Home Agriculture ସାଟେଲାଇଟ ଜରିଆରେ ଧାନଚାଷ ଯାଞ୍ଚ

ସାଟେଲାଇଟ ଜରିଆରେ ଧାନଚାଷ ଯାଞ୍ଚ

ଭୁବନେଶ୍ୱର : ଚାଷୀମାନେ ପଞ୍ଜିକରଣ ପାଇଁ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ, ସେ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବା ପାଇଁ ଚଳିତ ବର୍ଷ ବିଭାଗ ପକ୍ଷରୁ ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓରସାକ) ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଛି ।

ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଏହାର ଯାଞ୍ଚ ପ୍ରକି୍ରୟାକୁ ତ୍ୱରାନ୍ୱିତ କରି ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଥିବାବେଳେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହାକୁ ଚଳିତ ଖରିଫରେ ପାଇଲଟ ପ୍ରକଳ୍ପ ଭାବରେ ୭ଟି ଜିଲ୍ଲାରେ ଉପଯୋଗ କରାଯାଉଛି । ସାଟେଲାଇଟଠାରୁ ଉତ୍ତୋଳିତ ଫଟୋଚିତ୍ରର ବିଶ୍ଳେଷଣ ମାଧ୍ୟମରେ ଧାନ ଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ କହିଥିଲେ । ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଧାନଚାଷ ହୋଇଥିବା ଜମିର ବୈଜ୍ଞାନିକ ପ୍ରଣାଳୀରେ ଯାଞ୍ଚ କରିବା ପ୍ରକି୍ରୟା ସମ୍ବନ୍ଧରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ ।

ସାଟେଲାଇଟ ମାଧ୍ୟମରେ ଉତ୍ତୋଳିତ ହେଉଥିବା ହାଇ ରିଜୋଲୁ୍ୟସନ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ ମ୍ୟାପ୍‌ ଓ ଜମିପଟ୍ଟା ସହିତ ଜିଓ ରେଫରେନ୍‌ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି ବୋଲି ଓରସାକ୍‌ ତରଫରୁ ବୈଠକରେ ସୂଚନା ଦିଆଯାଇଥିଲା । ଏଥିସହିତ ଅନ୍ୟ ପ୍ଲଟ୍‌ଗୁଡ଼ିକରେ ରାଜସ୍ୱ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରାୀଙ୍କ ଦ୍ୱାରା ଯୁଗ୍ମ କମିଟି ଦ୍ୱାରା ଚାଷଜମିର ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀ ନାମ ପଞ୍ଜୀକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସୂଚନା ଅନୁଯାୟୀ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୭ ଲକ୍ଷ ୭୨ ହଜାର ୫୪୪ ଜଣ ଚାଷୀ ଖରିଫ ଧାନ ବିକି୍ର ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଚଳିତ ଖରିଫରେ ଧାନ ବିକି୍ର ନିମନ୍ତେ ଇଚ୍ଛୁକ ଚାଷୀମାନଙ୍କୁ ନୂତନ ଭାବେ ସେମାନଙ୍କ ନାମ ନିକଟସ୍ଥ ସୋସାଇଟିରେ କରିବା ଆବଶ୍ୟକ ।

ଚାଷୀମାନେ ଯେପରି ସୁବିଧାରେ ସେମାନଙ୍କର ନାମପଞ୍ଜୀକରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ଏକ ହେଲ¬ଡେସ୍କର ବ୍ୟବସ୍ଥା କରାଯାଇଛି । ହେଲ¬ଡେସ୍କଗୁଡ଼ିକ କିପରି ଚାଷୀମାନଙ୍କୁ ନାମ ପଞ୍ଜୀକରଣରେ ସହାୟକ ହୋଇପାରିଛି ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ଏଥି ସହିତ ନାମ ପଞ୍ଜୀକରଣ ଓ ଯାଞ୍ଚ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏକ ନିର୍ଭୁଲ ଚାଷୀପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ, ଓରସାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପି.କେ. ମଲ୍ଲିକ, ଓରସାକର ବରିଷ୍ଠ ବୈଜ୍ଞାନିକ ପି.କେ.ପରିଡା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ କୁମାର ପୃଷ୍ଟି, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସୁଦର୍ଶନ ସେଠୀ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।