Home General ସହରୀ ଆବାସ ଯୋଜନାରେ ୧.୩୯ ଲକ୍ଷ ବାସଗୃହ

ସହରୀ ଆବାସ ଯୋଜନାରେ ୧.୩୯ ଲକ୍ଷ ବାସଗୃହ

223
0

ଭୁବନେଶ୍ୱର : ସହରାଞ୍ଚଳ ଗରିବ ମାନଙ୍କ ପାଇଁ ଓଡ଼ିଶା ସହରୀ ଆବାସ ଯୋଜନାରେ ୧,୩୯,୧୪୯ ଟି ଗୃହ ଯୋଗାଇ ଦିଆଯାଇଛି । ବୁଧବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ମଞ୍ଜୁରୀ ଓ ପରିଚାଳନା କମିଟି ବୈଠକରୁ ଏହା ଜଣାପଡ଼ିଛି ।

ବିଭିନ୍ନ ସହରାଞ୍ଚଳରେ ସହରୀ ଆବାସ ଯୋଜନାର ଅଗ୍ରଗତି ସମୀକ୍ଷା କରି ଯାଗା-ମିଶନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଉନ୍ନୟନ କମିଶିନର ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଘର ଡିହ ସହରାଞ୍ଚଳ ଗରିବଙ୍କୁ ଆବାସ ଯୋଗାଣ ଲାଗି ଯୋଗ୍ୟ କରାଇବା ସହ ସେମାନଙ୍କର ଆତ୍ମ ବିଶ୍ୱାସ ଓ ଆତ୍ମସମ୍ମାନ ବଢ଼ାଇବ । ବିଭିନ ସହରରେ ବାସଗୃହ ନିର୍ମାଣ ପାଇଁ ଅଧିକରୁ ଅଧିକ ଯାଗା ଚିହ୍ନଟ କରିବା ସହ ସେ ସବୁକୁ ଜବର ଦଖଲ ମୁକ୍ତ ରଖିବା ପାଇଁ ଶ୍ରୀ ମହାପାତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସହରାଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଙ୍ଗଲ ଅଧିକାର ନିୟମ ବଳରେ ଯାଗା ପାଇବାକୁ ଯୋଗ୍ୟ ବସ୍ତି ବାସିନ୍ଦା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିଢ଼ ଯୋଗାଇବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲେଶଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସହରୀ ଆବାସ ମିଶନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ କହିଥବଲେ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧୪ଟି ସହରାଞ୍ଚଳରେ ୧ଲକ୍ଷ ୩୯ହଜାର ୧୪୯ ବାସହୀନ ପରିବାରଙ୍କ ପାଇଁ ଗୃହ ମଞ୍ଜୁର କରାଯାଇଛି । ସେଥିମଧ୍ୟରୁ ୧ଲକ୍ଷ ୪ହଜାର ୮୩୮ଟି ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଛି ଏବଂ ୫୪ହଜାର ୩୪ଟି ଗୃହ ନିର୍ମାଣ ସରିଛି । ଅବଶିଷ୍ଠ ଗୃହର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି ।

ବିଭିନ୍ନ ସହରାଞ୍ଚଳରୁ ଆସିଥିବା ଆବାସ ଯୋଜନାର ନୂଆ ପ୍ରସ୍ତାବ ଉପରେ ବୈଠକରେ ସବିଶେଷ ଆଲୋଚନା  କରାଯାଇ ୫୨ଟି ସହରାଞ୍ଚଳ ପାଇଁ ପ୍ରାୟ ୨୪,୮୨୮.୦୪ ଲକ୍ଷ ଟଙ୍କା ଅଟକଳରେ ନୂଆ ୮୨୭୩ଟି ଗୃହ ନିର୍ମାଣ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଯୁଗ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର କହିଥିଲେ ଯେ, ପୂର୍ବରୁ ପ୍ରାୟ ୭ହଜାର ଗୃହ ନିର୍ମାଣ ଚୂଡାନ୍ତ ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । ବର୍ତ୍ତମାନର ସୁପାରିଶ ସହ ଅନୁମୋଦନ ମିଳିଲେ ଆହୁରୀ ୧୫ହଜାର ୨୭୩ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯିବ ।

ଏହି ଯୋଜନାରେ ହିତାଧିକାରୀ ନିଜେ ନିଜର ବାସଗୃହ ନିର୍ମାଣ କରନ୍ତି । ପ୍ରାୟ ୨୧ରୁ ୩୧ବର୍ଗ ମିଟର ପରିମିତ ଘର ପାଇଁ ପ୍ରାୟ ୩ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୁଏ । ହିତାଧିକାରୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିତଭାବେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଏ । ହିତାଧିକାରୀ ନିଜର ଅଂଶଧନ ଭାବେ ନିଜର ଶ୍ରମ ଦେଇ ଘର ନିର୍ମାଣ କରିଥାନ୍ତି । ଆବଶ୍ୟକ ହେଲେ ହିତାଧିକାରୀ ନିଜର ଅଂଶଧନ ବ୍ୟାଙ୍କରୁ ଋଣ ଆକାରରେ ଆଣିବାର ବ୍ୟବସ୍ଥା କରାଯାଇଛି ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ବାସଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣପଦ ସେଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ମିଶନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ଯୁଗ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ସମେତ ରାଜ୍ୟ ବ୍ୟାଙ୍କ ସମନ୍ୱୟ ସମିତି ଓ ଓଡ଼ିଶା ସହରାଞ୍ଚଳ ଆବାସ ମିଶନର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
 

LEAVE A REPLY

Please enter your comment!
Please enter your name here