Home Culture ସାହିତ୍ୟ ଏକାଡେମୀରେ ମାତ୍ର ୨ ମହିଳା ସଭାପତି

ସାହିତ୍ୟ ଏକାଡେମୀରେ ମାତ୍ର ୨ ମହିଳା ସଭାପତି

194
0

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୭ ମସିହାରୁ ଗଠିତ ହେବାଠାରୁ ଏଯାବତ୍‍ ୩୧ ଜଣ ସଭାପତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଦୁଇଜଣ ମହିଳା । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥାଇ ୧୯୭୨ ଜୁଲାଇ ପହିଲାରୁ ପ୍ରାୟ ୯ ମାସ ପାଇଁ ସାହିତ୍ୟ ଏକାଡେମୀର ସଭାପତି ଥିବା ବେଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶିଷ୍ଟ ସାହିତ୍ୟିକା ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ଅଧ୍ୟାପିକା ମନୋରମା ମହାପାତ୍ର ୧୯୯୧ ଜୁନ୍‍ ମାସରୁ ୧୯୯୪ ଜୁଲାଇ ପର୍ଯ୍ୟନ୍ତ ତିନିବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଏହି ସଭାପତି ପଦବୀ ମଣ୍ଡନ କରିଥିଲେ । ଏ ଦୁଇଜଣଙ୍କ ଛଡ଼ା ଏଯାବତ୍‍ ରାଜ୍ୟର ଅନ୍ୟ କୌଣସି କବୟିତ୍ରୀ କିମ୍ବା ଲେଖିକାଙ୍କୁ ଆଉ ସାହିତ୍ୟ ଏକାଡେମୀ ସଭାପତି ପଦ ଦିଆଯାଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୫୭ ଅକ୍ଟୋବର ୯ ତାରିଖରେ ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦବୀରେ ବର୍ଷକ ପାଇଁ ଥିବା ବେଳେ ତାଙ୍କପରେ ଲକ୍ଷ୍ମୀନାରାୟଣ ସାହୁ ୧୯୫୮ରୁ ୬୧ ପର୍ଯ୍ୟନ୍ତ ରହିଥିଲେ । ଏହାପରେ ଡକ୍ଟର ହରେକୃଷ୍ଣ ମହତାବ ୧୯୬୧ରୁ ୬୩ ଓ ସନ୍ତୋଷ କୁମାର ସାହୁ ସଂସ୍କୃତି ମନ୍ତ୍ରୀ ଭାବେ ୬୩ରୁ ୬୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ ।

ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରାୟ ୬ ମାସ ପାଇଁ ସଭାପତି ଦାୟିତ୍ୱ ନିର୍ବାହ କରିଥିବା ସ୍ଥଳେ ନିତ୍ୟାନନ୍ଦ ମହାପାତ୍ର ସଂସ୍କୃତି ମନ୍ତ୍ରୀ ଭାବେ ପ୍ରାୟ ୧୫ ମାସ ଧରି ଏହି ଦାୟିତ୍ୱ ତୁଲାଇଥିଲେ । ପରେ ପୁଣି ଡ. ମହତାବ ୧୯୬୭ରୁ ୪ ବର୍ଷ ଧରି ସାହିତ୍ୟ ଏକାଡେମୀ ସଭାପତି ରହିଥିବା ବେଳେ ଶରତ କର ସଂସ୍କୃତି ମନ୍ତ୍ରୀ ଥାଇ ୧୯୭୧ରୁ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।

୧୯୭୩ରେ ହେରମ୍ବ ନାରାୟଣ ଦାସମହାପାତ୍ର ପ୍ରାୟ ୧୩ ମାସ ଧରି ଏହି ଦାୟିତ୍ୱ ନିର୍ବାହ କରିବା ପରେ ସଂସ୍କୃତି ମନ୍ତ୍ରୀ ଭାବେ ପରବର୍ତ୍ତୀ ସମୟରେ ଯଦୁନାଥ ଦାସ ମହାପାତ୍ର, ଗଙ୍ଗାଧର ମହାପାତ୍ର ଓ ଶେଖ୍‍ ମତଲୁବ୍‍ ଅଲ୍ଲୀ ଏହି ପଦବୀ ଅଳଙ୍କୃତ କରିଥିଲେ । ଜନତା ପାର୍ଟି ସରକାରରେ ବିଶ୍ୱଭୂଷଣ ହରିଚନ୍ଦନ ୧୯୭୭ ମସିହା ଜୁନ୍‍ ମାସରେ ସଂସ୍କୃତି ମନ୍ତ୍ରୀ ଭାବେ ସାହିତ୍ୟ ଏକାଡେମୀ ସଭାପତି ଥାଇ କ୍ୟାବିନେଟ୍‍ରେ ଏକ ବିଧିବଦ୍ଧ ପ୍ରସ୍ତାବ ଆଣି ନିରଳା ସାହିତ୍ୟିକଙ୍କ ଦ୍ୱାରା ସାହିତ୍ୟ ଏକାଡେମୀ ସଭାପତି ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଇଥିଲେ । ଫଳରେ ତାଙ୍କଠାରୁ ପ୍ରଥିତଦଶା କବି ସଚ୍ଚିଦାନନ୍ଦ ରାଉତରାୟ ୧୯୭୮ରୁ ସାହିତ୍ୟ ଏକାଡେମୀ ସଭାପତି ପଦବୀ ଗ୍ରହଣ କରି ତିନିବର୍ଷ ଧରି ଏହି ପଦବୀରେ ଥିଲେ ।

ତାଙ୍କ ପରେ ସୁରେନ୍ଦ୍ର ମହାନ୍ତି ୬ ବର୍ଷ ଧରି, ମହାପାତ୍ର ନୀଳମଣି ସାହୁ ଦୁଇବର୍ଷ ଧରି ବି ଏହି ପଦବୀ ମଣ୍ଡନ କରିଥିଲେ । କିଶୋରୀ ଚରଣ ଦାସ୧୯୯୪ରୁ ୩ ବର୍ଷ ଧରି ଏକାଡେମୀର ସଭାପତି ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ମଧ୍ୟ ଏହି ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ପ୍ରାୟ ୪ ମାସ ପାଇଁ ବି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୋଇଥିଲେ । ତାଙ୍କ ପରଠାରୁ ପଠାଣୀ ପଟ୍ଟନାୟକ, ଦୀପକ ମିଶ୍ର, ଗଣେଶ୍ୱର ବେହେରା, ହୁସେନ୍‍ ରବି ଗାନ୍ଧୀ, ରାମଚନ୍ଦ୍ର ବେହେରା, ସାତକୋଡ଼ି ହୋତା ଓ ହରିହର ମିଶ୍ର ଏହି ପଦବୀରେ ରହି ଆସିଛନ୍ତି ।

ଏବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ୱାନ କରି ପ୍ରଥମଥର ପାଇଁ ପ୍ରାର୍ଥୀ ଚୟନ ଚାଲିଛି । କିନ୍ତୁ ଓଡ଼ିଶାରେ ସାହିତ୍ୟ ସାଧନା କ୍ଷେତ୍ରରେ ମହିଳାମାନେ ଢେର୍‍ ଆଗରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ଓ ସାହିତ୍ୟିକା ଭାବେ ମନୋରମା ମହାପାତ୍ରଙ୍କୁ ଛାଡ଼ିଦେଲେ ଆଉ କୌଣସି ମହିଳାଙ୍କୁ ସରକାର ସାହିତ୍ୟ ଏକାଡେମୀ ସଭାପତି ନ କରିବା ପଛର କାରଣ ଘେନି ଆଲୋଚନା ସମାଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here