Home News in Odia ସାଇବର ଅପରାଧିଙ୍କ ନିଶାଣରେ ଓଡିଶା ମହିଳା

ସାଇବର ଅପରାଧିଙ୍କ ନିଶାଣରେ ଓଡିଶା ମହିଳା

ଭୁବନେଶ୍ୱର : ଓଡିଶାର ଯେତେ ସଂଖ୍ୟକ ମହିଳା ନଗ୍ନ ଚିତ୍ର ଓ ଅଶ୍ଳିଳ ଚଳଚିତ୍ର ଜନିତ ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତାହା ଭାରତରେ ଦ୍ୱିତୀୟ ସର୍ବାଧିକ । ଉତ୍ତରପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛନ୍ତି । କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।

ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ସାଇବର ଅପରାଧ ସଂକ୍ରାନ୍ତରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ମସିହାରେ ସମଗ୍ର ଦେଶରେ ୧୦,୪୦୫ ଜଣ ମହିଳା ବିଭିନ୍ନ ପ୍ରକାର ସାଇବର ଅପରାଧର ଶିକାର ହୋଇଥିଲେ । ଏଥି ମଧ୍ୟରେ ରାଜ୍ୟଗୁଡିକରୁ୧୦,୩୧୧ ଜଣ ମହିଳା ଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳରୁ ୯୪ଜଣ ମହିଳା ଏହି ତାଲିକାରେ ରହିଛନ୍ତି ।

ଏଥିରୁ ଅଧିକ ମହିଳା ସାଇବର ନଗ୍ନଚିତ୍ର ଓ ଅଶ୍ଳିଳ ଚଳଚିତ୍ର ମାମଲାର ସମ୍ମୁଖୀନ ହୋଇଥିଲେ । ଏମାନଙ୍କ ସଂଖ୍ୟା ଦେଶରେ ୧୬୫୫ ଥିବାବେଳେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୩୨୫ ଏବଂ ଓଡିଶାରେ ଏହା ୨୯୨ ରହିଛି । ସେହିଭଳି ବଦନାମ ଘଟଣାରେ ୨୫୧ ମହିଳା ଶିକାର ହୋଇଥିବାବେଳେ ନକଲି ପ୍ରୋଫାଇଲ ଘଟଣାରେ ୩୫୪ ଜଣ ଶିକାର ହୋଇଥିଲେ । ତେବେ ଅନ୍ୟାନ୍ୟ ସାଇବର ଅପରାଧର ଶିକାର ହୋଇଥିଲେ ୭୧୮୪ ଜଣ ।

ଏହି ସମୟରେ ଓଡିଶାର ଜଣେ ମାତ୍ର ମହିଳା ସାଇବର ବ୍ଲାକମେଲିଂର ଶିକାର ହୋଇଥିବାବେଳେ ତେଲଙ୍ଗାନାର ୧୯ ଏବଂ ମହାରାଷ୍ଟ୍ରର ୧୨ଜଣ ମହିଳା ଏହାର ଶିକାର ହୋଇଥିଲେ । ବଦନାମ ଓ ମର୍ଫିଂ ଘଟଣାରେ ଓଡିଶାର ୨୨୦ଜଣ ମହିଳା ଶିକାର ହୋଇଥିଲେ ଯାହାକି ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତୁଳନାରେ ସର୍ବାଧିକ ରେକର୍ଡ ହୋଇଛି । ତେବେ ଅନ୍ୟାନ୍ୟ ସାଇବର ଅପରାଧର ଶିକାର ଓଡିଶାର ମାତ୍ର ୩୪ ଜଣ ମହିଳା ହୋଇଥିଲେ । ତେଣୁ ସେହିବର୍ଷ ଓଡିଶାର ମୋଟ୍‍ ୫୬୦ଣ ମହିଳା ସାଇବର ଅପରାଧର ଶିକାର ହୋଇଥିବାବେଳେ ୨୮୫୯ ଅପରାଧ ସହିତ ଝାଡଖଣ୍ଡ ସବୁଠାରୁ ଆଗରେ ରହିଥିଲା ।

ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ସାଇବର ଅପରାଧ ଓଡିଶାରେ ଢେର କମ୍‍ ରହିଛି । ୨୦୨୦ ରେ ସମଗ୍ର ଦେଶରେ ୧୧୦୨ଜଣ ଶିଶୁ ସାଇବର ଅପରାଧର ଶିକାର ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ମାତ୍ର ୭୧ ରହିଛି । ଏହି ସମସ୍ତ ମାମଲା ଅଶ୍ଳିଳ ଓ ନଗ୍ନଚିତ୍ର ସମ୍ବନ୍ଧୀୟ । ତେବେ ଶିଶୁଙ୍କ କ୍ଷେତ୍ରରେ ସାଇବର ଅପରାଧ ମାମଲା ସଂଖ୍ୟା ସର୍ବାଧିକ ୨୦୭ ମହାରାଷ୍ଟ୍ରରେ ରହିଛି ।

ତେବେ ଅଶ୍ଳିଳ ଓ ନଗ୍ନଚିତ୍ର ଭଳି ସାଇବର ଅପରାଧର ଶିକାର ହେଉଥିବା ଶିଶୁଙ୍କ କ୍ଷେତ୍ରରେ ଉତ୍ତରପ୍ରଦେଶ ବି ଆଗରେ ରହିଛି । ଏଠାରେ ୧୬୧ ଜଣ ଶିଶୁ ଏହି ଧରଣର ସାଇବର ଅପରାଧର ଶିକାର ହୋଇଛନ୍ତି । ସମଗ୍ର ଦେଶରେ ଏହି ସଂଖ୍ୟା ୭୩୮ ରହିଛି । ତେବେ ଇଣ୍ଟରନେଟ୍‍ରେ ଅନ୍‍ଲାଇନ୍‍ ଖେଳ ଭଳି ସାଇବର ଅପରାଧରେ ଓଡିଶାର କୌଣସି ଶିଶୁ ଜଡିତ ନାହାନ୍ତି । ସେହିଭଳି କୌଣସି ଶିଶୁ ମଧ୍ୟ ସାଇବର ବ୍ଲାକମେଲିଂର ଶିକାର ହୋଇନାହାନ୍ତି । (ତଥ୍ୟ)