Home News in Odia ସମସ୍ତ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା

ସମସ୍ତ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ସମେତ ଭାରତବର୍ଷର ୯ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଭଳି ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ପଠାଉଥିବା ସମସ୍ତ ଯୋଗ୍ୟଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଲେଖାଏଁ ସହାୟତା ଟଙ୍କା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ସୁଶାସନ ଦିବସ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଆଲୋଚନାରେ ଜଗତସିଂହପୁର ଏରସମା ଜପାରୁ ସାମିଲ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ସୁଶାସନ ଏବଂ ଦାୟିତ୍ୱ ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ ମସିହାରୁ ମୋଦି ସରକାରଙ୍କ ମାର୍ଗଦର୍ଶକ ।

ଅଟଳଜୀଙ୍କୁ ପାଥେୟ କରି ଆଜି ପ୍ରଧାନମନ୍ତ୍ରୀ ଭାରତବର୍ଷର ୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮ହଜାର କୋଟି ଟଙ୍କା ପଠାଇ ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ଯେତେ ମଧ୍ୟ ଯୋଗ୍ୟଚାଷୀଙ୍କ ତାଲିକା ପଠାଇବେ,ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ବାର୍ଷିକ ୬ ହଜାର ଲେଖାଏଁ ଟଙ୍କା ବ୍ୟାଙ୍କ୍ ଖାତାକୁ ପଠାଯିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି ।

ଆଧୁନିକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଶାସନର ପରିଚୟ ଦେଇ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବାର ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଯୋଗ୍ୟ ଚାଷୀମାନଙ୍କର ତାଲିକା ପଠାଇନପାରିବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ପଠାଇବା ପାଇଁ କହିଥିବା ବେଳେ କାଳିଆ ଟଙ୍କା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ମୋଦି ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନାରେ ଜରିଆରେ ମୋଟ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ନୂଆ କୃଷି ଆଇନରେ ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ମାତ୍ର ଦେଶ ଏବଂ ରାଜ୍ୟରେ ଲମ୍ବା ସମୟ ଧରି ଶାସନରେ ଥିବା ସତ୍ୱେ ଚାଷୀଙ୍କ ପ୍ରତି ଅବହେଳା କରିଥିବା ଏବଂ ପ୍ରଜାତନ୍ତ୍ରରେ ପରାସ୍ତ ହୋଇ ବାହାରେ ଥିବା ବ୍ୟକ୍ତିମାନେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶାକୁ ମୋଦି ସରକାର ବିୁଳ ଅର୍ଥ ଦେଉଥିବା ବେଳେ ଏହାର ବାଟମାରଣା ହେଉଛି ।

ଏହାର ସବୁ ଜବାବ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇ ପ୍ରାକୃତିକ ବିର୍ଯ୍ୟୟରେ ପ୍ରଭାବିତ କଚ୍ଛକୁ ଭାରତବର୍ଷର ୧୦ଟି ଅଗ୍ରଣୀ ଜିଲ୍ଲା ଭାବେ ସ୍ଥାପିତ କରିଛନ୍ତି । ଏହା ହିଁ ସୁଶାସନର ପରିଚୟ । ମାତ୍ର ମାତ୍ର ଏଠାରେ ଗୋଟିଏ ଦଳ ଦୀର୍ଘ ଦିନ ଶାସନ କ୍ଷମତା ରହିବା ପରେ ମଧ୍ୟ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛି । ଏହା କଣ ସୁଶାସନର ପରିଚୟ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

ଉଲ୍ଲେଖନୀୟ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର କିସ୍ତି ଚାଷୀଙ୍କୁ ପ୍ରଦାନ କରିବା ଅବସରରେ ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଜଗତସିଂହପୁର ଏରସମା ବ୍ଲକ ଜପାରେ ଓ ସ୍ଥାନୀୟ ଜନସାଧାରଣ ଓ ଦଳର କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।