Home General ସେଲିବ୍ରିଟିଙ୍କ ପସନ୍ଦ ଓଡିଶା ଗଞ୍ଜେଇ

ସେଲିବ୍ରିଟିଙ୍କ ପସନ୍ଦ ଓଡିଶା ଗଞ୍ଜେଇ

ଭୁବନେଶ୍ୱର : ନିଶାସେବନ କରୁଥିବା ସେଲିବ୍ରିଟିମାନଙ୍କର ପ୍ରଥମ ପସନ୍ଦ ଓଡିଶାର ଗଞ୍ଜେଇ ହୋଇଥିବାବେଳେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟରୁ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଜବତ ହେଉଥିବା ବିପୁଳ ପରିମାଣର ଗଞ୍ଜେଇରୁ ଏହା ଲକ୍ଷ୍ୟ କରାଯାଉଛି ।

ନିଶା ସେବନ ଅଭିଯୋଗରେ ଯେତେବେଳେ ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ଧରପଗଡ ହେଉଛି ସେତେବେଳେ ଖୋଳତାଡରୁ ଓଡିଶା ଲିଙ୍କ୍‍ ବାହାରୁଛି । ଅଭିନେତା ସୁଶାନ୍ତସିଂହ ରାଜପୁତ ମୃତ୍ୟୁ ଘଟଣାରେ ଧରା ପଡିଥିବା ନିଶାଡିଙ୍କ ସହ ଓଡିଶା ଗଞ୍ଜେଇର ସମ୍ପର୍କ ପଦାକୁ ଆସିଥିବାବେଳେ ଏବେ ମୁମ୍ବାଇରେ ବହୁ ଚର୍ଚ୍ଚିତ ଅଭିନେତା ପୁତ୍ରଙ୍କ ଗିରଫଦାରୀ ପରେ ନିଶାଡିଙ୍କ ଓଡିଶା ଲିଙ୍କ ଚର୍ଚ୍ଚାରେ ରହିଛି । ତେବେ ଓଡିଶାର ଗଞ୍ଜେଇ ପ୍ରତି ମହାନଗରୀର ସେଲିବ୍ରିଟିମାନଙ୍କର ଅହେତୁକ ଦୁର୍ବଳତା ଥିବା ଚର୍ଚ୍ଚା ବଢିବାରେ ଲାଗିଛି ।

ଓଡିଶାରୁ ଉତ୍ପାଦିତ ଗଞ୍ଜେଇ ସେଠାରେ ଚଢା ଦରରେ ବିକ୍ରି ହେଉଥିବାରୁ ବିଭିନ୍ନ ଉପାୟରେ ଓଡିଶାରୁ ଗଞ୍ଜେଇ ଚାଲାଣ ହେଉଛି । କେତେବେଳେ ତେଲଟ୍ୟାଙ୍କର ଭିତରେ ତ ଆଉ କେତେବେଳେ କଖାରୁ ଗାଡି ଭିତରେ ଯାଉଛି । ତେବେ ଓଡିଶା ପୁଲିସ୍‍ ବି ଅତି ସତର୍କ ହୋଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଛି ।

ସରକାରୀ ସୂଚନା ଅନୁଯାୟୀ ୨୦୧୮-୧୯ବର୍ଷରେ ଓଡିଶାରୁ ୭୮୪୪ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୦୧୯-୨୦ରେ ଏହି ପରିମାଣ ୮୫୨୬ କିଲୋକୁ ବୃଦ୍ଧି ପାଇଥିଲା । ୨୦୨୦-୨୧ ବର୍ଷରେ ଜବତ ଗଞ୍ଜେଇ ପରିମାଣ ୧୭ହଜାର କିଲୋକୁ ଟପିଥିବାବେଳେ ୨୦୨୧-୨୨ ବର୍ଷର ଅଗଷ୍ଟ ସୁଦ୍ଧା ପୁଲିସ୍‍ ପ୍ରାୟ ୪୫୦ କିଲୋ ଗଞ୍ଜେଇ ଜବତ କରିସାରିଛି । ଓଡିଶା ପୁଲିସ୍‍ ଯେଉଁ ହାରରେ ଗଞ୍ଜେଇ ଜବତ କରୁଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଜବତ ଗଞ୍ଜେଇ ପରିମାଣ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଯିବ ।

ତେବେ ନିଶା ନିବାରଣ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ଯେତିକି ପରିମାଣର ଗଞ୍ଜେଇ ଓଡିଶା ଭିତରେ ଧରାପଡୁଛି ଏହାର ବହୁଗୁଣ ରାଜ୍ୟ ବାହାରକୁ ଚାଲାଣ ହୋଇଯାଉଛି । ପୁଲିସ୍‍କୁ ଭୁଆଁ ବୁଲାଇବାପାଇଁ ଅଧିକାଂଶ ସମୟରେ ନିଶା ବେପାରୀମାନେ ଅଳ୍ପ ପରିମାଣର ଗଞ୍ଜେଇ ଉପରେ ପୁଲିସ୍‍ଙ୍କ ଦୃଷ୍ଟି ନିବଦ୍ଧ କରି ସେହି ଆଢୁଆଳରେ ବିପୁଳ ପରିମାଣର ଗଞ୍ଜେଇକୁ ଚାଲାଣି କରିଥାନ୍ତି । ତେଣୁ ଏଥିପାଇଁ ଅଧିକ ପୁଲିସ୍‍ ବଳ ସହିତ ଗୁଇନ୍ଦା ବ୍ୟବସ୍ଥା ସତର୍କ ହେବା ଜରୁରୀ ।

ତେବେ ଓଡିଶାରୁ ଯେଉଁ ହାରରେ ଗଞ୍ଜେଇ ଚାଲାଣ ହେଉଛି ଅନୁରୂପ ଭାବେ ଓଡିଶା ଭିତରକୁ ବ୍ରାଉନସୁଗାର ଭଳି ନିଶା ସାମଗ୍ରୀ ପଶି ଆସିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷକରି ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଓଡିଶା ଏବେ ଏହି ଧରଣର ନିଶାକାରବାରର ପ୍ରମୁଖ ସ୍ଥଳି ପାଲଟିବାରେ ଲାଗିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here