Home Election ସମବାୟ ନିର୍ବାଚନରେ ୩୦ ଲକ୍ଷ ଭୋଟର

ସମବାୟ ନିର୍ବାଚନରେ ୩୦ ଲକ୍ଷ ଭୋଟର

ଭୁବନେଶ୍ୱର : ଓଡ଼ିଶାରେ ପ୍ରାୟ ୩୦ ଲକ୍ଷ ମତଦାତା ସମବାୟ ନିର୍ବାଚନରେ ସେମାନଙ୍କ ମତଦାନର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ୭୦୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୯ ତାରିଖରେ ଓ ପରେ ପରେ ୨୬ ତାରିଖରେ ଭୋଟ ହେବାକୁ ଯାଉଛି । ବିରୋଧୀ ଦଳମାନଙ୍କର ସ୍ଥିତି ଏ କ୍ଷେତ୍ରରେ ଅତି ଦୁର୍ବଳ ଥିବାରୁ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଅଧିକାଂଶ ସ୍ଥାନରେ ଏକପାଖିଆ ବିଜୟ ହାସଲ କରିବା ସମ୍ଭାବନା ଉଜ୍ଜ୍ୱଳ । ତେବେ ବହୁ ସ୍ଥାନରେ ଶାସକ ଦଳ ସମର୍ଥିତ ଏକାଧିକ ପ୍ରାର୍ଥୀ ସମବାୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାରୁ ଏହା ମଧ୍ୟ ବିଜେଡି ପାଇଁ ବଡ ଆହ୍ୱାନ ହୋଇଛି ।

୨୦୨୦ ମସିହାରେ ଓଡ଼ିଶାରେ ସମବାୟ ନିର୍ବାଚନ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଦୁଇବର୍ଷ ଧରି ନିର୍ବାଚନ ସ୍ଥଗିତ ରହିବା ପରେ ଏବେ ଏହା ହେବାକୁ ଯାଉଛି । ସମବାୟ ସମିତିଗୁଡିକ ପାଇଁ ବିଭିନ୍ନ ଜୋନର ନିର୍ଦ୍ଦେଶକ ବା ଡାଇରେକ୍ଟର ପଦବୀ ଲାଗି ପ୍ରଥମେ ନିର୍ବାଚନ ହୋଇଥାଏ । ଏହାପରେ ସମବାୟ ସମିତିଗୁଡିକର ସଭାପତି ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ କରାଯାଇଥାଏ । ଏହି ନିର୍ବାଚନ ପରେ ରାଜ୍ୟରେ ଥିବା ବିଭିନ୍ନ ଶୀର୍ଷ ସମବାୟ ଓ କେନ୍ଦ୍ରୀୟ ସମବାୟ ସଂସ୍ଥାଗୁଡିକର ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଇଥାଏ ।

ସମବାୟ ସମିତି ଲାଗି ନିର୍ବାଚନରେ ପଞ୍ଚାୟତ ଓ ପୌର ନିର୍ବାଚନ ଏବଂ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପରେ ପରେ ହେଉଥିବା ପରିପ୍ରେକ୍ଷୀରେ ଶାସକ ବିଜେଡି ଦଳ ସମବାୟ ନିର୍ବାଚନରେ ଏକତରଫା ବିଜୟ ହାସଲ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହା ବିଧାୟକ, ସରପଞ୍ଚ, ସମିତି ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ କାର୍ଯ୍ୟକର୍ତ୍ତା ତଥା ଦଳୀୟ ସଂଗଠନର କ୍ଷେତ୍ରୀୟ ପଦାଧିକାରୀ ମାନଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।

