Home Energy ସରକାରୀ ଦପ୍ତରରେ ୨୪୨କୋଟିର ବିଜୁଳି ବାକି

ସରକାରୀ ଦପ୍ତରରେ ୨୪୨କୋଟିର ବିଜୁଳି ବାକି

ଭୁବନେଶ୍ୱର : ସରକାରୀ କାର୍ଯ୍ୟାଳୟଗୁଡ଼ିକ ଠିକଣା ସମୟରେ ବିଜୁଳି ବିଲ୍‍ ପୈଠ ନ କରିବାରୁ ସେମାନଙ୍କ ଉପରେ ୨୪୨ କୋଟି ୨୫ ଲକ୍ଷ ଟଙ୍କା ବାକିଆ ଗଡ଼ୁଛି । ଏମାନଙ୍କ ମଧ୍ୟରେ ବିଦ୍ୟାଳୟଠାରୁ ଆରମ୍ଭ କରି ପୌରସଂସ୍ଥା ପର୍ଯ୍ୟନ୍ତ ସବୁ ଦପ୍ତର ରହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ବାକିଆ ଅର୍ଥ ଦେବା ପାଇଁ ଅର୍ଥ ବିଭାଗ ପକ୍ଷରୁ ବିଭାଗଗୁଡ଼ିକୁ ତାଗିଦା କରାଯିବା ସହିତ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଲ୍‍ ପୈଠ ଲାଗି କୁହାଯାଇଛି । ଏହି ସୂଚନାନୁଯାୟୀ ପଞ୍ଚାୟତିରାଜ ବିଭାଗ ଉପରେ ଚଳିତବର୍ଷ ଜାନୁଆରୀ ସୁଦ୍ଧା ୨୫ କୋଟି ୩୯ ଲକ୍ଷ ଟଙ୍କା ବାକି ପଡ଼ିଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ଉପରେ ୧୧ କୋଟି ୧୬ ଲକ୍ଷ ୭୧ହଜାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୭ କୋଟି ୮୪ହଜାର, ଗ୍ରାମ୍ୟ ବିଭାଗ ଉପରେ ୪ କୋଟି ୫୭ ଲକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପରେ ୪ କୋଟି ୩୪ ଲକ୍ଷ, ଗୃହ ବିଭାଗ ଉପରେ ୨ କୋଟି ୨୨ ଲକ୍ଷ ଟଙ୍କା ବାକି ପଡ଼ିଛି ।

ସବୁଠାରୁ କମ୍‍ କୃଷି ଓ କୃଷକ କଲ୍ୟାଣ ବିଭାଗ ଉପରେ ୫ ହଜାର ଟଙ୍କାର ବାକିଆ ଗଡ଼ୁଥିବା ବେଳେ ସାଧାରଣ ଅଭିଯୋଗ ଓ ପେନସନ୍‍ ପ୍ରଶାସନ ବିଭଗ ଉପରେ ୧୮ ହଜାର, ଯୋଜନା ଓ ସଂଯୋଜନ ବିଭାଗ ଉପରେ ୩୬ହଜାର ଟଙ୍କା ବାକି ରହିଛି । ଉଚ୍ଚଶିକ୍ଷା ବିଭାଗ ଉପରେ ୧ କୋଟି ୬୧ ଲକ୍ଷ ଟଙ୍କାର ବିଜୁଳି ବିଲ୍‍ ବାକି ଗଡ଼ୁଛି ।

ରାଜ୍ୟରେ ବିଭିନ୍ନ ବିଭାଗ ଅଧିନରେ ଥିବା ୪୩,୧୧୬ଟି ସରକାରୀ ଦପ୍ତର ଉପରେ ୨୪୨ କୋଟି ଟଙ୍କାର ବିଜୁଳି ବିଲ୍‍ ବାକି ଗଡ଼ୁଥିବା ବେଳେ ସେମାନଙ୍କ ବିରୁଦ୍ଧରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏଣେ ଅର୍ଥ ଆଦାୟ ନ ହେବାରୁ ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିଜର କ୍ଷତି ଦର୍ଶାଇ ଏହାର ଭରଣା ପାଇଁ ସରକାରଙ୍କ ନିକଟରେ ହାତ ପାତୁଛନ୍ତି । ବିଶେଷକରି ଗ୍ରୀଡ୍‍କୋଠାରୁ ଖରିଦ୍‍ କରୁଥିବା ବିଜୁଳି ଦେୟ ସେମାନେ ଠିକଣା ସମୟରେ ଦେଇପାରୁନାହାନ୍ତି ।

ସାଧାରଣ ଖାଉଟିଙ୍କଠାରୁ ବିଜୁଳ ବିଲ୍‍ ଆଦାୟ ପାଇଁ ଏବେ ବିତରଣ କମ୍ପାନୀମାନେ ମାଇକ୍‍ ଲଗାଇ ତାଗିଦା କରୁଥିବା ବେଳେ ସରକାରୀ ବିଭାଗ ଉପରେ କୋଟି କୋଟି ଟଙ୍କାର ବାକି ଗଡ଼ିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିତରଣ କମ୍ପାନୀଠାରୁ ଆରମ୍ଭ କରି ଗ୍ରୀଡ୍‍କୋ ପର୍ଯ୍ୟନ୍ତ ସମସ୍ତେ ନିଜର କ୍ଷତି ଦର୍ଶାଇ ବିଜୁଳି ଦର ବଢ଼ାଇବାକୁ ଚାପ ପକାଉଥିବା ବେଳେ ସରକାରୀ ବିଭଗରୁ ଅର୍ଥ ଆଦାୟ ନ କରିବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।