Home General ସମଲେଇ ପ୍ୟାକେଜ ଅନୁମୋଦନ

ସମଲେଇ ପ୍ୟାକେଜ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି । ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ସମଲେଶ୍ୱରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପିଢି ମନେରଖିବେ । ଏହା ସହିତ ପ୍ରକଳ୍ପକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ୱରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ପାଇଁ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ କାର୍ଯ୍ୟ ପାଇଁ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଜାରି ରହିଛି । ଆବଶ୍ୟକସ୍ଥଳେ ଲୋକଙ୍କ ମତାମତା ଅନୁଯାୟୀ ଏହାକୁ ଆହୁରି ଆକର୍ଷଣୀୟ କରାଯିବ । ସମ୍ପୂର୍ଣ୍ଣ ସମଲେଇ ଯୋଜନାକୁ ମଇ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ Right to Fair Compensation and transparency of land acquisition, rehabilitation and resettlement Act 2013 ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ମନ୍ଦିରର ପୂଜାରୀମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ । ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦରଠାରୁ କମ୍ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ପୂଜାରୀମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ । ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ । ଯେଉଁ ପୂଜାରୀମାନଙ୍କର ଘର ନଥିବ, ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ ।

ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକମାନଙ୍କଠାରୁ ଜମିକୁ ସିଧାସଳଖ କିଣାଯିବ । କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ । ଉଚ୍ଛେଦପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସମ୍ପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ ।

ଛୋଟ ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ । ଏହାସହିତ ଲୋକଙ୍କ ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ । ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାରଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ । ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ ।

ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ, ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା ଏବଂ ଅନ୍ୟସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ । ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ । ଉଠାଦୋକାନୀମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ୍‍ ଭେଣ୍ଡିଂ ପ୍ଲାନ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ ।

ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟଗୁଡିକ ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ । ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଏକ ସମ୍ପୂର୍ଣ୍ଣ ଥଇଥାନ ଯୋଜନା କରାଯିବ । ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏଥିରେ ଧନ୍ଦାମୂଳକ ଟ୍ରେନିଂ, ଆର୍ଥିକ ସହାୟତା, ସ୍ୱାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ ଏମବିପିୱାଇ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ । ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ।

ଏହି ଆଲୋଚନାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।