Home General ସୁନା ଦୋକାନୀଙ୍କ ମୁଣ୍ଡରେ ଚଡକ

ସୁନା ଦୋକାନୀଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଭଲ ବ୍ୟବସାୟପାଇଁ ଲକ୍ଷ୍ୟ ରଖିଥିବା ରାଜଧାନୀର ଏକାଧିକ ସୁନା ଦୋକାନୀଙ୍କ ମୁଣ୍ଡରେ ଚଡକ ପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‍ ସୋ ଯୋଗୁଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ଯାତାୟତ ଉପରେ କମିଶନରେଟ ପୁଲିସ୍‍ କଟକଣା ଲଗାଇବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ।

ଅକ୍ଷୟତୃତୀୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀର ଜନପଥରେ ନିର୍ବାଚନୀ ରୋଡ୍‍ ସୋ କରିବେ । ଏଥିପାଇଁ କମିଶନରେଟ ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କମିଶନରେଟ ପୁଲିସ୍‍ ସହିତ ଏସ୍‍ପିଜି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଅପରାହ୍ନ ୨ଟାରୁ ରାସ୍ତାକୁ ସିଲ୍‍ କରାଯିବା ସହିତ ବାୟୁସୀମାକୁ ମଧ୍ୟ ସିଲ୍‍ କରାଯିବ । ଏହି ସମୟରେ ଉକ୍ତ ସ୍ଥାନରେ ଡ୍ରୋନ ଉଡାଣ ଉପରେ ମଧ୍ୟ କଟକଣା କରାଯାଇଛି ।

ଏପରିକି ଜନପଥକୁ ଲାଗିଥିବା ଗଳି ରାସ୍ତାକୁ ସିଲ୍‍ କରାଯିବା ସହିତ ଜରୁରୀ କାର୍ଯ୍ୟ ନଥିଲେ ଏହି ରାସ୍ତାରେ ଯା’ ଆସ ପାଇଁ ପୁଲିସ୍‍ ବାରଣ କରିଛି । ତେଣୁ ଏଭଳି ଅବସ୍ଥାରେ ସୁନା ଦୋକାନୀଙ୍କ ଉପରେ ଚଡକ ପଡିଛି । କାରଣ ଅକ୍ଷୟତୃତୀୟାରେ ଭଲ ବ୍ୟବସାୟ ଆଶାରେ ସେମାନେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦେବା ସହିତ ଦୋକାନକୁ ନୂଆ ନୂଆ ଗହଣା ଆଣିଛନ୍ତି । କେତେକ ସୁନା ଦୋକାନୀ ଲୋକଙ୍କ ଠାରୁ ଅଗ୍ରୀମ ଅର୍ଥ ବି ରଖିଛନ୍ତି । ତେଣୁ ସେମାନେ ଅକ୍ଷୟତୃତୀୟାରେ କିଭଳି ବ୍ୟବସାୟ କରିବେ ତାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ।

ଉଲ୍ଲେଖନୀୟ ଯେ ରାଜଧାନୀର ପ୍ରମୁଖ ସୁନା ଗହଣା ଦୋକାନଗୁଡିକ ମାଷ୍ଟରକ୍ୟାଣ୍ଟିନ ଠାରୁ ବାଣୀବିହାର ମଧ୍ୟରେ ଜନପଥ ପାଶ୍ୱର୍ରେ ରହିଛି । ଏଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ଯେଭଳି କଟକଣା ମାର୍ଗଦର୍ଶିକା ଜାରି ହେଲାଣି ସେଥିରେ ଗ୍ରାହକମାନେ ସୁନା ଦୋକାନକୁ ଯିବା ସମ୍ଭବପର ନୁହେଁ । କାରଣ ଉଭୟ କମିଶନରେଟ, କେନ୍ଦ୍ରୀୟ ସୁରକ୍ଷାବଳ ଓ ଏସ୍‍ପିଜି ଏହି ରାସ୍ତାକୁ ଜଗିବେ ।

ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ବିଜେପି ପକ୍ଷରୁ ସାଧାରଣଙ୍କୁ ଅପିଲ୍‍ କରାଯାଇଥିବାବେଳେ ବିଜେପି ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ଲୋକ ଆଣି ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଅକ୍ଷୟତୃତୀୟା ଦିନ ରାଜଧାନୀର ଜନପଥ ଆଖପାଖ ସମେତ ଅନ୍ୟାନ୍ୟ ରାସ୍ତାଘାଟ ଗାଡିମୋଟରେ ଜାମ୍‍ ହେବାର ସମ୍ଭାବନା ରହିଛି । ତେଣୁ ରାଜଧାନୀବାସୀ ଏଭଳି ଗହଳିରେ କେତେ ସଂଖ୍ୟାରେ ଘରୁ ବାହାରି ଗହଣା କିଣିବାକୁ ଦୋକାନକୁ ଯିବେ ତାହାକୁ ନେଇ ଏବେ ପ୍ରମୁଖ ସୁନା ବ୍ୟବସାୟୀମାନେ ଚିନ୍ତାରେ ପଡିଛନ୍ତି ।

କିଛି ସୁନା ଦୋକାନୀଙ୍କ ମତରେ ଚଳିତ ବର୍ଷର ଅକ୍ଷୟତୃତୀୟା ସେମାନଙ୍କ ପାଇଁ ସେତେଟା ଲାଭଦାୟକ ହେବନାହିଁ । କାରଣ ଏହିଦିନ ହିଁ ବହୁ ଲୋକେ ସୁନା କିଣିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବଡ ବଡ ଗହଣା ବ୍ୟବସାୟୀମାନେ ବ୍ୟାପକ ରିହାତି ଯୋଜନା ସହିତ ବିଜ୍ଞାପନ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ସୁନା ଦୋକାନୀମାନେ ଏହି ମଉକାରେ ଭଲ ବ୍ୟବସାୟ କରିବେ ବୋଲି ଆଶାବାନ୍ଧି ବସିଛନ୍ତି । (ତଥ୍ୟ)