Home General ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି  

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି  

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା  ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ  ୫ ଲକ୍ଷ ଟଙ୍କାକୁ  ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା  ପାଇ ପାରିବେ।

ସେହିଭଳି ସ୍ୱାସ୍ଥ୍ୟବୀମା ଯୋଜନାରେ ପୂର୍ବରୁ ସାମ୍ବାଦିକମାନେ ଅଫ୍‍ଲାଇନ୍‍ରେ ଆବେଦନ କରୁଥିବାବେଳେ ଚଳିତବର୍ଷ ଠାରୁ ଏହାକୁ ଅନ୍‍ଲାଇନ୍‍ କରାଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବାବେଳେ ସାମ୍ବାଦିକମାନେ ଆବେଦନ ଜାରି ରଖିଛନ୍ତି ।