Home General ସରକାରୀ ୱେବସାଇଟରେ ସମାନତା ରହୁନି

ସରକାରୀ ୱେବସାଇଟରେ ସମାନତା ରହୁନି

ଭୁବନେଶ୍ୱର : ସରକାରୀ ବିଭାଗ ଗୁଡିକର ୱେବସାଇଟରେ ସମାନତା ରହୁନାହିଁ । କେଉଁଠି ବିଭାଗୀୟ ମନ୍ତ୍ରୀଙ୍କ ଫଟୋ ରହୁନାହିଁ ତ ଆଉ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ଲାଗୁନାହିଁ । ବିଭାଗଗୁଡିକ ନିଜ ଇଚ୍ଛାରେ ୱେବସାଇଟ୍‍ ପ୍ରସ୍ତୁତ କରୁଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ରାଜ୍ୟ ସରକାରଙ୍କର ନିଜସ୍ୱ ପୋର୍ଟାଲ ଥିବାବେଳେ ଏଥିରେ ପ୍ରତ୍ୟେକ ବିଭାଗର ୱେବସାଇଟ୍‍ ରହିଛି । ହେଲେ ପ୍ରାୟ ୧୦ଟି ବିଭାଗର ୱେବସାଇଟ୍‍ର ଢାଞ୍ଚା ଭିନ୍ନ ଭିନ୍ନ ରହିଥିବା ଜଣାଯାଇଛି । ଏହାର ଗୋଟିଏ ଉଦାହରଣ ହେଉଛି ଜଙ୍ଗଲ ଓ ପରିବେଶ ବିଭାଗର ୱେବସାଇଟ୍‍ରେ ବିାଭଗୀୟ ମନ୍ତ୍ରୀଙ୍କ ଫଟୋ ନାହିଁ । ସେହିଭଳି ସାଧାରଣ ପ୍ରଶାସନ ବିଭାଗ ୱେବସାଇଟ୍‍ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନଥିବାବେଳେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‍ରେ ବିଭାଗୀୟ ସଚିବଙ୍କ ଫଟୋ ସ୍ଥାନରେ କଳା ଚିତ୍ରଟିଏ ରହିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୂଳ ୱେବସାଇଟ୍‍ ବୋଲି ଯାହା ଦେଖିବାକୁ ମିଳୁଛି ସେଥିରେ ଏବେ ବି ସଚିବଙ୍କ ସ୍ଥାନରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଫଟୋ ଓ ନାଁ ରହିଛି । ବିଭାଗର ଦୁଇଟି ୱେବସାଇଟ୍‍ରେ ଦୁଇ ଜଣ ସଚିବ ରହିଥିବା ଦେଖିବାକୁ ମିଳୁଛି । ଏଭଳି ଅସମାନତା ପ୍ରାୟ ଦଶଟି ୱେବସାଇଟ୍‍ରେ ଥିବା ଜଣାପଡିଛି ।

ରାଜ୍ୟ ସରକାରଙ୍କ ଅଧିନରେ ବୈଷୟିକ ସଂସ୍ଥା ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ (ଓକାକ) ଥିବାବେଳେ ଏଠାରେ କେନ୍ଦ୍ର ସରକାରଙ୍କ ନେସନାଲ ଇନଫର୍ମେସନ ସେଣ୍ଟର (ଏନ୍‍ଆଇସି) ରହିଛି । ଏହି ଦୁଇ ସଂସ୍ଥା ଜରିଆରେ କେତେକ ବିଭାଗ ୱେବସାଇଟ୍‍ ତିଆରି କରିଥିବାବେଳେ କେତେକ ବିଭାଗ ବାହାର ସଂସ୍ଥାଙ୍କ ଜରିଆରେ ଏହା ତିଆରି କରିଛନ୍ତି । ଫଳରେ ଠିକଣା ସମୟରେ କେତେବ ବିଭାଗର ୱେବସାଇଟ୍‍ ଅପଡେଟ୍‍ ହୋଇପାରୁନଥିବାବେଳେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଫଟୋ ରହିବାରେ ମଧ୍ୟ ସମାନତା ରହିପାରୁ ନାହିଁ ।

ଆଇଟି ବିଶେଷଜ୍ଞଙ୍କ ମତରେ ଘରୋଇ ସଂସ୍ଥା ହାତରେ ସରକାରୀ ୱେବସାଇଟ୍‍ ପ୍ରସ୍ତୁତ କରିବା ସୁରକ୍ଷା ଦୃଷ୍ଟିରୁ ଆଦୌ ସମିଚୀନ ନୁହେଁ । କାରଣ ସରକାରୀ ସଂସ୍ଥାମାନେ ଯେଭଳି ନିୟମିତ ଭାବେ ସାଇବର ଅଡିଟ୍‍ କରିଥାନ୍ତି ଘରୋଇ ସଂସ୍ଥାମାନେ ତାହା କରିନଥାନ୍ତି ।

ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଓକାକ୍‍ ଓ କେନ୍ଦ୍ର ସରକାରଙ୍କ ଏନ୍‍ଆଇସି ଭଳି ସଂସ୍ଥା ଥିବାବେଳେ ସରକାରୀ ବିଭାଗ ଓ ସରକାରୀ ସଂସ୍ଥାମାନେ କାହିଁକି ଘରୋଇ ସଂସ୍ଥାଙ୍କ ଜରିଆରେ ନିଜସ୍ୱ ୱେବସାଇଟ୍‍ ପ୍ରସ୍ତୁତ କରୁଛନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହା ଫଳରେ କେବଳ ଅର୍ଥ ଅପଚୟ ହେଉନାହିଁ ରାଜ୍ୟ ସରକାରଙ୍କ ସୂଚନାଗୁଡିକ ଅସୁରକ୍ଷିତ ହୋଇ ପଡୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)