Home Industry ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଦୀପା

ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଦୀପା

ଭୁବନେଶ୍ୱର : ଜିଲ୍ଲାସ୍ତରରେ ପୁଂଜିନିବେଶକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଏକ ଉତ୍ସର୍ଗୀକୃତ ଜିଲ୍ଲା ପୁଂଜିନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା) ଗଠନ ନିମନ୍ତେ ଘୋଷଣା କରିଛନ୍ତି । ଏହା ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ।

ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ଏହି ସଂସ୍ଥାରେ ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ଅନ୍ୟାନ୍ୟ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀ ଭଳି ବରିଷ୍ଠ ପଦାଧିକାରୀମାନେ ସ୍ଥାନ ପାଇବେ । ଜିଲ୍ଲାରେ ପୁଂଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା, ପ୍ରକଳ୍ପ ତଦାରଖ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାକୁ ଏକ ବୃତ୍ତିଗତ ଦଳ ରହିବେ ।

ଏହି ସଂସ୍ଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିବ, ଯାହାର କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ସମୟରେ ଉଦ୍ୟୋଗଗୁଡ଼ିକୁ ସହଯୋଗର ହାତ ବଢ଼ାଇବା, ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ବହୁମାତ୍ରାରେ ନିଯୁକ୍ତି ସୃଷ୍ଟି କରିବା, ଜିଲ୍ଲାଗୁଡ଼ିକର କ୍ଷମତାନୁଯାୟୀ ପୁଂଜିନିବେଶକୁ ପ୍ରୋତ୍ସାହିତ କରିବା, ନିବେଶକାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସକାଶେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବା, ସଡ଼କ ଯୋଗାଯୋଗ, ବିଦୁ୍ୟତ ସେବା ଯୋଗାଣ ଏବଂ ଜଳଯୋଗାଣ ପରି କାର୍ଯ୍ୟକରିବ ଯାହା ଶିଳ୍ପାୟନ ଓ ଆର୍ଥିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।

ଗତ ଦୁଇ ଦଶନ୍ଧିରେ ରାଜ୍ୟ ଶିଳ୍ପ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ସେ ଦୃଷ୍ଟିରୁ ବହୁଳ ମାତ୍ରାରେ ପୁଂଜିନିବେଶ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇବାର ଆବଶ୍ୟକତା ମନେ ହେଉଛି ଏବଂ ଜିଲ୍ଲାସ୍ତରରେ ସୁହାଇଲା ଭଳି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ଦରକାରୀ ଭିତ୍ତିଭୂମିର ତ୍ୱରିତ ବିକାଶର ଆବଶ୍ୟକତା ରହିଛି । ଶିଳ୍ପ ବିକାଶ ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଭୂମିକା ଶିଳ୍ପ ଅଭିବୃଦ୍ଧି ଏବଂ ଭିତ୍ତିଭୂମିର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଦୀପା ଇପିକଲର ଏକ ସଂପ୍ରସାରିତ ବାହୁଭଳି କାର୍ଯ୍ୟକରିବ ଏବଂ ଏହା ପର୍ଯ୍ୟାୟ କ୍ରମେ ଚଳିତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ପ୍ରତିଷ୍ଠା ହେବ । ଏହା ଜିଲ୍ଲାଗୁଡ଼ିକରେ ବୃହତ୍‌ ଶିଳ୍ପ ସଂସ୍ଥା ସହିତ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ସୃଷ୍ଟି ଦିଗରେ ଏକ ପାରଦର୍ଶି ଭୂମିକା ଗ୍ରହଣ କରିବ ।

ଏହି ପଦକ୍ଷେପ ବ୍ୟବସାୟିକ ପରିବେଶ ସୃଷ୍ଟି ସହିତ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଦିଗରେ ଆଖିଦୃଶିଆ ପ୍ରୋତ୍ସାହନ ହୋଇପାରିବ । ଜିଲ୍ଲା ପୁଂଜିନିବେଶ ପ୍ରୋତ୍ସାହନ ସଂସ୍ଥା (ଦୀପା)ର କାର୍ଯ୍ୟଧାରାକୁ ରାଜ୍ୟସ୍ତରରେ ଥିବା ସିଙ୍ଗଲ ୱଣ୍ଡୋ କର୍ତ୍ତୃପକ୍ଷ ତଦାରଖ କରିବେ ଏବଂ ନିବେଶକଙ୍କ ମତାମତକୁ ନେଇ ଜିଲ୍ଲାଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ର୍ୟାଙ୍କ ପ୍ରଦାନ କରାଯିବ ।