Home General ସରକାରଙ୍କୁ ମାମଲାରେ ଛନ୍ଦୁଛନ୍ତି ଜବରଦଖଲକାରୀ

ସରକାରଙ୍କୁ ମାମଲାରେ ଛନ୍ଦୁଛନ୍ତି ଜବରଦଖଲକାରୀ

ଭୁବନେଶ୍ୱର : ରାଜଧାନୀରେ ସରକାରୀ ଜମିକୁ ଜବରଦଖଲ କରୁଥିବା ଲୋକେ ସରକାରଙ୍କୁ ମାମଲାରେ ଛନ୍ଦୁଥିବା ଯୋଗୁଁ ସେମାନଙ୍କ ଠାରୁ ଜବରଦଖଲ ଜମି ଫେରାଇ ଆଣିବା ସହଜ ହେଉନାହିଁ । ଏହି ଜବରଦଖଲକାରୀମାନଙ୍କୁ ଦେଖି ଅନ୍ୟମାନେ ବି ସରକାରୀ ଜମି ମାଡି ବସୁଛନ୍ତି ।

ସରକାରୀ ହିସାବରେ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ୪୭୦ଏକରରୁ ଅଧିକ ଜମି ଜବରଦଖଲରେ ରହିଛି । ଏଥି ମଧ୍ୟରେ ବାପୁଜୀନଗର ଠାରୁ ଆରମ୍ଭକରି ଶହୀଦନଗର ଓ ପଟିଆ ଆଦି ଅଞ୍ଚଳ ରହିଛି । ଜମି ଜବରଦଖଲକାରୀମାନେ ସରକାରଙ୍କ ବିରୁଦ୍ଧରେ ୧୦ହଜାରରୁ ଅଧିକ ମାମଲା ରୁଜୁ କରିଛନ୍ତି ।

ଅଦାଲତରେ ମାମଲା ଥିବାରୁ ଅନେକ ସରକାରୀ ଜମିକୁ ଜବରଦଖଲକାରୀମାନଙ୍କୁ ହଟାଯାଇ ପାରୁନାହିଁ । ଓଲଟା ସରକାର ମାମଲା ଲଢି ରାଜକୋଷରୁ ଅର୍ଥ ଖର୍ଚ୍ଚ କରିବାରେ ଲାଗିଛନ୍ତି । ବର୍ଷ ବର୍ଷ ଧରି ମାମଲା ଚାଲିଛି । ଜବରଦଖଲ ସରକାରୀ ଜମି ଉପରେ ଲୋକେ କୋଠାବାଡି କରି ତାହାକୁ ଭଡା ଲଗାଉଛନ୍ତି ଓ ସେହି ଭଡା ଟଙ୍କାରେ ସରକାରଙ୍କ ବିରୁଦ୍ଧରେ ମାମଲା ଲଢୁଛନ୍ତି ।

ସରକାରୀ ଜମିକୁ ସୁରକ୍ଷା ଦେବା ସହିତ ଜବରଦଖଲକାରୀଙ୍କୁ ହଟାଇବାପାଇଁ ବିଡିଏ, ବିଏମ୍‍ସି ଓ ସାଧାରଣ ପ୍ରଶାସନ ବିଭାଗର ନିଜସ୍ୱ ସ୍କ୍ୱାଡ୍‍ ରହିଥିବାବେଳେ ଏମାନେ କିନ୍ତୁ ସେତେଟା ସଫଳ ହେଉନାହାନ୍ତି । କାଁ ଭାଁ କେଉଁଠି ବସ୍ତି ଉଚ୍ଛେଦ କରି ନିଜର ସଫଳତା ବଖାଣୁଥିବାବେଳେ ଅଦାଲତର ଦ୍ୱାହି ଦେଇ ମୂଲ୍ୟବାନ ସରକାରୀ ଜମି ଫେରାଇ ଆଣିପାରୁ ନାହାନ୍ତି ।

