Home General ସାମ୍ବାଦିକଙ୍କ ସଂଖ୍ୟା ବୃଦ୍ଧି ପାଇଛି

ସାମ୍ବାଦିକଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଭୁବନେଶ୍ୱର : ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ତାଲିକାଭୁକ୍ତ ହେଉଥିବା ସାମ୍ବାଦିକଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ଏହି ଯୋଜନାରେ ୬୦୧୧ ଜଣ ସାମ୍ବାଦିକ ଥିବାବେଳେ ଚଳିତ ବର୍ଷ ତାହା ୮୧୨୭କୁ ବୃଦ୍ଧି ପାଇଛି ।

ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଚନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨୦୧୮-୧୯ ମସିହାରେ ୬୦୧୧ ଜଣ ସାମ୍ବାଦିକ ସାମିଲ ହୋଇଥିବାବେଳେ ୨୦୧୯-୨୦ ରେ ସେହି ସଂଖ୍ୟା ଅପରିବର୍ତ୍ତିତ ଥିଲା ।

ତେବେ ୨୦୨୦-୨୧ ରେ ସାମ୍ବାଦିକଙ୍କ ସଂଖ୍ୟା ୬୯୪୪କୁ ବଢିଥିବାବେଳେ ୨୦୨୧-୨୨ରେ ତାହା ୮୧୨୭ରେ ପହଞ୍ଚିଛି । ସର୍ବାଧିକ ୧୩୭୬ ଜଣ ସାମ୍ବାଦିକ ଭୁବନେଶ୍ୱରରୁ ଥିବାବେଳେ କଟକରୁ ୬୧୮ଜଣ, ମୟୁରଭଞ୍ଜରୁ ୪୯୦, ଯାଜପୁରରୁ ୪୪୯ଜଣ, ଗଞ୍‍ଜାମୁରୁ ୩୪୩, ବାଲେଶ୍ୱରରୁ ୩୨୩ ଓ ପୁରୀରୁ ୩୦୭ ଜଣ ଅଛନ୍ତି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଗତ ୫ବର୍ଷ ମଧ୍ୟରେ ୨୯ଜଣ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ଅଧିସ୍ୱୀକୃତି ପ୍ରଦାନ କରାଯାଇଥିବାବେଳେ ୨ଜଣ ସାମ୍ବାଦିକଙ୍କୁ ସରକାରୀ କ୍ୱାଟର୍ସ ଯୋଗାଇ ଦିଆଯାଇଛି । ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ଦେବା ଗୃହ ବିଭାଗର ପରିସରଭୁକ୍ତ ଏବଂ ବିଧାନସଭାକୁ ପ୍ରବେଶ ଅନୁମତି ଦେବା ବିଧାନସଭାର କାର୍ଯ୍ୟ ପରିସରଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି । (ତଥ୍ୟ)