Home Education ସୋଆରେ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲ୍ୟାବ୍ ଉଦ୍‌ଘାଟିତ

ସୋଆରେ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲ୍ୟାବ୍ ଉଦ୍‌ଘାଟିତ

ଭୁବନେଶ୍ୱର : ମାଇକ୍ରୋଗ୍ରିଡ୍ ଆପ୍ଲିକେସନ୍‌ସର ବ୍ୟବହାର କ୍ଷେତ୍ରରେ ଉଚ୍ଚତର ଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ସୋମବାର ଏକ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲାବୋରେଟୋରି ଉଦ୍‌ଘାଟିତ ହୋଇଯାଇଛି ।

ଲାବୋରେଟୋରିରେ ଓପାଲ୍‌-ଆର୍‌ଟି ୪୫୧୦ ସିମୁଲେସନ୍ ସିଷ୍ଟମର ପ୍ରବର୍ତନ କରାଯାଇଛି ଯାହା ଉଭୟ ଗ୍ରିଡ୍ କନେକ୍ଟେଡ ଏବଂ ଆଇଲ୍ୟାଣ୍ଡ ମୋଡ୍‌ରେ ମାଇକ୍ରୋଗ୍ରିଡ୍‌ର ସିମୁଲେସନ୍ କରିବାକୁ ସାହାଯ୍ୟ କରିବ ବୋଲି ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି ।

ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏହି ଲ୍ୟାବ୍‌କୁ ଉଦ୍‌ଘାଟନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ସେଂଟର୍ ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ କମ୍ପ୍ୟୁଟର୍ ସାଇନ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମ୍ୟାଟ୍‌ଲ୍ୟାବ୍‌/ ସିମୁଲିଙ୍କ ଓ ଓପାଲ୍‌-ଆର୍‌ଟି ଲ୍ୟାବ୍ ସହିତ ଯୋଡି ହୋଇଥିବା ଏହି ଲ୍ୟାବ ତ୍ୱରିତ ଗତିରେ ଜଟିଳ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସହାୟକ ହେବ ବୋଲି ପ୍ରଫେସର ଶର୍ମା କହିଥିଲେ ।