଇଥିଲା । ହେଲେ ତଦନ୍ତ ସମୟରେ ହତ୍ୟାକାଣ୍ଡର ସେଭଳି କିଛି ପ୍ରମାଣ ମିଳିଲା ନାହିଁ । ଏପରିକି ଆତ୍ମହତ୍ୟାର ମଧ୍ୟ କୌଣସି ପ୍ରମାର ମିଳିଲା ନାହିଁ । ତେଣୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ତେବେ ତଦନ୍ତ ସମୟରେ ଜଣାପଡିଛି ଯେ ସୌମ୍ୟଙ୍କ ସହିତ ପତ୍ନୀ ବିଦ୍ୟାଭାରତୀଙ୍କର ସମ୍ପର୍କ ଭଲ ନଥିଲା । ସୌମ୍ୟ ପୋଡିଯିବା ସମୟରେ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ କି ଅଧିକ ପରିମାଣରେ ପାଣି ଢାଳି ନଥିଲେ । ଏପରିକି ତୁରନ୍ତ କାହାକୁ ଡାକ ବି ପକାଇନଥିଲେ ।

ଏହି ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଭାରତୀୟଙ୍କ ନାଁରେ ଆଇପିସିର ଧାରା ୨୮୫ ଓ ୩୦୪(କ)ରେ ମାମଲା ରୁଜୁ ହେବା ସହିତ ତାଙ୍କୁ ସମନ ଜାରି କରାଯାଇଛି । ଏହି ମାମଲରେ ଡିଏଫ୍‍ଓ ଓ ରୋଷେୟାଙ୍କୁ କ୍ଲିନ୍‍ଚିଟ୍‍ ଦିଆଯାଇଥିବା କ୍ରାଇମବ୍ରାଞ୍ଚ ଆଜି ସ୍ପଷ୍ଟ କରିଛି ।

ଉଲ୍ଲେଖନୀୟ ଯେ ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାରେ ପ୍ରଥମେ ପୁଲିସ୍‍ ତଦନ୍ତ ହୋଇଥିବାବେଳେ ପରେ ସରକାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ସମସ୍ତଙ୍କ ଅରୋପିଙ୍କୁ ଜେରା କରିବା ସହିତ ବିଦ୍ୟାଭାରତୀ ଓ ଡିଏଫ୍‍ଓଙ୍କର ଲାଇ ଡିଟେକ୍‍ସନ ପରୀକ୍ଷା କରିଥିଲା । ସମସ୍ତ ରିପୋର୍ଟକୁ ଯାଞ୍ଚ କରିବାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here