Home News in Odia ସାଇବର ଠକଙ୍କ ହାବୁଡରେ ଅଧିକ ଶିକ୍ଷିତ

ସାଇବର ଠକଙ୍କ ହାବୁଡରେ ଅଧିକ ଶିକ୍ଷିତ

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ବଢି ବଢି ଚାଲିଥିବାବେଳେ ଯେଉଁଠାରେ ଅଧିକ ଶିକ୍ଷିତ ରହିଛନ୍ତି ସେଠାରେ ଏହି ଧରଣର ମାମଲା ବି ସର୍ବାଧିକ ରହୁଛି । ସାକ୍ଷରତା କ୍ଷେତ୍ରରେ ଆଗରେ ଥିବା ଖୋରଧା ଓ କଟକ ଜିଲ୍ଲାରେ ସାଇବର ମାମଲା ଅଧିକ ସଂଖ୍ୟାରେ ପଞ୍ଜିକରଣ ହେଉଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ୨୦୧୫ ମସିହାରେ ରାଜ୍ୟରେ ୩୮୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୧୬ ମସିହାରେ ତାହା ୩୧୭କୁ ହ୍ରାସ ପାଇଥିଲା । ତେବେ ଏହା ପରଠାରୁ ସାଇବର ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛନ୍ତି । ୨୦୧୭ରେ ୮୨୪ ସାଇବର ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ୮୬୭, ୨୦୧୯ରେ ୧୪୭୫, ୨୦୨୦ ରେ ୧୯୩୧ ଓ ୨୦୨୧ ରେ ୨୦୩୭ ମାମଲା ରୁଜୁ ହୋଇଛି ।

ତେବେ ଗତବର୍ଷ ଯେତେ ସାଇବର ମାମଲା ରୁଜୁ ହୋଇଥିଲା ସେଥରୁ ସର୍ବାଧିକ ଭୁବନେଶ୍ୱର ଓ କଟକରେ ରୁଜୁ ହୋଇଛି । ଭୁବନେଶ୍ୱରରେ ୧୪୬ ମାମଲା ରୁଜୁ ହୋଇଥିବାବେଳେ କଟକରେ ୧୩୯ ଟି ମାମଲା ଦରଜ ହୋଇଥିଲା । ସେହିଭଳି ମୟୁରଭଞ୍ଜରେ ୧୩୨ ଓ ଅନୁଗୁଳରେ ୧୩୬ ମାମଲା ରୁଜୁ ହୋଇଛି । ତେବେ ସବୁଠାରୁ କମ୍‍ ମାତ୍ର ୭ଟି ମାମଲା କନ୍ଧମାଳ ଜିଲ୍ଲାରେ ରୁଜୁ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ୯ଟି ରହିଛି ।

ସାକ୍ଷରତା ବହୁଳ ଅଞ୍ଚଳରେ ମୋବାଇଲ ସମେତ ଇଣ୍ଟରନେଟ୍‍ର ବହୁଳ ବ୍ୟବହାର ଯୋଗୁଁ ଏଭଳି ଅପରାଧ ଘଟୁଥିବାବେଳେ ଏଠାରେ ଲୋକେ କିନ୍ତୁ ସଚେତନ ନୁହନ୍ତି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଅଧିକାଂଶ ଲୋକେ ଆର୍ଥିକ ଠକାମୀର ଶିକାର ହେଉଛନ୍ତି । ଅତ୍ୟଧିକ ଅର୍ଥ ପାଇବାର ଲୋଭ ହେଉ କିମ୍ବା ନିଜର ଅଜ୍ଞତା ଯୋଗୁଁ ହେଉ ଏହି ଶିକ୍ଷିତ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଯାଉଛନ୍ତି ।

ଲୋକଙ୍କ ସଚେତନ କରିବାପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚର ସାଇବର ଅପରାଧ ସେଲ୍‍ ଠାରୁ ଆରମ୍ଭକରି ବ୍ୟାଙ୍କ୍‍ଗୁଡିକ ପକ୍ଷରୁ ବାରମ୍ବାର ବିଭିନ୍ନ ବାର୍ତ୍ତା ଦିଆଯିବା ସତ୍ୱେ ବି ଶିକ୍ଷିତ ଲୋକମାନେ ସଚେତନ ହୋଇପାରୁ ନାହାନ୍ତି । ଫଳରେ ରାଜ୍ୟ ବାହାରର ସାଇବର ଅପରାଧିମାନେ ନିମିଷକ ମଧ୍ୟରେ ବହୁ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡାଇ ନେଇ ଯାଉଛନ୍ତି ।

ତେବେ କ୍ରାଇମ ବ୍ରାଞ୍ଚର ଖୋଲା ଯାଇଥିବା ସାଇବର ପିଟିସନ ସେଲ୍‍ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ୨୦୧୮ ରୁ ଚଳିତବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସାଇବର ଅପରାଧିମାନେ ଲୋକଙ୍କ ଠାରୁ ନେଇଯାଇଥିବା ୧କୋଟି ୪୧ଲକ୍ଷରୁ ଅଧିକ ଟଙ୍କା ଫେରାଇ ଅଣାଯାଇଛି । ଏଥି ସହିତ ସାଇବର ଅପରାଧରେ ଜଡିତ ରାଜ୍ୟ ବାହାରର ଅପରାଧିଙ୍କୁ ମଧ୍ୟ ଧରିବାରେ ପୁଲିସ୍‍ ସଫଳ ହୋଇଛି । ହେଲେ ସାଇବର ଠକେଇର ଶିକାର ହେଉଥିବା ଯେତିକି ଲୋକେ ସାଇବର ଥାନାରେ ପହଞ୍ଚୁଛନ୍ତି ତାହାଠାରୁ ଅଧିକ ମାମଲା ଲୋକଲଜ୍ଜା ଓ ଅନ୍ୟାନ୍ୟ କାରଣରୁ ଆସିପାରୁ ନାହିଁ । (ତଥ୍ୟ)