ତେବେ ରାଜଧାନୀବାସୀଙ୍କ କହିବାକଥା ହେଉଛି ଏହି ମୂଲ୍ୟବାନ ଜମି ଜବରଦଖଲ ପାଇଁ ସରକାରଙ୍କର ଏହି ତିନି ସଂସ୍ଥା ହିଁ ବହୁ ପରିମାଣରେ ଦାୟୀ । ଯେତେବେଳେ ସରକାରୀ ଜମି ଉପରେ ନିର୍ମାଣ ହେଲା ସେତେବେଳେ ଏମାନେ ସବୁ ଦେଖି ନଦେଖିଲା ଭଳି ରହିଲେ । ଥରେ ଘର କିମ୍ବା ଦୋକାନ ଘର ହେଲାପରେ ତାହାକୁ ମାଲିକାନାକୁ ନେଇ ଜବରଦଖଲକାରୀମାନେ ସରକାରଙ୍କ ବିରୁଦ୍ଧରେ ଅଦାଲତରେ ମାମଲା ଠୁଙ୍କି ରହିତାଦେଶ ଆଣିଲେ । ଯାହାର ଫଳ ଏବେ ସରକାରଙ୍କୁ ଭୋଗିବାକୁ ପଡୁଛି ।

ଏଭଳି ଜବରଦଖଲକୁ ହଟାଇବାରେ ସରକାରୀକଳର ବିଫଳତାକୁ ଦେଖି ଏବେ ରାଜଧାନୀର ବିଭିନ୍ନ ୱାର୍ଡରେ ଜମି ମାଫିଆମାନେ ରାସ୍ତାକଡ, ସରକାରୀ କ୍ୱାଟର୍ସ ପଛ କନଜରଭେନ୍ସି, ବିଦ୍ୟାଳୟ ଖେଳପଡିଆ, ବିଭିନ୍ନ ସରକାରୀ ସଂସ୍ଥାର ଜମି, କଲେଜ ପାଚେରୀ ପାଶ୍ୱର୍ ଆଦିକୁ ରାତାରାତି ଦଖଲ କରିନେଉଛନ୍ତି । କିଏ ଦୋକାନ କରି ଭଡା ଲଗାଉଛି ତ ଆଉ କିଏ ଘର କରି ବିକ୍ରି କରିଦେଉଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହିସବୁ ବେଆଇନ୍‍ ଜବରଦଖଲ ଓ ନିର୍ମାଣ ସ୍ଥାନକୁ ଅତି ସହଜରେ ବିଦ୍ୟୁତ୍‍୍‍ ଓ ପାଣି ସଂଯୋଗ ମିଳିଯାଉଛି । ଯେତେବେଳେ ଜବରଦଖଲ ହଟାଇବାକୁ ସରକାରଙ୍କ ନିଦ ଭାଙ୍ଗୁଛି ସେତେବେଳେ କେଉଁଠି ବସ୍ତି ବାସିନ୍ଦା ତ ଆଉ କେଉଁଠି ବ୍ୟବସାୟୀମାନେ ଏକାଠି ହୋଇ ପୁଲିସ୍‍ ଓ ଉଚ୍ଛେଦକାରୀଦଳକୁ ମାରି ଗୋଡାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଲୋକସେବଭବନ ଓ ରାଜଭବନ ଆଖପାଖରେ ଥିବା ଜବରଦଖଲକାରୀଙ୍କୁ ବି ସରକାରୀକଳ ହଟାଇ ପାରୁନାହିଁ । ଏହା ଉପରେ ରୋକ ନଲାଗିଲେ ଆଗାମୀ ଦିନରେ ସରକାରଙ୍କ ବିରୁଦ୍ଧରେ ମାମଲା ସଂଖ୍ୟା ବଢିବା ସହିତ ସରକାରଙ୍କ ହାତରୁ ବହୁ ମୂଲ୍ୟବାନ ଜମି ବି ଖସିଯିବ । (ତଥ୍ୟ)