Home Health ସିଜୋଫ୍ରେନିଆ ରୋଗୀଙ୍କୁ ସହଯୋଗ ଆବଶ୍ୟକ

ସିଜୋଫ୍ରେନିଆ ରୋଗୀଙ୍କୁ ସହଯୋଗ ଆବଶ୍ୟକ

ଭୁବନେଶ୍ୱର : ସିଜୋଫ୍ରେନିଆ ଭଳି ମାନସିକ ବ୍ୟାଧିରେ ପୀଡ଼ିତ ଲୋକଙ୍କ ମନରେ ଆଶା ସଂଚାର କରିବାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଛି ।

ସିଜୋଫ୍ରେନିଆରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏଭଳି ସମସ୍ୟାରୁ ବାହାର କରିବା ପାଇଁ ସେମାନଙ୍କ ମନରେ ଆଶାର ସଂଚାର କରିବା ସହ ଯତ୍ନ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଛନ୍ତି ।

କୋଭିଡ ମହାମାରୀ ପରବର୍ତୀ ପର୍ଯ୍ୟାୟରେ ଲୋକମାନଙ୍କ ମଧ୍ୟରେ ମାନସିକ ରୋଗ ଜନିତ ସମସ୍ୟା ବୃଦ୍ଧି ପାଉଥିବା ନେଇ କାର୍ଯ୍ୟକ୍ରମରେ କହିଥିଲେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର । ତେଣୁ ମାନସିକ ଚିକିତ୍ସକମାନେ ରୋଗର ଆଗୁଆ ଚିହ୍ନଟ କରିବାରେ ଯତ୍ନବାନ ହୁଅନ୍ତୁ ବୋଲି କହିବା ସହ ହସ୍ପିଟାଲ୍ ପକ୍ଷରୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ସମ୍‌ର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଏ ଅବସରରେ କହିଥିଲେ ଯେ ସିଜୋଫ୍ରେନିଆକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଭାବନା ରହିଛି ସେହି ଚିନ୍ତାଧାରାକୁ ପରିବର୍ତନ କରିବାର ଆବଶ୍ୟକତା ରହିଛି । ସେହିପରି ଏଭଳି ସମସ୍ୟା ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ତାଙ୍କ ପରିବାରରେ ସହଯୋଗର ଆବଶ୍ୟକତା ରହିଛି ବୋଲି ଏହି ବିଭାଗର ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର କହିଥିଲେ ।

ମାନସିକ ରୋଗ ବିଭାଗର ଡାକ୍ତର ସୋମ୍ୟ ରଞ୍ଜନ ଦାଶ, ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ, ଡାକ୍ତର ରାକେଶ ମହାନ୍ତି ଓ ଡାକ୍ତର ହିରଣ୍ମୟ ମହାପାତ୍ର ଏ ଅବସରରେ ବକ୍ତବ୍ୟ ରଖିଥିଲେ । ପୋଷ୍ଟ ଗ୍ରାଜୁଏଟ୍ ଟ୍ରେନିମାନେ ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡାକ୍ତର ଲଗ୍ନଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here