Home Administration ସହରାଞ୍ଚଳ ବିକାଶରେ ଓଡିଶା ରୋଲ ମଡେଲ

ସହରାଞ୍ଚଳ ବିକାଶରେ ଓଡିଶା ରୋଲ ମଡେଲ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା । ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର । ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି । ଏ ଦୃଷ୍ଟିରୁ ଏହାର ସାମଗ୍ରିକ ବିକାଶ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସେ ଗାଁର ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । କ୍ରମବର୍ଦ୍ଧିଷ୍ଣୁ ସହର ଗୁଡିକର ଯୋଜନାବଦ୍ଧ ବିକାଶ ପାଇଁ ଏହା ସଂପୂର୍ଣ୍ଣ ଭାବେ ଏକ ସ୍ବଚ୍ଛ ଓ ବାସ୍ତବବାଦୀ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ ଟାଉନ ପ୍ଲାନିଂ କାର୍ଯ୍ୟକ୍ରମରେ ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ । ଭିତ୍ତିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁ ଜମି ମାଲିକମାନେ ଉପକୃତ ହୁଅନ୍ତି ।

ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ବ ଗ୍ରାମରେ ୪୫ଟି ଟାଉନ ପ୍ଲାନିଂ କରାଯାଇଛି । ପ୍ରାଥମିକଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି । ଏଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସହର ଗୁଡିକ ହେଉଛି ଅର୍ଥନୈତିକ ବିକାଶର ଇଞ୍ଜିନ । ଏହାର ନିରନ୍ତର, ସାମଗ୍ରିକ ବିକାଶ ପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଆର୍ଥିକ ସୁରକ୍ଷାବଳୟ ସୃଷ୍ଟି ସହିତ ବିକାଶ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ।ମତ ଦେଇଥିଲେ ।

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରରେ ଏଭଳି ଅଭନବ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସହରର ଭିତ୍ତିଭୂମି ବିକାଶ ପାଇଁ ଏହି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ କିଶନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।