Home Environment ସମଗ୍ର ଉପକୂଳରେ ବର୍ଷିବ

ସମଗ୍ର ଉପକୂଳରେ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପନେଇ ଓଡିଶା-ଆନ୍ଧ୍ର ଉପକୂଳ ଆଡେ ମୁହାଁଇବାର ସମ୍ଭାବନା ରହିଥିବାବେଳେ ଏହା ସମସ୍ତ ଉପକୂଳ ଜିଲ୍ଲାରେ ବର୍ଷିକ । ଆଜି ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣି ପାଗ ବିଭାଗ (ଆଇଏମ୍‍ଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ଭାବ୍ୟ ବାତ୍ୟା ସଂକ୍ରାନ୍ତରେ ସୂଚନା ଦେଇ ଡକ୍ଟର ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଅବପାତର ରୂପ ନେବ । ପରେ ଏହା ଦକ୍ଷିଣପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଏହା ପ୍ରଭାବରେ ୩ତାରିଖ ମଧ୍ୟ ରାତ୍ରରୁ ଉପକୂଳ ଓଡିଶାରେ ପବନର ଗତି ବଢିବ । ପ୍ରଥମେ ଏହା ୪୫ରୁ ୫୫ କିଲୋମିଟର ଏବଂ ପରବର୍ତ୍ତୀ ସମୟରେ ପବନର ଗତି ବୃଦ୍ଧି ପାଇବ ।

ଅବପାତ ବାତ୍ୟାର ରୂପ ନେବା ସହିତ ଏହା ଓଡିଶା ଏବଂ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶ ଉପକୂଳରେ ୪ତାରିଖ ସୁଦ୍ଧା ପହଞ୍ଚିବ । ତେବେ ବାତ୍ୟାଟି ଉପକୂଳରେ ପହଞ୍ଚିଲେ ମଧ୍ୟ ଉପକୂଳ ଛାଡିବ ନାହିଁ । ଓଡିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ଏହା ଧିରେ ଧିରେ ଉତ୍ତର ଦିଗରେ ଗତି କରିବ ।

ଫଳରେ ଏହାର ପ୍ରଭାବରେ ୪ ତାରିଖ ଦିନ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫ତାରିଖ ଦିନ ମଧ୍ୟ ଏହାର ପ୍ରଭାବରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଡକ୍ଟର ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଫସଲ ଅମଳ ବିଶେଷକରି ଧାନ ଅମଳ ଋତୁ ହୋଇଥିବାରୁ ଚାଷୀମାନଙ୍କ ହାତରେ ୩ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ତେଣୁ ସେମାନେ ପାଚିଲା ଧାନଗୁଡିକୁ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖିପାରିବେ ।

ତେବେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ଏହାର ଗତିବିଧି ସ୍ପଷ୍ଟ ହେବା ସହିତ କେଉଁ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ଜଣାପଡିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ କହିଛନ୍ତି ।