Home Administration ସାରା ରାଜ୍ୟରେ ନାଇଟ୍‍ କର୍ଫ୍ୟୁ

ସାରା ରାଜ୍ୟରେ ନାଇଟ୍‍ କର୍ଫ୍ୟୁ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ସମଗ୍ର ରାଜ୍ୟରେ ନାଇଟ୍‍ କର୍ଫ୍ୟୁ ଜାରି ହେବ । ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାରେ ପୂର୍ବରୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ସେହିସବୁ ଜିଲ୍ଲାର ପୌରାଞ୍ଚଳରେ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ଲଗାଇବାକୁ ସ୍ଥିର ହୋଇଥିବାବେଳେ ଅନ୍ୟ ୨୦ଟି ଜିଲ୍ଲାରେ ଏହା ରାତ୍ରୀ ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ପଡୋଶୀ ରାଜ୍ୟ ସମେତ ସମଗ୍ର ଦେଶରେ କୋଭିଡ ମହାମାରୀ ହୁ ହୁ ହୋଇ ବଢୁଥିବାରୁ ତାହାକୁ ନିୟନ୍ତ୍ରଣ କରିବାଲାଗି ରାଜ୍ୟ ସକରାର କେତେଗୁଡିକ ପଦକ୍ଷେପ ଗ୍ରହଣ କରିଛନ୍ତି । ତଦନୁଯାୟୀ ପୂର୍ବରୁ ୧୦ଟି ଜିଲ୍ଲାରେ ନାଇଟ୍‍ କର୍ଫ୍ୟୁ ସହିତ ଆଉ ୨୦ ଜିଲ୍ଲାରେ ଏହା ଜାରି ହେବ । ଏହି କଟକଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ।

ସେହିଭଳି ସୀମାନ୍ତ ବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହାନ୍ତ ଶନି ଓ ରବିବାର ସଟ୍‍ଡାଉନ୍‍ ଜାରି ହେବ । ଶନିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ରାଜ୍ୟରେ ନୂତନ ଭାବେ ଲାଗୁ ହେବାକୁ ଥିବା ନାଇଟ୍‍ କର୍ଫ୍ୟୁ ମଧ୍ୟରେ କଟକ-ଭୁବନେଶ୍ୱରେ ମଧ୍ୟ ଆସନ୍ତା କାଲିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ ।

ନାଇଟ କର୍ଫ୍ୟୁରୁ ଜଳଯୋଗାଣ, ବିଦ୍ୟୁତ୍‍, ଗଣମାଧ୍ୟମ, ପରିବହନ ଆଦି ଜରୁରୀ ସେବା ବାଦ୍‍ ଦିଆଯାଇଛି । ଏହି ସେବାରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ କୌଣସି ପାସ୍‍ ଜାରି ହେବନାହିଁ । ସେମାନେ ନିଜ ନିଜର ପରିଚୟପତ୍ର ଦେଖାଇ ଯା ଆସ କରିପାରିବେ । ମାଲପରିବହନ ଗାଡିଗୁଡିକୁ କଟକଣାରୁ ବାଦ୍‍ ଦିଆଯାଇଛି ।

ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା, ଶୋଭାଯାତ୍ରା ଉପରେ ଜାରିହେଲା କଟକଣା ଜାରି କରାଯାଇଛି । ଏଭଳି କାର୍ଯ୍ୟକ୍ରମ ପାଇଁ ଆଉ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ । ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତି ପାଳନ କରାଯିବ । ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରତା ନିୟମ ପାଳନ କରି ବସିବେ । କ୍ରେତା, ବିକ୍ରେତା ଉଭୟଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ବିନା ମାସ୍କରେ କେହି ହାଟ ବଜାରକୁ ଆସିବେ ନାହିଁ ।

ବସରେ ଯାତ୍ରୀମାନଙ୍କୁ ଛିଡାକରି ନେବାକୁ ବାରଣ କରାଯାଇଛି । ଯେତିକି ସଂଖ୍ୟକ ସିଟ୍‍ ରହିଛି କେବଳ ସେତିକି ଲୋକ ଯାଇପାରିବେ । ସମସ୍ତ ଆନ୍ତଃରାଜ୍ୟ ବସ୍‍ ଚଳାଚଳକୁ ବନ୍ଦ ଘୋଷଣା ହୋଇଥିବାବେଳେ ରାଜ୍ୟ ଭିତରେ ବସ୍‍ ଚଳାଚଳ କରିପାରିବ । ଟ୍ୟାକ୍ସିରେ ଦୁଇ ଜଣ ଯାତ୍ରୀ ଯିବାକୁ ଅନୁମତି ଦିଆଯାଇଛି ।

ସିନେମାହଲରେ ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି ମିଳିବ । ଅପେରା, ଯାତ୍ରାରେ ଏଣିକି ୧୦୦୦ ଲୋକଙ୍କୁ ଅନୁମତି ମିଳିବ । ପୂର୍ବରୁ ଏହି ସଂଖ୍ୟା ୨ହଜାର ଥିଲା । ସେହିଭଳି ସରକାରୀ ଦପ୍ତରରେ ଏଣିକି ଶତ ପ୍ରତିଶତ ବଳରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।ବେସରକାରୀ ଅନୁଷ୍ଠାନ/ ବ୍ୟାଙ୍କ ଦପ୍ତରଗୁଡିକ କମ୍‍ କର୍ମଚାରୀରେ କାମ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତବର୍ଷ ପ୍ରତିଷ୍ଠା ହୋଇଥିବା ୪୦ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆହୁରି ଅଧିକ ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ବଢାଇବାପାଇଁ ପଦକ୍ଷେପ ନିଆଯାଉଥିବା ନେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।