Home Covid ସମସ୍ତଙ୍କୁ ମାଗଣାରେ ଟିକା

ସମସ୍ତଙ୍କୁ ମାଗଣାରେ ଟିକା

ଭୁବନେଶ୍ୱର : ରାଜ୍ୟର ଯୁବଗୋଷ୍ଠିକୁ ଟିକା ପ୍ରଦାନ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅବସାନ ଘଟିଛି । ୧୮ରୁ ୪୪ ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ ସରକାର ମାଗଣାରେ ଟିକା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।

ମଇ ପହିଲାରୁ ଏହି ବର୍ଗଙ୍କ ପାଇଁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାବେଳେ ଏମାନଙ୍କୁ ମାଗଣାରେ ଟିକା ମିଳିବ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । କାରଣ ଇତି ମଧ୍ୟରେ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ଓ ସିରମ ଇନଷ୍ଟିଟ୍ୟୁଟ ସରକାରୀ ଓ ଘରୋଇ କ୍ଷେତ୍ର ଲାଗି ସେମାନଙ୍କର ଟିକାର ଦାମ ଘୋଷଣା କରିଛନ୍ତି ।

ତେବେ ଇତି ମଧ୍ୟରେ ଦେଶର ପ୍ରାୟ ୮ଟି ରାଜ୍ୟ ସେମାନଙ୍କ ନାଗରିକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିବା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଥିଲା । ବିରୋଧିଦଳଗୁଡିକ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରିଥିଲେ ।
ତେବେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଟିକା ଯୋଗାଇବେବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହି ଚର୍ଚ୍ଚାରେ ଏକ ପ୍ରକାର ବିରାମ ଲାଗିଛି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବହୁବିଧ ରୋଗରେ ପୀଡିତ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ପୁଲିସ୍‍ଙ୍କ ଭଳି କରୋନା ଲଢେଇରେ ସାମିଲ ଥିବା ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷ ବୟସରୁ ଉର୍ଧବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନା ଗୁଡିକରେ ମାମଣାରେ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୟସ ସୀମା ୪୫ବର୍ଷକୁ ହ୍ରାସ ପାଇଥିଲା ।

ଏହାପରେ ମଇ ପହିଲାରୁ ୧୮ବର୍ଷରୁ ଉର୍ଧ ବ୍ୟକ୍ତି ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆକଳନ ଅନୁଯାୟୀ ଆମ ରାଜ୍ୟର ପ୍ରାୟ ୨କୋଟି ବ୍ୟକ୍ତି ଏହି ବର୍ଗରେ ଆସୁଛନ୍ତି । ତେଣୁ ମାଗଣା ଟିକାକରଣ ବାବଦରେ ସରକାର ପାଖାପାଖି ୨୦୦୦ କୋଟି ଟଙ୍କା ବ୍ୟୟକରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଟିକାକରଣ ସହିତ ଦ୍ୱିତୀୟ ଲହର କରୋନାର ଭୟାବହତା ଦୃଷ୍ଟିରୁ ଲୋକେ ନିଜର ସୁରକ୍ଷା କରିବାପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ସହିତ ସର୍ବଦା ମାସ୍କ ପରିଧାନ ପାଇଁ ପରାମର୍ଶ ଦେଇଛନ୍ତି ।

ଇତି ମଧ୍ୟରେ ରାଜ୍ୟ ସରକାର ୧୦ଲକ୍ଷ ୩୪ହଜାର ଡୋଜ୍‍ କୋଭାକ୍ସିନ ଓ ୩କୋଟି ୭୭ଲକ୍ଷ ଡୋଜ୍‍ କୋଭିସିଲ୍ଡ ଟିକା ପାଇଁ ବରାଦ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍‍ ଟିକା ପ୍ରଦାନକୁ ଦୃଷ୍ଟିରେ ରଖି ଏହି ବରାଦ ଦିଆଯାଇଛି ।