Home General ସାଇବର ଠକଙ୍କ ନିଶାଣରେ ବିଦ୍ୟୁତ୍‍ ଗ୍ରାହକ

ସାଇବର ଠକଙ୍କ ନିଶାଣରେ ବିଦ୍ୟୁତ୍‍ ଗ୍ରାହକ

ଭୁବନେଶ୍ୱର : ଅନ୍‍ଲାଇନ୍‍ ଲୁଟେରାଙ୍କ ନଜର ଏବେ ରାଜ୍ୟର ବିଦ୍ୟୁତ୍‍ ଗ୍ରାହକଙ୍କ ଉପରେ । ନିୟମିତ ବିଲ୍‍ ପଇଠ କରୁଥିବା କିଛି ଗ୍ରାହକଙ୍କ ନିକଟକୁ ଟଙ୍କା ପଇଠ ହୋଇନଥିବାରୁ ଲାଇନ୍‍ କାଟିଦେବାର ଭୟ ଦେଖାଇ ମେସେଜ ପଠାଉଛନ୍ତି । ଏହି ମେସେଜ୍‍ରେ ଥିବା ଫୋନ୍‍ ନମ୍ବରଟି ସ୍ଥାନୀୟ ବିଦ୍ୟୁତ୍‍ ଅଫିସ୍‍ର ଓ ଦିଆଯାଇଥିବା ଲିଙ୍କ୍‍ରେ ଅର୍ଥ ଆଡଜଷ୍ଟ କରିବାକୁ ପଡିବ ବୋଲି କହୁଛନ୍ତି ।

ଏଭଳି ଠକଙ୍କ ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜଧାନୀର ଜଣେ ବିଦ୍ୟୁତ୍‍ ଗ୍ରାହକ । ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିବା ପ୍ରହଲାଦ ସିଂହଙ୍କ ମୋବାଇଲ୍‍କୁ ଆଜି ସକାଳୁ ଏଭଳି ଗୋଟିଏ ମେସେଜ ଆସିଥିଲା । ଏଥିରେ ଉଲ୍ଲେଖ ଥିଲା ଯେ ଆପଣ ଗତମାସର ବିଲ୍‍ ପଇଠ କରିନାହାନ୍ତି । ତେଣୁ ଆସନ୍ତା କାଲି ସକାଳ ୯.୩୦ ସୁଦ୍ଧା ଆପଣଙ୍କ ବିଦ୍ୟୁତ୍‍ ସଂଯୋଗ ବିଚ୍ଛନ୍ନ ହେବ । ଅଧିକ ବିବରଣୀ ପାଇଁ ଦିଆଯାଇଥିବା ସ୍ଥାନୀୟ ବିଦ୍ୟୁତ୍‍ ଅଫିସର ଫୋନ୍‍ ନମ୍ବରରେ ଯୋଗାଯୋଗ କରନ୍ତୁ । ବିଦ୍ୟୁତ୍‍ ଅଫିସ୍‍ର ଫୋନ୍‍ ନମ୍ବର ଭାବେ ମେସେଜ୍‍ରେ ୮୨୪୯୦୩୬୧୦୪ ନମ୍ବର ଉଲ୍ଲେଖ ଥିଲା ।

ବିଦ୍ୟୁତ୍‍ ବିଚ୍ଛିନ୍ନ ମେସେଜ୍‍ ପାଇଲା ପରେ ଶ୍ରୀ ସିଂହ ବିବ୍ରତ ହେବା ସହିତ ଗତମାସର ପଇଠ ହୋଇଥିବା ବିଲ୍‍ର ରସିଦ ଖୋଜିଥିଲେ । ସେ ମଇ ୧୬ତାରିଖରେ ରାଜ୍ୟ ସରକାରଙ୍କ ‘ଓଡିଶା ୱାନ୍‍’ ପୋର୍ଟାଲ ଜରିଆରେ ବିଲ୍‍ ପଇଠ କରିବା ସହିତ ଏହା ସଫଳ ଭାବେ ଦାଖଲ ହୋଇଥିବାର ରସିଦ୍‍ ପାଇଥିଲେ । ତେଣୁ ଦିଆଯାଇଥିବା ନମ୍ବରଟି ସ୍ଥାନୀୟ ବିଦ୍ୟୁତ୍‍ ଅଫିସ୍‍ର ଭାବି ଫୋନ୍‍ କରିଥିଲେ ।

