Home News in Odia ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହେବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହେବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ଭାବ୍ୟ କୋଭିଡ୍‌ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍‌ପିଟାଲ୍‌ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଡିଜିଟାଲ୍‌ ମୋଡ୍‌ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍‌ପିଟାଲ୍‌ମାନଙ୍କ ସହ ସିଧାସଳଖ ଆଲୋଚନା କରି ଏକ ସପ୍ତାହ ମଧ୍ୟରେ ସମସ୍ତ ବେଡ୍‌, ଆଇ.ସି.ୟୁ, ଆମ୍ବୁଲାନ୍‌ସ୍‌, ଆଦି ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ନିମନ୍ତେ ତାଲିମ୍‌ପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସହାୟକ ଷ୍ଟାପ୍‌ମାନଙ୍କୁ ମୁତୟନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ପ୍ରୋଟକଲ୍‌ ଅନୁଯାୟୀ ରାପିଡ୍‌ ରେସ୍ପନ୍‌ସ୍ ଟିମ୍‌, କଲ୍‌ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍‌ସ୍‌ ଆଦି ସଠିକ୍‌ ଭାବେ ନିୟୋଜିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଟେଷ୍ଟିଂ, ଟ୍ରାକିଂ,ଏବଂ ଟ୍ରିଟ୍‌ମେଣ୍ଟ ନିମନ୍ତେ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କର୍ମକ୍ଷମ ରଖିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସମସ୍ତ ଘରୋଇ ହସ୍‌ପିଟାଲ୍‌, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳମାନଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ସଦ୍ୟତନ ଗାଇଡ୍‌ଲାଇନ୍‌ ପଠାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଲୋଚନାରେ ସମ୍‌, କିମ୍‌ସ୍‌, ହାଇଟେକ୍‌, ଆଦିତ୍ୟ-ଅଶ୍ୱନୀ ଆଦି ବଡ଼ ବଡ଼ ହସ୍‌ପିଟାଲ୍‌ ଚେନ୍‌-ର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ କେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଜଣାଇଥିଲେ ।

ଆଲୋଚନାରୁ ଜଣାପଡ଼ିଥିଲାଯେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଂଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗିର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକରିବ । ଏହା ଛଡ଼ା ସମସ୍ତ ସରକାରୀ ହସ୍‌ପିଟାଲ୍‌ରେ କୋଭିଡ୍‌ ଚିକିତ୍ସାର ବ୍ୟବସ୍ଥା ରହିବ । ଆକ୍ରାନ୍ତମାନଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍‌ସ୍‌ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ । ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜଣାଇଥିଲେ ଯେ କୋଭିଡ୍‌ର ୨ୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା । ତା’ଛଡ଼ା ସରକାରୀ ହସ୍‌ପିଟାଲ୍‌ମାନଙ୍କରେ କୋଭିଡ଼୍‌ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ୨ୟ ଲହର ସମୟରେ ଅସ୍ତାୟୀ ମେଡିକାଲ୍‌ କେନ୍ଦ୍ର, କୋଭିଡ୍‌ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ଼୍‌ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ଼୍‌ ହସ୍‌ପିଟାଲ ଆଦିରେ ପ୍ରାୟ ୯୪,୦୦୦ ବେଡ୍‌ ପ୍ରସ୍ତୁତ କରାଯାଇଥିଲା । ଆଇ.ସି.ୟୁ. ଏବଂ ଏଚ୍‌.ଡି.ୟୁ. ମାନଙ୍କରେ ପ୍ରାୟ ୩୫୦୦ ବେଡ୍‌ ପ୍ରସ୍ତୁତ କରାଯାଇଥିଲା; ଏବଂ, ୧୧୦୨ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରାଯାଇଥିଲା ।

ବିଭିନ୍ନ ଦେଶ ଓ ରାଜ୍ୟରେ ତୃତୀୟ ଲହରର ସଂକ୍ରମଣ ହାର ଅଧିକ ଥିବାରୁ ଆମ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନିମନ୍ତେ ଅଧିକ ମାତ୍ରାରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ଓୗଷଧ ପରୀକ୍ଷା ଉପକରଣ, ଚିକିତ୍ସା ସରଞ୍ଜାମ, ଅକ୍ସିଜେନ୍‌ ଆଦି ଆଗୁଆ ଉପଲବ୍‌ଧ ରଖିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା, ପବ୍ଲିକ୍‌ ହେଲ୍‌ଥ୍‌ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପୌର ପରିଷଦର କମିଶନର ଓ ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି ଏବଂ କୋଭିଡ୍‌ ପ୍ରସ୍ତୁତି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଜଣାଇଥିଲେ ।