Home General ସୋଆରେ ୫ଜି ଲ୍ୟାବ ପ୍ରତିଷ୍ଠା ପ୍ରସ୍ତାବ

ସୋଆରେ ୫ଜି ଲ୍ୟାବ ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର : ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି । ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ ।

ସୋଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦି@୨୦, ଡ୍ରିମ୍‌ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ । ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହାର ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବିଶ୍ୱର ମାତ୍ର ୫ଟି ଦେଶରେ “ଏଣ୍ଡ ଟୁ ଏଣ୍ଡ ଟେକନୋଲୋଜି” ସୁବିଧା ଥିବାବେଳେ ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

୫ଜି ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ତିନୋଟି ମୁଖ୍ୟ ପ୍ରତିବନ୍ଧକ ଥିଲା । ସେଗୁଡିକ ହେଲା ଷ୍ଟେବଲ୍ କୋର, ଷ୍ଟେବଲ୍ ରେଡିଓ ଏବଂ ଏସବୁକୁ ପରିଚାଳନା କରିବା । କିନ୍ତୁ ଏସବୁଥିରେ ସରକାର ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ଆଇଆଇଟି ମାଡ୍ରାସରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ ।

୪ ଜି କନେକ୍ଟିଭିଟିରେ ବେଗ କମ ରହିଥିବା ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏଥିରେ ମୁଖ୍ୟ ସମସ୍ୟା ଥିଲା ବେଗ । ନିକଟରେ ସବୁ ଟେଲିକମ୍ ପ୍ରୋଭାଇଡରମାନଙ୍କୁ ଡାକି ସେମାନଙ୍କୁ ଏହି ବେଗକୁ ବୃଦ୍ଧି କରିବା ସହ ସେଥିରେ ସେମାନେ କିଭଳି ସଫଳ ହୋଇପାରିବେ ସେ ନେଇ ଟାରଗେଟ୍ ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

ସେହିପରି ସୋଆରେ ଏକ ସଫ୍ଟୱ୍ୟାର ଡେଭେଲେପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୂଳପତି ପ୍ରଫେସର ପି.କେ.ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ ।