Home Education ସମନ୍ୱୟ ଅଭାବରୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ

ସମନ୍ୱୟ ଅଭାବରୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଭଳି କେନ୍ଦ୍ରୀୟ ସଂସ୍ଥା, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ଓଡିଶାର ହଜାର ହଜାର ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ସୁବିଧାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ୟୁଜିସି ସହ ଆଲୋଚନା ମାଧ୍ୟମରେ ବିବାଦୀୟ ପରିସ୍ଥିତିର ସମାଧାନ କଲେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୟୁଜିସିର ନୀତି ନିୟମ ଆଧାରରେ ବିଶ୍ୱବିଦ୍ୟାଳୟମାନେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀରେ ନିଯୁକ୍ତି ଦେଉଥିଲେ । ଏଥିପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ବିଭାଗୱାରୀ ପ୍ରାର୍ଥୀ ଚୟନ କରାଯାଉଥିଲା ଏବଂ ଏହି ଚୟନ କମିଟିରେ ବାହାରର ବିଶେଷଜ୍ଞମାନଙ୍କୁ ବି ସଦସ୍ୟ ରଖାଯାଉଥିଲା । କିନ୍ତୁ ବିହାର, ଓଡିଶା ସମେତ କେତେକ ରାଜ୍ୟ ସେମାନଙ୍କ ବିଶ୍ୱବିଦ୍ୟାଳୟ ଆଇନ୍‍ରେ ସଂଶୋଧନ ଆଣି ଶିକ୍ଷକ ନିଯୁକ୍ତିପାଇଁ ଚୟନ ପ୍ରକ୍ରିୟା ଅନ୍ୟ ସଂସ୍ଥା ଉପରେ ନ୍ୟସ୍ତ କରିଛନ୍ତି ।

ନୂଆ ଆଇନ୍‍ ଆଧାରରେ ଓଡିଶାରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଯୋଗ୍ୟ ଶିକ୍ଷକ ଚୟନ ଲାଗି ଓଡିଶା ଲୋକସେବା ଆୟୋଗକୁ ଦାୟିତ୍ୱ ଦିଆଯାଇଛି ଏବଂ ତଦନୁଯାୟୀ ଆୟୋଗ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚଳାଇଥିଲେ । ଏହାକୁ ବିରୋଧ କରି ଓଡିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହେବାପରେ ଓଡିଶାରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ସହଜ ହୋଇଯିବ ବୋଲି ମନେ କରାଯାଉଥିଲା । କିନ୍ତୁ ଓଡିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ୟୁଜିସି ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିବା ସହ ଏହା ଉପରେ ମଧ୍ୟ ରହିତାଦେଶ ହାସଲ କରିଛି ।

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ କହୁଛନ୍ତି ଯେ ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ଥିବାରୁ ଓଡିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନାହିଁ । ଏବେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ୬୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ ପାଇଁ ୫୦ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏ ସବୁଯାକ ଖାଲି ପଡିଛି । ବାଣୀବିହାରରେ ଥିବା ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜ ୨/୩ ଜଣ ଶିକ୍ଷକରେ ଧକେଇ ଧକେଇ ଚାଲିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବେ ମାତ୍ର ୯ଜଣ ନିୟମିତ ପ୍ରଫେସର ଅଛନ୍ତି ।

ରାଜେନ୍ଦ୍ର, କଳାହାଣ୍ଡି ଆଦି ବିଶ୍ୱବିଦ୍ୟାଳୟରେ ୮୦ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ବିକ୍ରମଦେବ ଓ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅବସ୍ଥା ଆହୁରି ସାଂଘାତିକ । ରେଭେନ୍ସା, ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, ଗଙ୍ଗାଧରମେହେର, ମା’ରମାଦେବୀ, ଫକୀରମୋହନ ଆଦି ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ମରୁଡି ସ୍ଥିତି ବି ଦୟନୀୟ । ବିପୁଟ୍‍, ଓୟୁଏଟି, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଓୟୁଟିଆର ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କଥା ନକହିଲେ ଭଲ । ଏଭଳି ପ୍ରତିବନ୍ଧକ ନଥିଲେ ବି କୋରାପୁଟ ଜିଲ୍ଲାରେ ଥିବା ଓଡିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଅତି ସଙ୍ଗୀନ ।

ଶିକ୍ଷାବିତ୍‍ ଓ ଗବେଷକମାନେ କହୁଛନ୍ତି ଯେ ବିନା ଶିକ୍ଷକରେ ବିଶ୍ୱବିଦ୍ୟାଳୟ ଚଳାଇବା ଅପେକ୍ଷା ବରଂ ଏଭଳି ଗୌରବାବହ ସଂସ୍ଥାଗୁଡିକୁ ବନ୍ଦ କରିଦିଆଯିବା ଭଲ । ପର୍ଯ୍ୟାପ୍ତ ସଂଖ୍ୟକ ଅଭିଜ୍ଞ ଶିକ୍ଷକ ନଥିବାରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପାଠପଢା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ୟୁଜିସି ଏକାଠି ବସି ସମସ୍ୟାର ଉପଚାର କାଢିଲେ ଦିନକରେ ସମାଧାନ ହୋଇପାରିବ । (ତଥ୍ୟ)