Home News in Odia ସମସ୍ତେ ଦେଖିବେ ନେତା ଓ ବାବୁଙ୍କ ସମ୍ପତ୍ତି

ସମସ୍ତେ ଦେଖିବେ ନେତା ଓ ବାବୁଙ୍କ ସମ୍ପତ୍ତି

ଭୁବନେଶ୍ୱର : ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଠାରୁ ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକାକୁ ସାଧାରଣ ଲୋକେ ଦେଖିପାରିବେ । ଏମାନେ ପ୍ରତିବର୍ଷ ନିଜ ନିଜର ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ଅବଗତି ପାଇଁ ୱେବସାଇଟ୍‍ରେ ଦେବା ସହିତ ଏହାର ନକଲ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବେ ।

ବିଜେଡି ରାଜ୍ୟ ପରିଷଦ ବୈଠକ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦୁର୍ନୀତି ହେଉଛି ସବୁଠାରୁ ବଡ ଶତ୍ରୁ । ଏହାର ମୂଳତ୍ପୋଟାନ ନକଲେ ଆଗକୁ ବଢିବା ଅସମ୍ଭବ । ଦୁର୍ନୀତି ବିରୁଦ୍ଧରେ ବିଜେଡି ସବୁବେଳେ କଠୋର ପଦକ୍ଷେପ ଗ୍ରହଣ କରିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତି ବିରୋଧରେ ଆମର ସାଲିସବିହୀନ ଲଢ଼େଇ ହିଁ ଆମ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି । ଦୁର୍ନୀତି ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ବା ଦୁର୍ନୀତିରେ ଲିପ୍ତମାନଙ୍କର ସମ୍ପତ୍ତିର ବ୍ୟାଜ୍ୟାପ୍ତି । ଏ ସବୁଥିରେ ଆମ ରାଜ୍ୟ ହିଁ ସବୁଠାରେ ଆଗରେ ଅଛି । ଏକ ଦୃଢ଼ ଲୋକାୟୁକ୍ତ ଗଠନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି ।

ଦୁର୍ନୀତି କରୁଥିବା କର୍ମଚାରୀମାନେ ଯେତେ ଉଚ୍ଚ ପଦବୀରେ ଥାଆନ୍ତୁ ବା କାହିଁକି, ସେମାନଙ୍କ ବିରୋଧରେ ଆମେ ସବୁବେଳେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଆସିଛୁ । ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରୀରୁ ବରଖାସ୍ତ ମଧ୍ୟ କରାଯାଉଛି । ଗତ ବର୍ଷକ ମଧ୍ୟରେ ଆମେ ୯୧ ଜଣ ଦୁର୍ନୀତିରେ ଲିପ୍ତ ଅଫିସରଙ୍କୁ ଚାକିରୀରୁ ବରଖାସ୍ତ କରିଛୁ । ପେନସନ୍ ବନ୍ଦ କରିଛୁ । ଆମେ ଆଗକୁ ଏ ଲଢ଼େଇକୁ ଆହୁରି ଜୋରଦାର କରିବୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ।

ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ସ୍ଥାନ ସଂରକ୍ଷଣ ରଖିବାକୁ ବିଜୁ ଜନତା ଦଳ ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ଦିଆଯାଇଛି ।