Home Administration ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଋଣ ସୁବିଧା

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଋଣ ସୁବିଧା

ଭୁବନେଶ୍ୱର : ଘର ତିଆରି ଓ ଗାଡି ମୋଟର କିଣିବାପାଇଁ ସରକାରୀ କର୍ମଚାରୀମାନେ ଏଣିକି ସହଜରେ ଋଣ ପାଇ ପାରିବେ । ଏଥିପାଇଁ ସେମାନଙ୍କୁ ସରକାର କମ୍‍ ସୁଧରେ ଦୀର୍ଘମିଆଦୀ ଋଣ ଯୋଗାଇଦେବେ ।

ପୁରୁଣା ପେନ୍‍ସନ ଯୋଜନାରେ ଅର୍ନ୍ତଭୁକ୍ତ ଥିବା କର୍ମଚାରୀମାନେ ପୂର୍ବରୁ ଏହି ଋଣ ପାଉଥିଲେ ମଧ୍ୟ ୨୦୦୫ରେ ରାଜ୍ୟ ସରକାର ନୂଆ ପେନ୍‍ସନ ଯୋଜନା ଲାଗୁ କରିବାପରେ ଯେଉଁମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ ସେମାନଙ୍କୁ ଘରତିଆରି ଓ ଗାଡି କିଣା ପାଇଁ ରାଜ୍ୟ ସରକାର ଋଣ ଦେଉନଥିଲେ । ଏ ସଂକ୍ରାନ୍ତରେ କର୍ମଚାରୀ ମହଲରୁ ବାରମ୍ବାର ଦାବି ଉଠୁଥିଲା ।

ଇତି ମଧ୍ୟରେ ଅର୍ଥ ବିଭାଗ ଏହି ପ୍ରସଙ୍ଗ ତର୍ଜମା କରି ନୂଆ ପେନ୍‍ସନ ଯୋଜନା ପ୍ରଚଳନ ପରେ ଯେଉଁମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ଓଡିଶା ସରକାର ଘର ତିଆରି ଓ ମୋଟରଯାନ ଆଦି କିଣିବାପାଇଁ ଦୀର୍ଘମିଆଦୀ ଅଗ୍ରିମ ଦେବାକୁ ବ୍ୟବସ୍ଥା କରିଛନ୍ତି । କରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ବିପର୍ଯ୍ୟସ୍ତ ହେଉଥିବାବେଳେ ବ୍ୟାଙ୍କ୍‍ମାନେ ଏହି ସମସ୍ତ ପ୍ରକାର ଋଣ ଦେବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବାବେଳେ ଚଢା ଦରରେ ସୁଧ ମଧ୍ୟ ଆଦାୟ କରୁଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସରକାରୀ କର୍ମଚାରୀମାନେ ସହଜରେ ଓ ସୁବିଧାରେ ଋଣ ପାଇପାରିବା ସଂଗେ ସଂଗେ ଅଳ୍ପ ସୁଧ ହାରରେ ଋଣ ମଧ୍ୟ ସହଜରେ ପରିଶୋଧ କରିପାରିବେ ।

ରାଜ୍ୟ ସରକାରଙ୍କର ରାଜସ୍ୱ ଆୟ ଅହେତୁକ ପରମାଣରେ ବୃଦ୍ଧି ହୋଇଥିବା ଯୋଗୁଁ ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ଫଳରେ ବଜାରକୁ ଅଧିକ ଅର୍ଥ ଯାଇପାରିବ । କାରଣ ଲୋକେ ଘର ତିଆରି କଲେ ସେହି ଅର୍ଥ ବିଭିନ୍ନ ଘରତିଆରି କିଣା ସାମଗ୍ରୀରେ ବ୍ୟବହାର ହୋଇପାରିବ ଏବଂ ଶ୍ରମିକମାନେ ମଧ୍ୟ କାମ ପାଇବେ ।

କରୋନା କାଳରେ ଗୃହ ନିର୍ମାଣ ଧିମେଇ ଯାଇଛି । କାରଣ ବ୍ୟାଙ୍କ୍‍ମାନେ ସହଜରେ ଋଣ ଦେଉ ନାହାନ୍ତି । ଏହା ଫଳରେ ବଜାରକୁ ଅଧିକରୁ ଅଧିକ ଅର୍ଥ ଆସିପାରିବ ଏବଂ ଉଭୟ ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ଉପକୃତ ହୋଇପାରିବେ । ସରକାରଙ୍କର ଏଭଳି ନିଷ୍ପତ୍ତିକୁ କର୍ମଚାରୀ ମହଲରୁ ସ୍ୱାଗତ କରାଯାଇଛି । (ତଥ୍ୟ)