ସମବାୟ ସମିତି ନିର୍ବାଚନ ପାଇଁ ୨୦୧୯ର ବିଧାନସଭା ଓ ଲୋକସଭା ନିର୍ବାଚନ ପରଠାରୁ ବିଜେଡି ତାହାର ପ୍ରସ୍ତୁତି ପର୍ବ ଚଳାଇଛି । ବିଶେଷକରି ଦଳୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ଓ ବ୍ଲକ୍‍ ସଭାପତି ଏବଂ ବିଧାୟକମାନେ ଏହି ନିର୍ବାଚନ ପାଇଁ ମଙ୍ଗ ଧରିଛନ୍ତି । କୋଭିଡ ଲାଗି ପ୍ରାୟ ୨ବର୍ଷ ଧରି ନିର୍ବାଚନ ସ୍ଥଗିତ ଥିବା ପରିପ୍ରେକ୍ଷୀରେ ବିରୋଧୀ ଦଳମାନଙ୍କ ପକ୍ଷରୁ ସେଭଳି କିଛି ଆଖିଦୃଶିଆ ପ୍ରସ୍ତୁତି ଲକ୍ଷ୍ୟ କରାଯାଉନଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ସମବାୟ ନିର୍ବାଚନ ପ୍ରସଙ୍ଗରେ ସର୍ବାଧିକ ଗୁରୁତ୍ୱ ଆରୋପ କରି ତାଙ୍କ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ବାରମ୍ବାର ବୈଠକ ଜାରି ରଖିଛନ୍ତି ।

ସମବାୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରାଥମିକ କୃଷି ସମବାୟ ସମିତିଗୁଡିକର ପଞ୍ଜୀକୃତ ସଦସ୍ୟମାନଙ୍କୁ ଆଶାୟୀ ପ୍ରାର୍ଥୀମାନେ ବାରମ୍ବାର ଯୋଗାଯୋଗ କରୁଛନ୍ତି । ଯେଉଁସବୁ ନିର୍ବାଚନ ମଣ୍ଡଳୀରେ ବିଧାୟକମାନଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ଅଛନ୍ତି କିମ୍ବା ନୂଆ ଚେହେରା ବିଧାୟକ ହେବା ପାଇଁ ଆଗ୍ରହୀ ସେଠାରେ ଲଢ଼େଇ ଜୋରଦାର ହେଉଛି ।

ସମବାୟ ନିର୍ବାଚନ ଦଳୀୟ ଚିହ୍ନ ଆଧାରରେ ହେଉନଥିବାରୁ ଇତିମଧ୍ୟରେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ଦିଆସରି ବାଲାଟ ପେପର ପ୍ରସ୍ତୁତି ଚାଲିଛି । ଯେଉଁଦିନ ନିର୍ବାଚନ ହେବ ସେହିଦିନ ମଧ୍ୟ ଗଣତି ସରିବ ବୋଲି ଜଣାପଡିଛି । ତେବେ ଗାଁ ଗହଳର କୃଷକମାନେ ଜାଣନ୍ତି କେଉଁ ପ୍ରାର୍ଥୀ କାହାର ସମର୍ଥକ । ଏହାଛଡା ଦ୍ୱିତୀୟ ପର୍ଯ୍ୟାରେ ହେବାକୁ ଥିବା ସମବାୟ ସଂସ୍ଥାଗୁଡିକର ସଭାପତି ପଦବୀ ହାତେଇବା ଲାଗି ଯେଉଁମାନେ ଆଶାୟୀ, ସେମାନେ ଏହି ନିର୍ବାଚନରେ ନିଜ ସପକ୍ଷବାଦୀ ପ୍ରାର୍ଥୀ ଜିଣାଇବା ସହିତ ବିପକ୍ଷବାଦୀମାନଙ୍କ ଡେଣା କାଟିବା ପାଇଁ ଉଦ୍ୟମ ଚଳାଉଛନ୍ତି ।

ଏହି ନିର୍ବାଚନ ଲାଗି ମଧ୍ୟ ବିପୁଳ ପରିମାଣର ନିଶା ସାମଗ୍ରୀ ଓ କଳାଟଙ୍କା କାରବାର ସହିତ ବ୍ୟାପକ ପ୍ରତିଶ୍ରୁତି ବର୍ଷା ଚାଲୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କେତେକ ପ୍ରାର୍ଥୀ ସମବାୟ ଋଣ ଛାଡ ପ୍ରତିଶ୍ରୁତି ମଧ୍ୟ ଦେବାକୁ ପଛାଉ ନାହାନ୍ତି । (ତଥ୍ୟ)