Home Finance ସାମାଜିକ କ୍ଷେତ୍ର ବ୍ୟୟରେ ଓଡିଶା ଶୀର୍ଷରେ

ସାମାଜିକ କ୍ଷେତ୍ର ବ୍ୟୟରେ ଓଡିଶା ଶୀର୍ଷରେ

ଭୁବନେଶ୍ୱର : ସାମାଜିକ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବାରେ ଓଡିଶା ଏବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟ ସରକାର ଏହି ସମ୍ବେଦନଶୀଳ କ୍ଷେତ୍ର ପ୍ରତି ଅଧିକ ଧ୍ୟାନ ଦେବା ଫଳରେ ଏଭଳି ସଫଳତା ମିଳିପାରିଛି ।

ଦେଶର ଆର୍ଥିକ ସୂଚକାଙ୍କ ସଂକ୍ରାନ୍ତରେ ଭାରତର ମହାଲେଖାକାରଙ୍କ ସର୍ବଶେଷ ରିପୋର୍ଟ ଅନୁଯାୟୀ ଲୋକଙ୍କୁ ସାମାଜିକ ସହାୟତା କ୍ଷେତ୍ରରେ ଓଡିଶା ସର୍ବୋଚ୍ଚ ସ୍ଥାନରେ ରହିଛି । ଏହି ରିପୋର୍ଟରେ ଲଗାତାର ଭାବେ ୨୦୨୦ ଓ ୨୦୨୧ରେ ଓଡିଶା ପ୍ରଦର୍ଶନ ସକରାତ୍ମକ ଥିବା ଦର୍ଶାଯାଇଛି । ଏଥିରେ ଦର୍ଶାଯାଇଛି ସାମାଜିକ କ୍ଷେତ୍ରରେ ଓଡିଶାର ବ୍ୟୟ ୨୦୨୦ ଜୁଲାଇ ତୁଳନାରେ ୨୦୨୧ ଜୁଲାଇରେ ପାଖାପାଖି ୪୩ପ୍ରତିଶତ ଅଧିକ ରହିଛି ।

ଏମ୍‍ଜିଏନ୍‍ଆରଇଜିଏସ୍‍, କାଳିଆ, ଖାଦ୍ୟ ସୁରକ୍ଷା, ପେନ୍‍ସନ ଯୋଜନା, ଅନ୍ୟାନ୍ୟ ଜନକଲ୍ୟାଣ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓଡିଶାକୁ ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରଖିଛି । ସାମାଜିକ କ୍ଷେତ୍ର ଦୃଷ୍ଟିରୁ ଦେଶର ଅନ୍ୟାନ୍ୟ ଅଗ୍ରଣୀ ଏପରିକି ବିକଶିତ ରାଜ୍ୟଗୁଡିକ ମଧ୍ୟ ଓଡିଶା ତୁଳନାରେ ପଛରେ ପଡିଛନ୍ତି । ମହାରାଷ୍ଟ୍ର ଭଳି ଧନୀ ରାଜ୍ୟ ସାମାଜିକ କ୍ଷେତ୍ରରେ ୨୦୨୦ ଜୁଲାଇ ତୁଳନାରେ ୨୦୨୧ ଜୁଲାଇ ସୁଦ୍ଧା ମାତ୍ର ୦.୫୭ ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ଅନ୍ୟତମ ଆୟକାରୀ ରାଜ୍ୟ ତାମିଲନାଡୁରେ ଏହା -୬.୯୧ ପ୍ରତିଶତ ରହିଛି । ମଧ୍ୟମ ଆୟକାରୀ ରାଜ୍ୟ ତାଲିକାରେ ଓଡିଶା ସହିତ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ଝାଡଖଣ୍ଡ ଥିଲେ ମଧ୍ୟ ସାମାଜିକ କ୍ଷେତ୍ରରେ ଏମାନଙ୍କର ବ୍ୟୟ ପରିମାଣ ଓଡିଶା ଠାରୁ ଢେର କମ୍‍ ରହିଛି ।

ଆର୍ଥିକ ସୂଚକାଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ଓଡିଶାର ନିଜସ୍ୱ ରାଜସ୍ୱ ଆୟ ଢେର ଅଧିକ ରହିଛି । ନିଜସ୍ୱ ରାଜସ୍ୱ ଆୟ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ଅଛି । ଏ କ୍ଷେତ୍ରରେ ହରିଆନା ପ୍ରଥମ ସ୍ଥାନରେ ଥିବାବେଳେ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । କେନ୍ଦ୍ରୀୟ ଅନୁଦାନ ଓ ଅଂଶ ପ୍ରଦାନ ହ୍ରାସ ପାଉଥିବାବେଳେ ରାଜ୍ୟର ନିଜସ୍ୱ ସମ୍ବଳ ସହାୟକ ହୋଇଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ରାଜ୍ୟର ନିଜସ୍ୱ ରାଜସ୍ୱ ଅଭିବୃଦ୍ଧି ୭୬.୪ ପ୍ରତିଶତ ରହିଛି । ସେହିଭଳି ମୋଟ୍‍ ରାଜସ୍ୱ ଅଭିବୃଦ୍ଧି ୧୮.୭ ପ୍ରତିଶତ ଥିବାବେଳେ ସମଗ୍ର ଦେଶରେ ଏହା ୫ମ ସ୍ଥାନରେ ରହିଛି । ଆର୍ଥିକ ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି ଯେ କେନ୍ଦ୍ରରୁ ଅର୍ଥ ପ୍ରଦାନ ହ୍ରାସ ପାଇବାରୁ ଓଡିଶାର ରାଜସ୍ୱ ବ୍ୟୟ ବୃଦ୍ଧି ପାଉଛି । ନଚେତ ଓଡିଶା ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଥାନ୍ତା ।

ତେବେ ପୁଞ୍ଜି ବ୍ୟୟ ଦୁର୍ବଳ ଥିବାରୁ ରାଜ୍ୟ ପ୍ରଶାସନ ଏବେ ଏ ଦିଗରେ ଧ୍ୟାନ ଦେଉଛନ୍ତି । ରାଜ୍ୟରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ୨୫,୭୮୮ କୋଟି ଟଙ୍କାର ପଞ୍ଜି ବ୍ୟୟର ଲକ୍ଷ୍ୟ ରହିଛି ଯାହାକି ମୋଟ୍‍ ବଜେଟ୍‍ର ମାତ୍ର ୧୫ ପ୍ରତିଶତ । ତେବେ ଏ କ୍ଷେତ୍ରରେ ବ୍ୟୟ ଆଦୌ ଉତ୍ସାହଜନକ ନୁହେଁ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । ସେଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟ ପାଇଁ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସିଏଜି ରିପୋର୍ଟ ଅନୁଯାୟୀ ଓଡିଶାର ଅଭିବୃଦ୍ଧି ୧୩.୨୮ ପ୍ରତିଶତ ଥିବାବେଳେ ମୋଟ୍‍ ବ୍ୟୟ କ୍ଷେତ୍ରରେ ସମଗ୍ର ଦେଶରେ ରାଜ୍ୟ ୯ମ ସ୍ଥାନରେ ରହିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here