Home Covid ସମସ୍ୟା ବଢ଼ାଇପାରେ ଜାଲ୍‍ କୋଭିଡ୍‍ ରିପୋର୍ଟ

ସମସ୍ୟା ବଢ଼ାଇପାରେ ଜାଲ୍‍ କୋଭିଡ୍‍ ରିପୋର୍ଟ

85
0

ଭୁବନେଶ୍ୱର : ରେଳ ଓ ବିମାନ ଯାତ୍ରା ପାଇଁ ଆର୍‍ଟିପିସିଆର୍‍ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଜାଲ୍‍ ରିପୋର୍ଟ ଦେଖାଇ ଅନେକ ଯାତ୍ରୀ ଯାତାୟାତ କରୁଥିବାରୁ କରୋନା ସଂକ୍ରମଣ ସମ୍ଭାବନା ବଢ଼ୁଛି । ତେବେ ସରକାର ସୀମିତ ସଂଖ୍ୟକ ବିମାନ ଓ ରେଳ ଚଳାଚଳ କରାଉଥିବା ବେଳେ ଏଭଳି ଜାଲିଆତି ଘଟଣା ସୁସ୍ଥ ଯାତ୍ରୀ ଓ ସେମାନଙ୍କ ପରିବାରଙ୍କ ମଧ୍ୟରେ ଆତଙ୍କ ଖେଳାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ବିମାନ ବନ୍ଦରରେ ପ୍ରବେଶ ବେଳକୁ ୪୮ ଘଣ୍ଟା ପୂର୍ବର କରୋନା ଆର୍‍ଟିପିସିଆର୍‍ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ୁଛି । ଯେଉଁମାନଙ୍କର ରିପୋର୍ଟରେ ପଜିଟିଭ୍‍ ଥିବ ସେମାନଙ୍କୁ ବିମାନ ବନ୍ଦର ଭିତରେ ପଶିବାକୁ ବି ଅନୁମତି ଦିଆଯାଉନାହିଁ । କେବଳ ନେଗେଟିଭ୍‍ ରିପୋର୍ଟଧାରୀମାନଙ୍କୁ ବିମାନ ବନ୍ଦର ଭିତରକୁ ଛଡ଼ାଯାଉଛି ଏବଂ ଅନ୍ୟାନ୍ୟ ଯାଞ୍ଚ ପ୍ରକ୍ରିୟା ପରେ ସେମାନେ ବିମାନ ଯାତ୍ରା କରିପାରୁଛନ୍ତି । ରେଳ ଯାତ୍ରା କ୍ଷେତ୍ରରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି ।

ଗତବର୍ଷ ସାରା ଦେଶରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଜାରି କରାଯାଇଥିଲା ବେଳେ ରେଳ, ଟ୍ରେନ୍‍ ସମେତ ବସ୍‍ ଓ ଅନ୍ୟାନ୍ୟ ଯାନବାହାନରେ ଯାତ୍ରା ସମ୍ପୂର୍ଣ୍ଣ ନିଷିଦ୍ଧ ଥିଲା । ତେବେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‍ ଓ ଅନ୍ୟ କେତେକ ଅନୁମତିପ୍ରାପ୍ତ ବ୍ୟବସ୍ଥା ଭିତରେ କଡ଼ା କଟକଣାରେ ସ୍ୱତନ୍ତ୍ର ଯାତ୍ରା ଲାଗି ଅନୁମତି ମିଳିଥିଲା । ସେତେବେଳେ ଯେଉଁମାନେ ବିମାନ ଓ ରେଳରେ ଆସିଥିଲେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ୁଥିଲା । ଏଥିପାଇଁ ପଞ୍ଚାୟତଠାରୁ ରାଜଧାନୀ ପର୍ଯ୍ୟନ୍ତ ଚାରିଆଡ଼େ ସଙ୍ଗରୋଧ କେନ୍ଦ୍ରମାନ ଖୋଲା ଯାଇଥିଲା ।

ଏବେ ଯେଉଁମାନେ ଜରୁରୀ କାର୍ଯ୍ୟରେ ବିମାନ କି ରେଳ ଯାତ୍ରା କରୁଛନ୍ତି ସେମାନଙ୍କ ଭିତରୁ ଯେଉଁମାନେ ତୁରନ୍ତ ଟିକେଟ୍‍ କରୁଛନ୍ତି ସେମାନେ ହଠାତ୍‍ ନିଜର କରୋନା ସମ୍ପର୍କିତ ଆର୍‍ଟିପିସିଆର୍‍ ଟେଷ୍ଟ କରାଇ ସାର୍ଟିଫିକେଟ୍‍ ଆଣିବାକୁ ସମୟ ପାଉନାହାନ୍ତି । ତେଣୁ କେତେକ କ୍ଷେତ୍ରରେ ଅସଲ ରିପୋର୍ଟ ଦେଖି କମ୍ପ୍ୟୁଟରରେ ନକଲି ରିପୋର୍ଟ ପ୍ରସ୍ତୁତ କରାଯାଇ ଏମାନଙ୍କ ବିମାନ ଓ ରେଳ ଯାତ୍ରା ପାଇଁ ବ୍ୟବସ୍ଥା ହୋଇପାରୁଛି ।

ସେହିପରି ପ୍ରବାସରେ ରହୁଥିବା ଯେଉଁ ବ୍ୟକ୍ତିମାନେ କରୋନା ସନ୍ଦେହ କରୁଛନ୍ତି କିମ୍ବା ଅଳ୍ପ ଆକ୍ରାନ୍ତ ଅଛନ୍ତି ସେମାନଙ୍କ ଭିତରୁ ଅନେକ ନିଜ ନିଜର କରୋନା ପଜିଟିଭ୍‍ ରିପୋର୍ଟକୁ ଜାଲ୍‍କରି ନେଗେଟିଭ୍‍ ରିପୋର୍ଟ ପ୍ରସ୍ତୁତ ପରେ ଯାତାୟାତ କରୁଥିବା ଘେନି ଅଭିଯୋଗ ହେଉଛି । ଏହାଫଳରେ ବିମାନ ଓ ରେଳ ଯାତ୍ରା ବି ଦିନକୁ ଦିନ ସୁସ୍ଥ ଯାତ୍ରୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିବା ବିମାନଯାତ୍ରୀମାନେ ସ୍ୱୀକାର କରୁଛନ୍ତି ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏଭଳି ଘଟଣା ସତ ହୋଇଥିଲେ ଅତି ସାଙ୍ଘାତିକ । ତେବେ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ମଧ୍ୟ ଏଭଳି ଜାଲ୍‍ ଟିକେଟ୍‍ ପ୍ରତି କର୍ତ୍ତୃପକ୍ଷ ସଜାଗ ରହିବାକୁ ମତ ଦେଉଛନ୍ତି । ଏବେ କରୋନାରଦ ଦ୍ୱିତୀୟ ଲହରରେ ଓଡ଼ିଶା ସମେତ ସାରା ଦେଶ କଲବଲ ହେଉଥିବା ବେଳେ ହାଲୁକା ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ରୁ ବର୍ତ୍ତିବା ପାଇଁ ବି ଜାଲ୍‍ ପରିଚୟ ପତ୍ର ପ୍ରସ୍ତୁତ ଘଟଣାରେ ନିକଟରେ କମିଶନରେଟ୍‍ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।(ତଥ୍ୟ)

LEAVE A REPLY

Please enter your comment!
Please enter your name here