Home Administration ସରକାରୀ ଭତ୍ତା ପାଇଁ ମୃତ୍ୟୁ ପ୍ରମାଣପତ୍ର ଲୋଡାନାହିଁ

ସରକାରୀ ଭତ୍ତା ପାଇଁ ମୃତ୍ୟୁ ପ୍ରମାଣପତ୍ର ଲୋଡାନାହିଁ

ଭୁବନେଶ୍ୱର : ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତାଟିଏ ପାଇବା ଲାଗି ବିଧବାମାନଙ୍କୁ ସରକାରଙ୍କଠାରୁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଆଣି ଦାଖଲ କରିବା ଆବଶ୍ୟକ ନାହିଁ । ସ୍ୱାମୀଙ୍କ ମୃତ୍ୟୁ ହୋଇଛି ବୋଲି ସେ ନିଜେ ଏକ ଘୋଷଣାପତ୍ର ଦେବେ ଓ ଏହାକୁ ସ୍ଥାନୀୟ ବ୍ଲକ୍‍, ପଞ୍ଚାୟତ କିମ୍ବା ପୌରସଂସ୍ଥା ଅଧିକାରୀ ତଦାରଖ କରି ସମ୍ମତି ପ୍ରଦାନ କଲେ ଉକ୍ତ ମହିଳାଙ୍କୁ ଭତ୍ତା ମିଳିବ । ରାଜ୍ୟ ସରକାର ୨୦୧୯ ମସିହାରେ ଏ ସଂକ୍ରାନ୍ତୀୟ ସଂକଳ୍ପ ଜାରି କରିଥିଲେ ମଧ୍ୟ ଗାଁ ଗହଳର ଅନେକ ବିଧବା ଏବେ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ସମସ୍ୟା ଯୋଗୁଁ ଭତ୍ତାରୁ ବଞ୍ôଚତ ହେଉଛନ୍ତି ।

କେବଳ ବିଧବା ନୁହନ୍ତି, ସ୍ୱାମୀ ପରିତ୍ୟକ୍ତା ଓ ଛାଡପତ୍ର ପାଇଥିବା ମହିଳାମାନେ ମଧ୍ୟ ଅନୁରୂପ ଭାବେ ପ୍ରମାଣପତ୍ର ଦେଇ ଭତ୍ତା ପାଇପାରିବେ ବୋଲି ସରକାରୀ ସଂକଳ୍ପରେ ଉଲ୍ଲେଖ ଅଛି । ସେହିଭଳି ଭତ୍ତା ପାଇବା ଲାଗି ଆବଶ୍ୟକ ହେଉଥିବା ଆୟ ପ୍ରମାଣପତ୍ର ମଧ୍ୟ ଦେବାରେ ବହୁ କୋହଳ ବ୍ୟବସ୍ଥା ରହିଛି । ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟକ୍ତା ଓ ବିଧବାମାନେ ଯଦି ଆୟକର ଦେଉଥିବା କିମ୍ବା ସରକାରୀ ଚାକିରି କରିଥିବା ଅଥବା ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ପରିବାରର ସଦସ୍ୟ ହୋଇନଥିବେ, ତେବେ ସେମାନଙ୍କୁ ଆୟର ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ ।

ହେଲେ ଗାଁ ଗହଳରେ ଏବେ ସାମାଜିକ ନିରାପତ୍ତା ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ମଧୁବାବୁ ପେନସନ ଆଦି ସହାୟତା ପାଇବା କ୍ଷେତ୍ରରେ ଆୟ ପ୍ରମାଣପତ୍ର ଓ ମୃତ୍ୟୁ ପ୍ରମାଣ ପତ୍ର ଆଦି ବାଧକ ସାଜିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‍ କୋଡିପସା ପଞ୍ଚାୟତର କୁଣ୍ଢେଇ ଗ୍ରାମର ଜଣେ ଆଦିବାସୀ ମହିଳା ସୁମିତ୍ରା ବାସ୍କେ ୩ ବର୍ଷ ଧରି ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଦେଇପାରି ନଥିବାରୁ ଭତ୍ତାରୁ ବଞ୍ôଚତ ହୋଇଥିଲେ । ବ୍ଲକ୍‍ ଓ ଜିଲ୍ଲାସ୍ତରରେ ଥିବା ଅଧିକାରୀଙ୍କୁ ବାରମ୍ବାର ଦେଖା କରି ବିଫଳ ହେବା ଯୋଗୁଁ ତାଙ୍କ ଆବେଦନଟି ଲୋକସେବା ଭବନରେ ଆସି ପହଞ୍ôଚବା ପରେ ସରକାର ୨୦୧୯ରେ ଜାରି କରିଥିବା ଏହି ସଂକଳ୍ପକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ସରକାର ସ୍ପଷ୍ଟ ଭାବେ ମୃତ୍ୟୁ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର କ୍ଷେତ୍ରରେ ନୂତନ ସଂକଳ୍ପ ଜାରି କରିଥିବା ବେଳେ ଜିଲ୍ଲାସ୍ତରର ଅଧିକାରୀମାନେ କିନ୍ତୁ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି । ୩ ବର୍ଷ ଧରି ଜଣେ ବିଧବା ମହିଳାଙ୍କୁ ଭତ୍ତାଟିଏ ଦେବା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଆଣିବାକୁ କହିବା ଏଥିରୁ ସ୍ପଷ୍ଟ ହେଉଛି । କେବଳ ଆଦିବାସୀ ମହିଳା ବାସ୍କେ ନୁହନ୍ତି, ଏହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶହ ଶହ ଆବେଦନକାରୀ ଆୟ ପ୍ରମାଣପତ୍ର, ମୃତ୍ୟୁ ପ୍ରମାଣପତ୍ର ଓ ଛାଡପତ୍ର ପ୍ରମାଣପତ୍ର ଯୋଗାଡ କରିପାରି ନଥିବାରୁ ସରକାରୀ ସହାୟତାଟିଏ ପାଇପାରୁ ନାହାନ୍ତି । ତେଣୁ ରାଜ୍ୟ ସରକାର ୨୦୧୯ରେ ଜାରି କରିଥିବା ଏହି ସଂକଳ୍ପ ସଂକ୍ରାନ୍ତରେ ପୁନର୍ବାର ବ୍ଲକସ୍ତରର ଅଧିକାରୀମାନଙ୍କୁ ସଚେତନ କରିବା ଲାଗି ମତପ୍ରକାଶ ପାଉଛି । (ତଥ୍ୟ)