Home Finance ସରକାରୀ ଉଦ୍ୟୋଗର ଲାଭ ୩୨୮୯ କୋଟି

ସରକାରୀ ଉଦ୍ୟୋଗର ଲାଭ ୩୨୮୯ କୋଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅତି କମ୍‍ରେ ୨୨ଟି ସରକାରୀ ଉଦ୍ୟୋଗ ୨୦୨୧-୨୨ ବର୍ଷରେ ମୋଟ୍‍ ୩୨୮୯.୫୮ କୋଟି ଟଙ୍କାର ଲାଭ କରିଛନ୍ତି । ଭାରତର ମହା ଲେଖାକାର (ସିଏଜି) ତାଙ୍କର ସର୍ବଶେଷ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ।

ସିଏଜି ଦର୍ଶାଇଛନ୍ତି ଯେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୬୪ଟି ସରକାରୀ କମ୍ପାନୀ , ୩ଟି ନିଗମ, ୧୫ଟି ସରକାରୀ ନିୟନ୍ତ୍ରିତ କମ୍ପାନୀ ସହିତ ମୋଟ୍‍ ୮୨ଟି ରାଜ୍ୟ ସ୍ତରୀୟ ଉଦ୍ୟୋଗ ରହିଛି । ୬୪ଟି ସରକାରୀ କମ୍ପାନୀ ମଧ୍ୟରୁ ୮ଟି ଶକ୍ତି ଏବଂ ୫୬ଟି ଅଣଶକ୍ତି ସଂସ୍ଥା ରହିଛି । ଏହି ୫୬ଟି ଅଣ ଶକ୍ତି କମ୍ପାନୀ ମଧ୍ୟରୁ ୨୬ଟି ଅଚଳ ଅବସ୍ଥାରେ ରହିଛି । ତେଣୁ ମୋଟାମୋଟି ୪୨ଟି ରାଜ୍ୟ ସ୍ତରୀୟ ଉଦ୍ୟୋଗ ରାଜ୍ୟରେ କାର୍ଯ୍ୟକ୍ଷମ ରହିଛନ୍ତି ।

ଏଥି ମଧ୍ୟରେ ଥିବା ୩୨ଟି ସରକାରୀ କମ୍ପାନୀ ଓ ଉଦ୍ୟୋଗ ମଧ୍ୟରୁ ୨୨ଟି ୨୦୨୧-୨୨ ବର୍ଷରେ ୩୨୮୯.୫୮ କୋଟି ଟଙ୍କାର ଲାଭ କରିଛନ୍ତି । ୨୦୨୦-୨୧ ବର୍ଷରେ ୨୨ଟି ଉଦ୍ୟୋଗର ଲାଭ ପରିମାଣ ଥିଲା ୧୯୩୭.୭୨ କୋଟି ଟଙ୍କା ।

ଓଡିଶା ଖଣି ନିଗମ (ଓଏମ୍‍ସି) ସର୍ବାଧିକ ୨୭୩୧.୭୨ କୋଟି ଟଙ୍କାର ଲାଭ ପ୍ରଦାନ କରିଛନ୍ତି । ଏହା ପଛକୁ ରହିଛି ଓଡିଶା ଜଳ ବିଦ୍ୟୁତ୍‍ ଉତ୍ପାଦନ ନିଗମ । ଏହି ନିଗମ ୧୮୦.୬୪ କୋଟି ଟଙ୍କା ଲାଭ କରିଛି । ଓପିଟିସିଏଲ୍‍ ୬୧.୬୭ କୋଟି ଟଙ୍କା ଲାଭ କରିଥିବାବେଳେ ଓଡିଶା କୋଲ୍‍ ଏବଂ ଶକ୍ତି ନିଗମ ନିଗମ ୧୫୮.୨୭ କୋଟି ଟଙ୍କାର ଲାଭ ପାଇଛି ।

ସେହିଭଳି ୧୦ଟି ସରକାରୀ କମ୍ପାନୀ ୨୦୨୧-୨୨ରେ କ୍ଷତି ସହିଛନ୍ତି । ସେହିବର୍ଷ ଏହି କମ୍ପାନୀମାନେ ୨୪୨୩.୧୦ କୋଟି ଟଙ୍କାର କ୍ଷତି ସହିଥିବାବେଳେ ୨୦୨୦-୨୧ ବର୍ଷରେ ଏହି କ୍ଷତି ୩୪୧୪.୮୮ କୋଟି ଟଙ୍କା ଥିଲା । ୨୪୨୩.୧୦ କୋଟି ଟଙ୍କାର କ୍ଷତି ସହିଥିବା କମ୍ପାନୀ ମଧ୍ୟରେ ରହିଛନ୍ତି ଗ୍ରିଡ୍‍କୋ, ଓପିଜିସି ଓ ଓମ୍ବାଡକ ଲିଭିଟେଡ ଭଳି ସଂସ୍ଥା ଯେଉଁଗୁଡିକ ଶକ୍ତି ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନରେ ରହିଛନ୍ତି ।

୨୦୨୧-୨୨ରେ ଗ୍ରିଡ୍‍କୋର କ୍ଷତି ୪୪୦.୧୮ କୋଟି ଟଙ୍କା ହୋଇଛି । ଯାହାର ପ୍ରମୁଖ କାରଣ ରହିଛି ଚଢା ଦରରେ ବିଜୁଳି ଖରିଦ କରିବା । ଅନୁରୂପ ଭାବେ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଓପିଜିସି ୧୦୨.୮୩ କୋଟି ଟଙ୍କାର କ୍ଷତି କରିଛି । ଓମ୍ବାଡକର କ୍ଷତି ହେଉଛି ୧୮୧୮.୩୮ କୋଟି ଟଙ୍କା ହୋଇଛି । ଏହାର ପ୍ରମୁଖ କାରଣ ହେଉଛି ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟ ।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୧ଟି ସରକାରୀ କମ୍ପାନୀ ଏବଂ ନିଗମର ମୋଟ କ୍ଷତି ୯୦୨୦.୬୫ କୋଟି ଟଙ୍କାରେ ପହଞ୍ଚିଛି । ୧୧ଟି ସରକାରୀ କମ୍ପାନୀ ମଧ୍ୟରୁ ୬ଟି କମ୍ପାନୀ ୨୦୨୧-୨୨ ବର୍ଷରେ ୪୯୭.୭୦ କୋଟି ଟଙ୍କାର କ୍ଷତି ସହିଥିବାବେଳେ ୫ଟି କମ୍ପାନୀ ୨୦୨୧-୨୨ ବର୍ଷରେ ଆଦୌ କ୍ଷତି କରିନାହାନ୍ତି । ଯଦିଓ ଏହି ୫ଟି କମ୍ପାନୀର କ୍ଷତି ୨୪୦.୩୧ କୋଟି ଟଙ୍କା ହୋଇଛି । (ତଥ୍ୟ)