Home Judiciary ସମବାୟ ସମିତିରେ କେନ୍ଦ୍ର ହସ୍ତକ୍ଷେପ କରିପାରିବନି

ସମବାୟ ସମିତିରେ କେନ୍ଦ୍ର ହସ୍ତକ୍ଷେପ କରିପାରିବନି

ଭୁବନେଶ୍ୱର : ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସମବାୟ ସମିତି ପ୍ରସଙ୍ଗ ରାଜ୍ୟ ତାଲିକାଭୁକ୍ତ ଥିବାବେଳେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣବେଳେ ନବଗଠିତ ସମବାୟ ମନ୍ତ୍ରାଳୟର ଦାୟିତ୍ୱ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦିଆଯାଇଥିବାବେଳେ ଏକ ପୁରୁଣା ମାମଲାରେ ସୁପ୍ରିମ୍‍କୋର୍ଟ ଏବେ ଏହା ପୁଣିଥରେ ସ୍ପଷ୍ଟ କରିଦେଇଛନ୍ତି । ଫଳରେ ରାଜ୍ୟଗୁଡିକର ସମବାୟ ସମିତି ବ୍ୟାପାରରେ କେନ୍ଦ୍ର ହସ୍ତକ୍ଷେପ ବଢିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହା ଦୂରେଇ ଯାଇଛି ।

କେନ୍ଦ୍ର ସରକାର ସମ୍ବିଧାନର ୯୭ତମ ସଂଶୋଧନ ଆଇନ୍‍ ଆଧାରରେ ସମବାୟ ସମିତିକୁ ନବମ (ଖ) ଅନୁଚ୍ଛେଦରେ ସ୍ଥାନିତ କରିଥିଲେ । ଏହା ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭକରି ୨୦୧୨ ମସିହାରେ ଭାରତ ସରକାରଙ୍କ ଗେଜେଟ ବିଜ୍ଞପ୍ତିରେ ପ୍ରକାଶିତ ହୋଇଥିଲା । ଏହି ଆଇନ୍‍ ପ୍ରଣୟନ ପୂର୍ବରୁ ରାଜ୍ୟଗୁଡିକର ସମବାୟ ବିଭାଗ ମନ୍ତ୍ରୀମାନଙ୍କର ଏକ ବୈଠକରେ ଏ ପ୍ରସଙ୍ଗରେ ବି ପ୍ରସ୍ତାବ ପାରିତ ହୋଇଥିଲା । ତେବେ ଏହି ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟକ ରାଜ୍ୟ ସରକାରମାନଙ୍କ ସମ୍ମତି ନିଆଯାଇ ନଥିଲା ।

ଏହାର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଗୁଜୁରାଟ ହାଇକୋର୍ଟରେ କେତେକ ମାମଲା ରୁଜୁ ହୋଇଥିଲା ଏବଂ ଗୁଜୁରାଟ ହାଇକୋର୍ଟ ୯୭ତମ ସମ୍ବିଧାନ ସଂଶୋଧନକୁ ଅଣସାମ୍ବିଧାନିକ ଦର୍ଶାଇଥିଲେ । ଏହା ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଥିଲେ । ସୁପ୍ରିମ୍‍କୋର୍ଟରେ ଏକ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲା ଏବେ ଫଏସଲା ହୋଇଛି ।

ସୁପ୍ରିମ୍‍କୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି ଯେ ବ୍ରିଟିଶ ସରକାରଙ୍କ ସମୟରେ ୧୯୦୪ ମସିହାରେ ପ୍ରଣୟନ କରାଯାଇଥିବା ସମବାୟ ସମିତି ଆଇନ୍‍ ଦେଶରେ ସମବାୟ ଆନ୍ଦୋଳନକୁ ଏକ ନୂଆ ଧାରା ଦେଇଥିଲା । ସମ୍ବିଧାନର ୪୩ଧାରା ଅନୁଯାୟୀ ରାଜ୍ୟ ସମବାୟ ସମିତିଗୁଡିକୁ ପ୍ରୋତ୍ସାହିତ କରେ । ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଥିବା ୨୪୬ଧାରାରେ କେଉଁ ବିଷୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ ତାହା ସ୍ପଷ୍ଟଭାବେ ଉଲ୍ଲେଖ ରହିଛି । ଏଥିରେ ସମବାୟ ସମିତି ବ୍ୟାପାରଟି ରାଜ୍ୟ ତାଲିକାଭୁକ୍ତ ରହିଛି ।

ସୁପ୍ରିମ୍‍କୋର୍ଟର ଦୁଇଜଣ ବିଚାରପତି ଆର.ଏଫ.ନରିମାନ ଓ ବି.ଆର.ଗଭାଇ ଗୁଜୁରାଟ ହାଇକୋର୍ଟ ରାୟକୁ ଆଂଶିକ ଭାବେ କାଏମ ରଖି ଏହି ସମ୍ବିଧାନ ସଂଶୋଧନ କେବଳ ଦେଶରେ ଥିବା ମଲ୍ଟି ଷ୍ଟେଟ୍‍ କୋପରେଟିଭ ସୋସାଇଟିଗୁଡିକ ପ୍ରତି ଲାଗୁ ହେବ ବୋଲି ଉଲ୍ଲେଖ କରିଛନ୍ତି । ତେବେ ଏହି ତିନି ଜଣିଆ ଖଣ୍ଡପୀଠର ଅନ୍ୟଜଣେ ବିଚାରପତି କେ.ଏମ.ଜୋସେଫ ଭିନ୍ନମତ ପ୍ରକାଶ କରି ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସମ୍ପୂର୍ଣ ଭାବେ କାଏମ ରଖି କେନ୍ଦ୍ର ସରକାରଙ୍କ ଆବେଦନଗୁଡିକୁ ଖାରଜ କରିଦେଇଛନ୍ତି ।

ଚଳିତମାସ ୨୦ ତାରିଖରେ ସୁପ୍ରିମ୍‍କୋର୍ଟ ଦେଇଥିବା ଏହି ରାୟକୁ ଅନୁଧ୍ୟାନ କରି ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ କେନ୍ଦ୍ର ସରକାର ଗଠନ କରିଥିବା ସମବାୟ ମନ୍ତ୍ରାଳୟ ଆଇନ୍‍ ସମ୍ମତ କିନ୍ତୁ ସମବାୟ ସମିତି ରାଜ୍ୟ ସରକାରଙ୍କ ବ୍ୟାପାର ହୋଇଥିବାରୁ ଏଥିରେ ସିଧାସଳଖ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ ନାହିଁ । (ତଥ୍ୟ)