Home News in Odia ସାମ୍ବାଦିକ ଯାଞ୍ଚ ପାଇଁ ପୁଲିସ୍‍ର ସଜବାଜ

ସାମ୍ବାଦିକ ଯାଞ୍ଚ ପାଇଁ ପୁଲିସ୍‍ର ସଜବାଜ

ଭୁବନେଶ୍ୱର : ନିଜକୁ ସାମ୍ବାଦିକ ଭାବେ ପରିଚୟ ଦେଇ କେତେକ ବ୍ୟକ୍ତି ବେଆଇନ୍‍ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଧରିବାପାଇଁ ପୁଲିସ୍‍ ଏବେ ଅଣ୍ଟା ଭିଡିଛି । ଯେଉଁସବୁ ଗାଡିରେ ‘ପ୍ରେସ୍‍’ ଲେଖି ଅଣସାମ୍ବାଦିକମାନେ ପଇଁତରା ମାରୁଛନ୍ତି ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଧରିବାଲାଗି ବ୍ୟବସ୍ଥା ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ପାଇଁ କମିଶନରେଟ ପ୍ରସ୍ତୁତ ହେଉଛି ।

ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି ଯେ ସାମ୍ବାଦିକତା ବୃତ୍ତିରେ ନଥିବା କିଛି ବ୍ୟକ୍ତି କାର ଓ ମୋଟର ସାଇକେଲରେ ‘ପ୍ରେସ୍‍’ ଲେଖି ଯାତାୟତ କରିବା ଫଳରେ ସେମାନଙ୍କୁ ଲୋକେ ସାମ୍ବାଦିକ ବୋଲି ଭାବୁଛନ୍ତି । ବହୁ ସମୟରେ ଏମାନେ ବି ପୁଲିସ୍‍ ଆଖିରେ ଧୂଳିଦେଇ ଖସି ଯାଉଛନ୍ତି । ତେଣୁ ଯେତେସବୁ ଗାଡିରେ ପ୍ରେସ୍‍ ଲେଖାଯାଇଛି ସେଗୁଡିକ ସାମ୍ବାଦିକଙ୍କର କି ନୁହେଁ ତାହାର ତନଖି ପାଇଁ ପୁଲିସ୍‍ ପ୍ରସ୍ତୁତ ହେଉଥିବାବେଳେ ଏବେ ଅନେକ ନିଜ ଗାଡିରେ ମରାଯାଇଥିବା ‘ପ୍ରେସ୍‍’ ଷ୍ଟିକର ହଟାଇବା ଆରମ୍ଭ କରିଛନ୍ତି ।

କରୋନା ପ୍ରଥମ ପର୍ଯ୍ୟାୟ ସଟ୍‍ଡାଉନ୍‍ ଓ ଲକଡାଉନ୍‍ ବେଳେ କିଛି ଅଣସାମ୍ବାଦିକ ଗାଡିରେ ପ୍ରେସ୍‍ ଲେଖି ଭୁବନେଶ୍ୱରରେ ଅବାଧରେ ଯିବାଆସିବା କରିଥିବାବେଳେ ସନ୍ଦେହରେ ପୁଲିସ୍‍ କେତେକ ଗାଡି ଧରିଥିଲା ଏବଂ ଏହା ସାମ୍ବାଦିକଙ୍କ ଗାଡି ନୁହେଁ, ବରଂ ପୁଲିସ୍‍କୁ ଠକିବାପାଇଁ ଅମାନିଆଙ୍କ ଗାଡି ବୋଲି ଜଣାପଡିବାରୁ ସେମାନଙ୍କୁ ପୁଲିସ୍‍ ଗିରଫ କରିବା ସହ ଗାଡି ଜବତ ପାଇଁ ବାଧ୍ୟ ହୋଇଥିଲା ।

ସେହିପରି ଆଉ କେତେକ ନିଜକୁ ବିଭିନ୍ନ ସମ୍ବାଦ ସଂସ୍ଥାର ପ୍ରତିନିଧିବୋଲି ପରିଚୟ ଦେଇ ବେଆଇନ୍‍ ଭାବେ ଚାନ୍ଦା ଆଦାୟ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥାଇ ଧରାପଡିଛନ୍ତି । ଏଭଳି ଘଟଣା ବଢି ଚାଲୁଥିବାରୁ ଇତି ମଧ୍ୟରେ ପୁଲିସ୍‍ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ସାମ୍ବାଦିକଙ୍କ ତାଲିକା ଆଣି ପ୍ରେସ୍‍ ନାମରେ ଅପବ୍ୟବହୃତ ହେଉଥିବା ଗାଡିଗୁଡିକୁ ଜବତ ସହ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ଗୋଟିଏ ସଂସ୍ଥା ଉପରେ ଚଢାଉ କରାଯାଇ ସେଠାରୁ ଅନେକ ଜାଲ୍‍ ପରିଚୟପତ୍ର ଜବତ କରାଯାଇଥିଲା ଯେଉଁଥିରେ ସାମ୍ବାଦିକ ନଥାଇ ବି କିଛି ବ୍ୟକ୍ତି ନିଜ ନିଜ ଫଟୋ ଲଗାଇ ସାମ୍ବାଦିକର ପରିଚୟପତ୍ର ପ୍ରସ୍ତୁତ କରୁଥିଲେ । ତେଣୁ ଅସଲି ଓ ନକଲି ସାମ୍ବାଦିକ କିଏ ତାହା ଜାଣିବା ପୁଲିସ୍‍ ପକ୍ଷରେ କାଠିକରପାଠ ହୋଇପଡୁଥିବାରୁ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ସାମ୍ବାଦିକଙ୍କ ତାଲିକା ସଂଗ୍ରହକରି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି ।

ସାଧାରଣତଃ ଲୋକସମ୍ପର୍କ ବିଭାଗରେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ତାଲିକା ରହିଛି । ଏହାବାଦ୍‍ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ବି ଗଣମାଧ୍ୟମରେ କାର୍ଯ୍ୟରତ ଅନେକ ବ୍ୟକ୍ତିଙ୍କ ନାମ ରହିଛି । ଏହାଛଡା ଏଯାବତ୍‍ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଇନଥିବା ବିଭିନ୍ନ ଗଣମାଧ୍ୟମର ଅନେକ ସାମ୍ବାଦିକଙ୍କୁ ବି ସେମାନଙ୍କ ସଂସ୍ଥାର ଅନୁରୋଧରେ ରାଜ୍ୟ ସରକାର ସଚିବାଳୟ ପାଶ୍‍ ପ୍ରଦାନ କରିଛନ୍ତି । ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଛଡା ଅନ୍ୟ ଯେଉଁମାନେ ସାମ୍ବାଦିକତା ବୃତ୍ତିରେ ଅଛନ୍ତି ଏବଂ ବିଶେଷକରି ଖବରକାଗଜ ସମ୍ପାଦନା ଓ ଛଫେ ସହ ଜଡିତ ସେମାନେ ପ୍ରେସ୍‍ ରୁ କାମସାରି ବିଳମ୍ବିତ ରାତ୍ରୀରେ ଘରକୁ ଫେରିଥାନ୍ତି । ପୋଲିସ୍‍ ବ୍ଲକିଂ ବେଳେ ଏମାନଙ୍କ କାର୍ଡ ଦେଖି ଛାଡି ଦେଇଥାଏ । ତେଣୁ ଯାଞ୍ଚବେଳେ ପୁଲିସ୍‍ ଏହିସବୁ ଦିଗ ପ୍ରତି ଦୃଷ୍ଟିଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here