ସେପଟୁ ଉତ୍ତର ଆସିଥିଲା ଯେ ଆପଣ ପଇଠ କରିଥିବା ଅର୍ଥ ଗତମାସରେ ଆଡଜଷ୍ଟ ହୋଇନାହିଁ । ତେଣୁ ଆପଣଙ୍କ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ ହେବ । ଶ୍ରୀ ସିଂହ ଅର୍ଥ ପଇଠ କରିଥିବା ଓ ରସିଦ୍‍ ତାଙ୍କ ନିକଟରେ ଥିବା କହିବାରୁ ଫୋନ୍‍ ଧରିଥିବା ବ୍ୟକ୍ତିଜଣଙ୍କ କହିଥିଲା ଯେ ତାଙ୍କ ପାଖକୁ ଲାଇନ୍‍ କାଟିବାପାଇଁ ନିର୍ଦ୍ଦେଶ ଆସିଛି । ଯଦି ଆପଣଙ୍କ ଲାଇନ୍‍ ନକାଟିବାକୁ ଚାହୁଁଛନ୍ତି ଓ ଅର୍ଥ ପଇଠ କରିଛନ୍ତି ତେବେ ମେସେଜ ତଳେ ଦିଆଯାଇଥିବା ଲିଙ୍କ୍‍ରେ କ୍ଲିକ୍‍ କରି ନିଜର ବିଲ୍‍କୁ ଆଡଜଷ୍ଟ କରିପାରିବେ । ଏହାକୁ ନିଜେ କରିବାକୁ ପଡିବ ।

ତେବେ ଏଥିରେ ସନ୍ଦେହ ହେବାରୁ ଶ୍ରୀ ସିଂହ ତୁରନ୍ତ ଟିପିସିଓଡିଏଲ୍‍ର ରାଜଧାନୀରେ ଥିବା ଗ୍ରାହକସେବା କେନ୍ଦ୍ରକୁ ଯାଇଥିଲେ । ସେଠାକାର କର୍ମଚାରୀମାନେ ମେସେଜ୍‍ଟିକୁ ଦେଖୁ ଦେଖୁ ଏହା ‘ଫେକ୍‍ ମେସେଜ୍‍’ ଓ ଅନେକ ଗ୍ରାହକଙ୍କ ନିକଟକୁ ସାଇବର ଠକଙ୍କର ଏଭଳି ମେସେଜ ଆସୁଥିବା କହିଥିଲେ । ଏଥି ସହିତ ଏଭଳି ମେସେଜ୍‍ ଆସିଲେ ତୁରନ୍ତ ଟିପିସିଓଡିଏଲ୍‍ର ଗ୍ରାହକସେବା କେନ୍ଦ୍ରକୁ ଫୋନ୍‍ କରିବାକୁ କହିଥିଲେ ।

ତେବେ ଶ୍ରୀ ସିଂହ ଯଦି ବିଦ୍ୟୁତ୍‍ ଅଫିସ୍‍ର କର୍ମଚାରୀ କହି କଥା ହେଉଥିବା ଲୋକର ନିର୍ଦ୍ଦେଶ ଅନୁଯାୟୀ ଲିଙ୍କ୍‍ଟିକୁ ମୋବାଇଲରେ ଖୋଲିଥାନ୍ତେ ତେବେ ଆଖିପିଛୁଳାକେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଡିଯାଇଥାନ୍ତା ବୋଲି ସାଇବର ବିଶେଷଜ୍ଞମାନେ ମତ ଦେଇଛନ୍ତି । ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଚାଲିଥିବାରୁ ଲୋକେ ବିଦ୍ୟୁତ୍‍କାଟ୍‍ ନାଁ ଶୁଣି ଛାନିଆ ହେଉଛନ୍ତି । ତେଣୁ ଏହି ମଉକାରେ ଲାଇନ୍‍ କାଟ୍‍ ମେସେଜ୍‍ ପଠାଇ ଲୋକଙ୍କୁ ଲୁଟିବାପାଇଁ ସାଇବର ଠକମାନେ ଜାଲ ବିଛାଇଥିବା ଜଣାଯାଇଛି । କିଛି ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ୍‍ ବିତରଣ କମ୍ପାନୀ ଓ ସାଇବର ପୁଲିସ୍‍ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । (ତଥ୍ୟ)