Home General ସୋଆ ପକ୍ଷରୁ ରେଡିଓ କ୍ଲବ୍ ମିଟ୍

ସୋଆ ପକ୍ଷରୁ ରେଡିଓ କ୍ଲବ୍ ମିଟ୍

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବ୍ରିଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି ।

ଗୋଟିଏ ପ୍ଲାଟଫର୍ମରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମଧ୍ୟରେ ଆଲୋଚନା କରିବା ଏହି ଡିଜିଟାଲ୍ ମିଟ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି ।

ସେହିପରି ସମାଜରେ ନିଷ୍ପେସିତ ଶିଶୁମାନଙ୍କର କିଭଳି ବିକାଶ ହୋଇପାରିବ ସେ ଦିଗରେ ଛାତ୍ରଛାତ୍ରୀ କାର୍ଯ୍ୟ କରିବା ମଧ୍ୟ ଏହି ମିଟ୍‌ର ଅନ୍ୟ ଏକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଶିକ୍ଷା ଓ କୃଷି କ୍ଷେତ୍ରରେ ଉନ୍ନତି ସାଧନ ନିମନ୍ତେ ରେଡିଓ କିପରି ମାଧ୍ୟମ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି ।

ଆମେ ବର୍ତମାନ ବିଭିନ୍ନ ସାମାଜିକ ବିଷୟବସ୍ତୁକୁ ନେଇ କିଭଳି ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ରେଡିଓ କ୍ଲବଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

ଭେଲୋର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୋଲୋର, ଭିଆଇଟି, ଚେନ୍ନାଇ ଏବଂ କୋଚିନ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସ୍‌ଏଟି) ରେଡିଓ କ୍ଲବଗୁଡ଼ିକର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଅତିଥିମାନେ ଏହି ମିଟ୍‌ରେ ଭାଗ ନେଇଥିଲେ ।