Home Covid ସାମାଜିକ ଉତ୍ସବ ଯୋଗୁଁ ବ୍ୟାପିପାରେ ଓମିକ୍ରନ

ସାମାଜିକ ଉତ୍ସବ ଯୋଗୁଁ ବ୍ୟାପିପାରେ ଓମିକ୍ରନ

ଭୁବନେଶ୍ୱର : ବାହାଘର ଭୋଜି ପରି ସାମାଜିକ ଉତ୍ସବ, ରାଜନୈତିକ ସମାବେଶ, ପର୍ଯ୍ୟଟନଋତୁ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ଓଡିଶାରେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ ବଢାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିବା ସହ ଏବେ ଠାରୁ ପ୍ରଶାସନ ଓ ସାଧାରଣ ଲୋକେ ଏ ଦିଗ ପ୍ରତି ସତର୍କ ରହିବାକୁ ବାରମ୍ବାର ଚେତାବନୀ ଦେଉଛନ୍ତି ।

କରୋନାର ପ୍ରଥମ ପର୍ଯ୍ୟାୟ ଲହରୀ ସମୟରେ ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକଳାପ ଉପରେ କଡା କଟକଣା ରହିଥିଲା । ୫୦ ଲୋକଙ୍କ ମଧ୍ୟରେ ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ପାଇଁ ସର୍ବାଧିକ ୨୦ଜଣ ଲୋକଙ୍କ ସମାଗମ ପାଇଁ ସେତେବେଳେ ଜାରି କରାଯାଇଥିବା କଟକଣାରେ କୁହାଯାଇଥିଲା । ଏହା ଫଳରେ ବାହାଘରରେ ବରଯାତ୍ରୀ ଶୋଭାଯାତ୍ରା ପ୍ରାୟ ବନ୍ଦ ହୋଇଯାଇଥିଲା ଏବଂ ବିବାହ ଭୋଜି କାଣ୍ଟଛାଣ୍ଟ ହୋଇଥିବା ଏବଂ ସଂକ୍ରମଣ ଭୟ ଥିବାରୁ ଏଥିରେ ଉପସ୍ଥିତ ରହିବାକୁ ଲୋକେ ଡରୁଥିବା କାରଣରୁ ଓଡିଶାରେ କରୋନା ସଂକ୍ରମଣ ସେତେବେଳେ ନିୟନ୍ତ୍ରିତ ଅବସ୍ଥାରେ ଥିଲା ।

ଏହାଛଡା ରାଜ୍ୟ ସରକାର ଉପାସନୀପୀଠ ଗୁଡିକରେ ଭକ୍ତ ସମାଗମ ସ ପୂଜାର୍ଚ୍ଚନା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ମଧ୍ୟ କଡା କଟକଣା ଲଗାଇଥିଲେ । ସେହିଭଳି ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ବି ଜନସମାଗମକୁ ନିରୁତ୍ସାହିତ କରାଯାଉଥିଲା । ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟ ଓ ଦେଶରୁ ଓଡିଶାକୁ ଯାତ୍ରୀ ଯିବା ଆସିବା ଉପରେ ମଧ୍ୟ କଟକଣା ରହିଥିଲା । ଯେଉଁମାନେ ବିମାନ ଓ ରେଳରେ ଆସୁଥିଲେ ସେମାନଙ୍କୁ ପରୀକ୍ଷା କରିବା ସହ କ୍ୱାରେଣ୍ଟାଇନ୍‍ରେ ମଧ୍ୟ ରଖାଯାଉଥିଲା ।

ସେହିଭଳି ହାଟ ବଜାର, ସଭା ସମିତି, ମେଳା ମହୋତ୍ସବ, ଯାନବାହାନ ଆଦି ଉପରେ କଟକଣା ଲଗାଇବା ସଂଗେ ସଂଗେ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯିବାରୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ସେତେ ବ୍ୟାପକ ହୋଇନଥିଲା । କିନ୍ତୁ ଏବେ ସବୁଥିରେ କୋହଳ କରାଯାଇଥିବାରୁ ରାସ୍ତାଘାଟ ଠାରୁ ଆରମ୍ଭକରି ବିବାହ ମଣ୍ଡପ ପର୍ଯ୍ୟନ୍ତ ଚାରିଆଡେ ଅସମ୍ଭବ ଧରଣର ଗହଳି ହେଉଛି । ଅନେକ ଲୋକ ମାସ୍କ ପିନ୍ଧୁ ନାହାନ୍ତି, ପରସ୍ପର ମଧ୍ୟରେ ଦୂରତା ରକ୍ଷା ପାଇଁ ଭୁଲି ଯାଉଛନ୍ତି ଏବଂ ଆଉ ପ୍ରାୟ ହାତ ଧୋଇବା କି ସାନିଟାଇଜର ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି ।

ବିଶେଷଜ୍ଞମାନେ କହୁଛନ୍ତି ଯେ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିବା ଡେଲ୍‍ଟା ପ୍ରଜାତି ତୁଳନାରେ ୬ଗୁଣ ଅଧିକ ବେଗରେ ସଂକ୍ରମଣ କରିବ । ୨୦୨୦ ମାର୍ଚ୍ଚ ମାସରେ ଓଡିଶାରେ ପ୍ରଥମ କରୋନା ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନିତ ହୋଇଥିଲେ ଏବଂ ଏହି ବ୍ୟକ୍ତି ଜଣଙ୍କ ଇଟାଲୀରୁ ଫେରିଥିଲେ । ଦେଢ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା — କୁ ଟପିଯାଇଛି । ଏବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟନଗରମରେ କରୋନାର ଓମିକ୍ରନ ପ୍ରଜାତି ସଂକ୍ରମଣ ଚିହ୍ନିତ ହୋଇଛନ୍ତି । ଏହାଛଡା

ଏଠାରେ ଉଲ୍ଲେଖନୀୟ ଯେ ଗତ ନଭେମ୍ବର ୨୪ରେ ଦକ୍ଷିଣଆଫ୍ରିକାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ତିନି ସପ୍ତାହ ମଧ୍ୟରେ ଏହା ୬୦ରୁ ଅଧିକ ଦେଶରେ ପହଞ୍ଚିଗଲାଣି । ଦେଶ ବିଦେଶର ଯେଉଁ ସ୍ଥାନରେ ଓମିକ୍ରନ ସଂକ୍ରମିତ ଠାବ କରାଯାଇଛି ସେଠାରୁ ଓଡିଶାକୁ ଆକାଶ, ସଡକ ଓ ରେଳପଥରେ ଯାତାୟତ ଲାଗି ରହିଥିବାରୁ ଜନଗହଳିର ସୁଯୋଗ ନେଇ କରୋନାର ଓମିକ୍ରନ ପ୍ରଜାତି ଓଡିଶାରେ କାୟାବିସ୍ତାର କରିବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ଟାଳିବାପାଇଁ ପୁଣି ଏବେ ଠାରୁ କଡା କଟକଣା ଜାରି କରାଗଲେ ଓଡିଶା ଅତୀତର ଅଭିଜ୍ଞତା ଦୃଷ୍ଟିରୁ ସହଜରେ କରୋନାର ଏହି ନୂଆ ପ୍ରଜାତିକୁ ମୁକାବିଲା କରିପାରିବ ଏବଂ ଏଥିପାଇଁ ଜନ ସହଯୋଗର ବିଶେଷ ଆବଶ୍ୟକତା ରହିଛି ବୋଳି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here