Home General ସିକ୍ୟୁରିଟି ନମ୍ବରପ୍ଲେଟ ଅର୍ଥର ସୂଚନା ନାହିଁ

ସିକ୍ୟୁରିଟି ନମ୍ବରପ୍ଲେଟ ଅର୍ଥର ସୂଚନା ନାହିଁ

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ କେତେ ପରିମାଣରେ ଅର୍ଥ ଆଦାୟ ହେଉଛି ତାହାର ସୂଚନା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିକଟରେ ନାହିଁ । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ ରାଜ୍ୟରେ ଏହି ପ୍ଲେଟକୁ ଯାନରେ ଲଗାଇବା ନିମନ୍ତେ ଯାନ ନିର୍ମାତାମାନଙ୍କ ଦ୍ୱାରା କରାଯିବାର ନିଷ୍ପତ୍ତି ହୋଇଛି । ଯାନ ନିର୍ମାତାମାନେ ଜାତୀୟ ସ୍ତରରେ ଧାର୍ଯ୍ୟ ମୂଲ୍ୟକୁ ୱେବସାଇଟ୍‍ରେ ଦର୍ଶାଇ ତଦନୁଯାୟୀ ଲୋକଙ୍କ ଠାରୁ ଅର୍ଥ ଆଦାୟ ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଯାନ ନିର୍ମାତାମାନେ ଅନଲାଇନ୍‍ ମାଧ୍ୟମୋର ଦେୟ ଆଦାୟ କରୁଛନ୍ତି । ଏଥି ନିମନ୍ତେ ସରକାରଙ୍କ ଦ୍ୱାରା କୌଣସି ଦେୟ ଆଦାୟ କରାଯାଉନାହିଁ । ତେବେ ଯେହେତୁ ଯାନ ନିର୍ମାତାମାନଙ୍କ ଦ୍ୱାରା ଅନ୍‍ଲାଇନ୍‍ରେ ଅର୍ଥ ଆଦାୟ କରାଯାଉଛି ତାହାର କୌଣସି ସୂଚନା ବିଭାଗ ନିକଟରେ ଉପଲବ୍ଧ ନାହିଁ ।

ସେହିଭଳି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଲେ କି ଲାଭ ମିଳିବ ବୋଲି ଶ୍ରୀମତୀ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ନମ୍ବରପ୍ଲେଟ ଆଲୁମିନିୟମରେ ତିଆରି ହୋଇଥିବାରୁ ସେଥିରେ କଳଙ୍କି ଲାଗିବ ନାହିଁ । ଏହାକୁ ସହଜରେ ବିକୃତ କରାଯାଇ ପାରିବ ନାହି । ଏହି ନମ୍ବରପ୍ଲେଟ ସ୍ୱତନ୍ତ୍ର ପଦ୍ଧତିରେ ତିଆରି ହୋଇଥିବାରୁ ଏହାକୁ ପୁନଃ ଲଗାଯାଇ ପାରିବନାହିଁ । ତେବେ ଚୋରା ଗାଡିସବୁ ଧରାପଡିଲେ ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟରୁ ସହଜରେ ଗାଡି ଚିହ୍ନଟ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । (ତଥ୍ୟ)