Home Industry ସିଏସ୍‌ଆର ପାଇଁ ଶିଳ୍ପ ସଂସ୍ଥାମାନେ ଅଙ୍ଗିକାର ବଦ୍ଧ

ସିଏସ୍‌ଆର ପାଇଁ ଶିଳ୍ପ ସଂସ୍ଥାମାନେ ଅଙ୍ଗିକାର ବଦ୍ଧ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପସଂସ୍ଥାମାନେ ସେମାନଙ୍କର ଦାୟ୍ୱିତ୍ୱବୋଧ ତୁଲାଇବାରେ ପ୍ରତିବନ୍ଧତା ଦେଖଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ କହିଛନ୍ତି ।

ଆଜି ନ୍ୟୁଜ୍‌-୧୮ ଓଡ଼ିଆ ଦ୍ୱାରା ଆୟୋଜିତ ସି.ଏସ୍‌.ଆର୍‌ କନକ୍ଲେଭ୍‌କୁ ଉଦ୍‌ଘାଟନ କରି ଶ୍ରୀ ତ୍ରିପାଠୀ ଏହା କହିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜିନିବେଶକାରୀ ରାଜ୍ୟରେ ପରିଣତ ହୋଇଛି ।

ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ ବିଗତ କିଛି ବର୍ଷ ଭିତରେ ସିଏସଆର ବାବଦ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣରୁ ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପସଂସ୍ଥାମାନଙ୍କର ମାନଙ୍କର ସାମାଜିକ ଦାୟିତ୍ୱବୋଧ ପ୍ରମାଣିତ ହୋଇଛି । ବିଶେଷ କରି କୋଭିଡ୍ ମହାମାରୀ ପରି ମାରାତ୍ମକ ରୋଗର ମୁକାବିଲା ଦିଗରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସହର ଓ ଜିଲ୍ଲା ସ୍ତରରେ କୋଭିଡ୍ ହସ୍ପିଟାଲ ସ୍ଥାପନଠାରୁ ଆରମ୍ଭ କରି ପାଣି ଓ ପରିମଳ କ୍ଷେତ୍ରରେ ସ୍ୱାଗତଯୋଗ୍ୟ ଆର୍ଥିକ ସହଯୋଗ କରିଛନ୍ତି ।

ସେ କହିଥିଲେ ଯେ, ସିଏସ୍‌ଆର ଏବେ କେବଳ ସାମାଜିକ ନୁହେଁ, ଆଇନଗତ ଦାୟିତ୍ୱବୋଧରେ ପରିଣତ ହୋଇଯାଇଛି । ପୂର୍ବାପେକ୍ଷା ଶିଳ୍ପ ସଂସ୍ଥା ଓ କଂପାନୀଗୁଡ଼ିକ ସେମାନଙ୍କ ସାମାଜିକ ଦାୟିତ୍ୱବୋଧ ତୁଲାଇବାରେ ଯଥେଷ୍ଟ ଯତ୍ନବାନ ହୋଇଛନ୍ତି ।

ଏହି କନକ୍ଲେଭରେ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ଏବଂ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ସିଏସ୍‌ଆରର ପରିସର ଅତି ବ୍ୟାପକ । ତେଣୁ ସକରାତ୍ମକ ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀ ନେଇ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ କାମ କଲେ, ଏହି ଉଦ୍ଦେଶ୍ୟ ସାଧିତ ହୋଇପାରିବ । ତେବେ କୋଭିଡ୍ ମହାମାରୀ ସମୟରେ ରାଜ୍ୟର ଶିଳ୍ପ ସଂସ୍ଥାମାନେ ଯେଉଁ ଉତ୍ତରଦାୟିତ୍ୱ ନିର୍ବାହ କରିଛନ୍ତି, ତାର ପ୍ରଶଂସା କରିଥିଲେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ।

କନକ୍ଲେଭରେ  ସିଏସଆର୍: କାର୍ଯ୍ୟାନ୍ୱୟନ ଓ ଆହ୍ୱାନ ଉପରେ ଏକ ଆଲୋଚନାଚକ୍ରର ଆୟୋଜିତ ହୋଇଥିଲା । ଏଥିରେ ବେଦାନ୍ତ ପ୍ରେସିଡେଣ୍ଟ (ଓଡ଼ିଶା ଓ ଛତିଶଗଡ଼) ତଥା ନାଲ୍‌କୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ, ଧାମରା ବନ୍ଦରର ପୂର୍ବତନ ସିଇଓ ସନ୍ତୋଷ ମହାପାତ୍ର, ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ଫାଉଣ୍ଡେସନର ଭାଇସ-ପ୍ରେସିଡେଣ୍ଟ ଅଶୋକ ବେହେରା, ଟାଟା ଷ୍ଟିଲ୍ ସିଏସଆର ଓଡ଼ିଶା ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଏବଂ ସିନିଅର ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଯୋଗ ଦେଇଥିଲେ ।

ଓଡ଼ିଶାରେ ସିଏସ୍‌ଆର କାର୍ଯ୍ୟକଳାପ ଓ ସେ କ୍ଷେତ୍ରରେ ଥିବା ଆହ୍ୱାନ ଉପରେ ସମସ୍ତେ ଆଲୋକପାତ କରିଥିଲେ । ପୂର୍ବତନ ସୂଚନା କମିଶନର ତଥା ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ ମଧ୍ୟ ସିଏସଆର କାର୍ଯ୍ୟକଳାପକୁ କିଭଳି ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରାଯାଇପାରିବ ତା ଉପରେ ମତ ରଖିଥିଲେ ।

ଏହି କନକ୍ଲେଭରେ ନ୍ୟୁଜ-୧୮ ଓଡ଼ିଆର ସିନିଅର ଏଡିଟର ଦୟାନିଧି ଦାଶ ସ୍ୱାଗତ ଅଭିଭାଷଣ ରଖିବା ସହ କନକ୍ଲେଭର ନିର୍ଯାସ ଆଗାମୀ ଦିନରେ ଶିଳ୍ପ ସଂସ୍ଥା ମାନଙ୍କର ସାମାଜିକ ଦାୟିତ୍ୱବୋଧ ନିମନ୍ତେ ଏକ ରୂପରେଖ ପ୍ରସ୍ତୁତିରେ ସହାୟକ ହେବ ବୋଲି କହିଥିଲେ । ଏହି ଅବସରରେ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାରାଦ୍ୱୀପ ଫସ୍‌ଫେଟ୍‌ସ୍‌ ଲିଃ, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ, ଇମ୍ଫା, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ଲିଃ ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମଙ୍କୁ ନିଉଜ୍‌-୧୮ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।