Home Education ସିବିଏସଇ ଦଶମ ପରୀକ୍ଷା ବାତିଲ୍‌

ସିବିଏସଇ ଦଶମ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ : ମେ ୪ରୁ ଜୁନ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଛି । ବୋର୍ଡ ଦ୍ୱାରା ବିକଶିତ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରସ୍ତୁତ କରାଯିବ । ଏହି ଆଧାରରେ ଦିଆଯାଇଥିବା ମାର୍କରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହୁଅନ୍ତି ତା’ହେଲେ ସ୍ଥିତିରେ ସୁଧାର ଆସିଲେ ଏବଂ ପରୀକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେଲେ ସେମାନେ ପରୀକ୍ଷା ଦେଇପାରିବେ ।

ମେ ୪ରୁ ଜୁନ ୧୪ ରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ପରବର୍ତୀ ସମୟରେ ଆୟୋଜନ କରାଯିବ । ଜୁନ ପହିଲାରେ ବୋର୍ଡ ସ୍ଥିତି ସମୀକ୍ଷା କରିବା ପରେ ଏ ସମ୍ପର୍କରେ ନିଷ୍ପତି ଗ୍ରହଣ କରିବ ଓ ତଦନୁଯାୟୀ ବିସ୍ତୃତ ବିବରଣୀ ଦିଆଯିବ । ପରୀକ୍ଷା ଆୟୋଜନ କରାଯିବାର ଅତିକମରେ ୧୫ ଦିନ ପୂର୍ବରୁ ନୋଟିସ ଦିଆଯିବ ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ବିଭିନ୍ନ ସ୍ତରରେ ଆୟୋଜିତ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ନିଷ୍ପତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏବଂ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ହିତ ପ୍ରତି ଧ୍ୟାନ ଦିଆଯିବ । ସେମାନଙ୍କର ସୁସ୍ଥତା ପ୍ରତି ଧ୍ୟାନ ଦିଆଯିବା ସହିତ ଶିକ୍ଷାଗତ ସ୍ୱାର୍ଥ ହାନି ଯେପରି ହେବ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ଆସନ୍ତା ମାସ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସିବିଏସଇ ପକ୍ଷରୁ ଆସନ୍ତା ୪ ମେ ରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ଲାଗି କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଛି । ବର୍ତ୍ତମାନ ଦେଶରେ କୋଭିଡ-19 ସଂକ୍ରମଣ ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ଅନ୍ୟ ରାଜ୍ୟ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ।

ଏଭଳି ପରିସ୍ଥିତିରେ ୧୧ ଟି ରାଜ୍ୟରେ ସ୍କୁଲ ବନ୍ଦ ରଖାଯାଇଛି। ସିବିଏସଇର ଏକ ସର୍ବଭାରତୀୟ ବ୍ୟବସ୍ଥା ରହିଛି । ତେଣୁ ରାଜ୍ୟ ବୋର୍ଡ ଭଳି ଭିନ୍ନ ରାଜ୍ୟରେ ଅଲଗା କରି ପରୀକ୍ଷା ଆୟୋଜନ କରାଯିବା ସମ୍ଭବପର ନୁହେଁ । ସାରା ଦେଶରେ ସିବିଏସଇ ପରୀକ୍ଷା ଏକକାଳୀନ ଆୟୋଜନ କରାଯାଇଥାଏ । ମହାମାରୀ ପରିସ୍ଥିତିରେ ସ୍କୁଲ ବନ୍ଦ ରହିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତାକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ନିଷ୍ପତି ଗ୍ରହଣ କରାଯାଇଛି ।