Home News in Odia ସରୁନି ମିଶ୍ରଣ ପର୍ବ

ସରୁନି ମିଶ୍ରଣ ପର୍ବ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ସରୁନାହିଁ । ପଞ୍ଚାୟତ ଠାରୁ ଦଳୀୟ ମୁଖ୍ୟାଳୟ ପର୍ଯ୍ୟନ୍ତ ନିଇତି ମିଶ୍ରଣପର୍ବ ଚାଲୁଥିବାରୁ ତଳ ସ୍ତରର କର୍ମୀମାନେ ଦ୍ୱନ୍ଦରେ ପଡିବା ସହିତ କାହା ସପକ୍ଷରେ ଯିବେ ତାହା ଜାଣିପାରୁ ନାହାନ୍ତି ।

ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ହେବ । ତେଣୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୫ଦିନ ରହିଛି । ସେହିଭଳି ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨୫ ତାରିଖ ଓ ଶେଷ ପର୍ଯ୍ୟାୟ ପାଇଁ ଜୁନ୍‍ ୧ତାରିଖରେ ଭୋଟ ହେବ । ତେବେ ନିର୍ବାଚନ ପ୍ରଚାର ସହିତ ତାଳ ଦେଇ ଏବେ ବି ମିଶ୍ରଣପର୍ବ ଜାରି ରହିଛି ।

ଗାଁ ଗହଳରେ ନେତାମାନେ ବିଶେଷକରି ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡମେମ୍ବରମାନେ ଜିଲ୍ଲା ସ୍ତରରେ ଦଳ ବଦଳ କରୁଥିବାବେଳେ ଟାଣୁଆନେତାମାନେ ରାଜ୍ୟ କାର୍ଯ୍ୟାଳୟକୁ ଆସି ମନ ପସନ୍ଦର ଦଳରେ ମିଶୁଛନ୍ତି । ମିଶ୍ରଣ ପାଇଁ ଏବେ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗି ରହିଥିବାବେଳେ କଂଗ୍ରେସ ଏହି ଦଉଡରେ ଢେର ପଛରେ ପଡିଯାଇଛି ।

ଯେଉଁସବୁ ନିର୍ବାଚନମଣ୍ଡଳୀରେ ଦଳ ବଦଳକାରୀମାନେ ବିଧାୟକ କିମ୍ବା ସାଂସଦ ଟିକଟ ହାତେଇ ନେଇଛନ୍ତି ସେମାନେ କିଭଳି ପୂର୍ବରୁ ନିଜ ସହିତ ଥିବା କର୍ମୀମାନଙ୍କୁ ଆଣି ନୂଆ ଦଳରେ ମିଶାଇବେ ସେଥିପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ବିଶେଷକରି ନିଜ ସହିତ ଥିବା ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚମାନେ କିଭଳି ଆସିବେ ସେଥିପାଇଁ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରୁଛନ୍ତି । ତେବେ ଦଳ ବଦଳ ପରେ ଟିକଟ ପାଇନଥିବା ନେତା ମଧ୍ୟ ନୂଆ ଦଳରେ ନିଜର ପତିଆରା ଜାହିର ପାଇଁ ପୁରୁଣା ଦଳରୁ ନେତା ଓ କର୍ମୀମାନଙ୍କୁ ଆଣି ନୂଆ ଦଳରେ ମିଶାଇବାରେ ଲାଗିପଡିଛନ୍ତି ।

ତେବେ ଆଉ କିଛି ନେତା ଦଳୀୟ ଟିକଟ ନପାଇ ନିରବ ରହିଥିଲେ ବି ଦଳ ବଦଳକୁ ପ୍ରୋତ୍ସାହତ କରୁଥିବା ଲକ୍ଷ୍ୟ କରାଯାଉଛି । ଦଳୀୟ ଟିକଟ ନପାଇ ଅସନ୍ତୁଷ୍ଟ ହୋଇପଡିଥିବା ଏଭଳି ନେତାମାନେ କୌଣସି କାରଣରୁ ଦଳ ଛାଡିପାରୁନଥିବାବେଳେ ନିଜର ଚେଲା ଚାମୁଣ୍ଡାଙ୍କୁ କିନ୍ତୁ ଅନ୍ୟ ଦଳକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ଏହାଦ୍ୱାରା ନିଜ ଦଳର ନେତାଙ୍କ ଉପରେ ଚାପ ସୃଷ୍ଟି ସହିତ ଅନ୍ୟ ଦଳର ନେତାଙ୍କ ସହିତ ସୁସମ୍ପର୍କ ରକ୍ଷାକରି ପାରୁଛନ୍ତି । ଏଭଳି ନେତା ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏମାନଙ୍କୁ ବୁଝାଇବାପାଇଁ ପାଇଁ ଏବେ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି ।

ଏଭଳି ମିଶ୍ରଣ ପର୍ବ ଯୋଗୁଁ ଗାଁ ଗହଳରେ ଥିବା ଦଳୀୟ କର୍ମୀମାନେ ଅକଳରେ ପଡିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ କାଳେ ସେମାନଙ୍କ ନେତା ଦଳ ବଦଳ କରିଦେବେ ତେଣୁ ବିଭିନ୍ନ ସଭା ଶୋଭାଯାତ୍ରାରେ ଯାଇ ଚିହ୍ନା ପଡିବାକୁ ଅନେକ ରାଜି ହେଉନାହାନ୍ତି । ମିଶ୍ରଣ ପର୍ବ ଯେଭଳି ଚାଲିଛି ଓ ନେତାମାନେ ଏହା ଯେଭଳି ଉପରେ ଗୁରୁତ୍ୱ ଦେଉଛନ୍ତି, ଅନ୍ତିମ ପର୍ଯ୍ୟାୟ ପ୍ରଚାର ଶେଷ ପର୍ଯ୍ୟନ୍ତ ତାହା ଜାରି ରହିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି । (ତଥ୍ୟ)