Home Administration ସମସ୍ତ ଯୋଗ୍ୟ ଚାଷୀଙ୍କୁ ପଞ୍ଜିକୃତ କର

ସମସ୍ତ ଯୋଗ୍ୟ ଚାଷୀଙ୍କୁ ପଞ୍ଜିକୃତ କର

ଭୁବନେଶ୍ୱର : ୨୦୨୦-୨୧ ଖରିଫ୍‌ ଋତୁରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀମାନଙ୍କର ସଠିକ୍‌ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ଖରିଫ୍‌ ଋତୁରେ କୌଣସି ପ୍ରକୃତଚାଷୀ ଯେପରି ଅନ୍‌ଲାଇନ୍‌ ଧାନକିଣା ପ୍ରକ୍ରିୟାରେ ଧାନ ବିକ୍ରୀ କରିବାକୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପୂର୍ଣ୍ଣ ସଜାଗ ରହିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଧାନକ୍ରୟ ପାଇଁ ଚାଷୀ ପଂଜୀକରଣ ଅଗ୍ରଗତି ବିଷୟ ସମୀକ୍ଷାକରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଚାଷୀ ପଂଜୀକରଣ ଏବଂ ଧାନକ୍ରୟ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଜିଲ୍ଲାଓ୍ୱାରୀ ପଂଜୀକରଣ ବ୍ୟବସ୍ଥା ସମୀକ୍ଷାକରି କ୍ଷେତ୍ର-ସତ୍ୟାପନ ନିମନ୍ତେ ଆବଶ୍ୟକ ସଂଖ୍ୟାରେ ମିଳିତ ଟିମ୍‌ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତି କରଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସମବାୟ ଏବଂ ଜଳ ସଂପଦ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀ ମାନଙ୍କୁ ସାମିଲ୍‌ କରି ଟିମ୍‌ ଗଠନ କରିବା ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଟିମ୍‌ମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କର ସବିଶେଷ ତଥ୍ୟ, ଚାଷ ହୋଇଥିବା ଜମିର କାଗଜପତ୍ର, କିସମ, ଧାନ ଚାଷର ଆକାର, ଜଳସେଚନ ଉତ୍ସ, ଚାଷୀଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ, ମୋବାଇଲ୍‌ ନମ୍ବର ଆଦି ତନଖି କରି ଅନ୍‌-ଲାଇନ୍‌ ବ୍ୟବସ୍ଥାରେ ସଠିକ୍‌ ଭାବେ ପଂଜୀକରଣ ତଥ୍ୟପନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ସାଟେଲାଇଟ୍‌ ତଥ୍ୟ ମାଧ୍ୟମରେ ଧାନ ଚାଷର ସତ୍ୟାପନ ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହା ଫଳରେ ସମସ୍ତ ପ୍ରକୃତଚାଷୀ ନିଜ ନିଜ ଉତ୍ପାଦିତ ଧାନ ବିକ୍ରୀ ପାଇଁ ସୁଯୋଗ ପାଇବା ସହ ସମ୍ଭାବ୍ୟ ମଧ୍ୟସ୍ଥ ବେପାରୀଙ୍କୁ ବାଦ ଦିଆଯାଇ ପାରିବ ।

 ଚାଷ ବିଷୟ ସତ୍ୟାପନ ପରେ ସଂପୃକ୍ତ ଚାଷୀଙ୍କୁ ପଂଜୀକରଣ ତଥ୍ୟ ଜଣାଇ ଦିଆଯିବ । ଚାଷୀ-ମାନଙ୍କର ଅଭିଯୋଗର ଶୁଣାଣୀ ସହ ସେସବୁର ଆଶୁ ସମାଧାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ଯେ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଫୋନ୍‌ ଯୋଗାଯୋଗ ରେକଡିଂ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୧୯୬୭ ଟୋଲ୍‌ଫ୍ରି ନମ୍ବର ସ୍ଥାପନ କରାଯାଇଛି । କଲ୍‌ସେଣ୍ଟର ର କ୍ଷମତା ବୃଦ୍ଧିକରି ଏହି ନମ୍ବରରେ ଅଧିକ ଫୋନ୍‌ ସଂଯୋଗ କରାଯିବ ଯେପରିକି ଏକ ସମୟରେ ଅଧିକ ଚାଷୀ ଧାନବିକ୍ରୀ ସମ୍ବନ୍ଧୀତ ଅଭିଯୋଗ ଓ ଅସୁବିଧା ବିଷୟ ଫୋନ୍‌ରେ ଜଣାଇ ପାରିବେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ଆଗାମୀ ଖରିଫ ଧାନ ସଂଗ୍ରହ ନିମନ୍ତେ ୧୫ ଜୁଲାଇରୁ ଚାଷୀ ମାନଙ୍କୁ ଫର୍ମ ବଣ୍ଟନ ଆରମ୍ଭ ହୋଇଛି । ଚଳିତ ବର୍ଷ ପୁରୁଣା ପଂଜୀକରଣ ନବୀକରଣ ନହୋଇ ସଂପୂର୍ଣ୍ଣ ନୂଆ ପଂଜୀକରଣ ହେବ । ଅଗଷ୍ଟ ୧୬ ତାରିଖ ସୁଦ୍ଧା ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କରେ ଫର୍ମ ଦାଖଲ ଏବଂ ପଂଜୀକରଣ ହେବ । ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ମିଳିତ-ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବେ ।

୧୮ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ କୃଷି ସମବାୟ ସମିତି ମାନେ ସତ୍ୟାପିତ ତଥ୍ୟ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଅପ୍‌ଡେଟ୍‌ କରିବେ । ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଧାନ ବିକ୍ରୟ କରିବାକୁ ଇଚ୍ଛୁକ ଚାଷୀ ମାନଙ୍କର ମାଷ୍ଟର୍‌ ତାଲିକା ପ୍ରସ୍ତୁତ ହେବ ।

ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ଜଣାଇଥିଲେ ଯେ ୨୦୨୦-୨୧ ଖରିଫ୍‌ ଋତୁରେ ପ୍ରାୟ ୧୭.୩୧ ଲକ୍ଷ ଚାଷୀ ପଂଜୀକୃତ ହୋଇଥିଲେ । ସେମାନଙ୍କ ଠାରୁ ପ୍ରାୟ ୭୭.୩୩ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ୨୦୨୧-୨୨ ଖରିଫ୍‌ ଋତୁ ପାଇଁ ୨୮୫୭ ଟି ସୋସାଇଟି ମାଧ୍ୟମରେ ଚାଷୀ ପଂଜୀକରଣ ଆରମ୍ଭ ହୋଇଛି । ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧.୭୪ ଲକ୍ଷ ଚାଷୀ ନିଜର ନାମ ପଂଜୀକରଣ କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ନିର୍ଦ୍ଦେଶ ଏମ୍‌. ମୁଥୁକୁମାର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ପୃଷ୍ଟିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲା ସମ୍ବନ୍ଧୀୟ ସତ୍ୟତନ ତଥ୍ୟ ଜଣାଇଥିଲେ ।