ଭୁବନେଶ୍ୱର : ବାତ୍ୟା ଦାନା ଦୁର୍ବଳ ହୋଇ ଘର, ବିଦ୍ୟୁତ ଭିତ୍ତିଭୂମି ଓ ଫସଲ ନଷ୍ଟ ହେବା ପରେ ଏବେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି।
ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଗଣମାଧ୍ୟମପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟାରେ ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା ଘର ଯୋଗାଇ ଦେବେ।
ବାତ୍ୟା ରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି।
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ବାତ୍ୟା ଦୁର୍ବଳ ହେବା ସହ ବାତ୍ୟାମୁକାବିଲା କରିବାରେ ଆମେ ସଫଳ ହୋଇଛୁ। ଗଛ ରେ ଅବରୋଧ ହୋଇଥିବା ସମସ୍ତ ରାସ୍ତାକୁ ସଫା କରାଯିବ ଏବଂ ଖୁବଶୀଘ୍ର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।
ଅଧିକାଂଶ ସ୍ଥାନରେ ବିଜୁଳି ଓ ଟେଲିକମ୍ ସେବା ପୁନରୁଦ୍ଧାର କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଚମତ୍କାର କାର୍ଯ୍ୟ କରିଛି। ଯେଉଁମାନେ ରିଲିଫ୍ ସେଣ୍ଟରରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ରାତାରାତି ଖାଦ୍ୟ ଯୋଗାଇ ଦିଆଯିବ। ପାଣିପାଗ ଅନୁକୂଳ ହେଲେ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଶନିବାର ଆକାଶମାର୍ଗରୁ ସର୍ଭେ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ପ୍ରଭାବିତ ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ବାଧାକୁ ହଟାଇ ରାସ୍ତା ଯୋଗାଯୋଗରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଏନ୍ଡିଆରଇ, ଓଡ୍ରାଫ୍, ଓଡ଼ିଶା ଅଗ୍ନିଶମ ସେବା, ଓଏଫ୍ଡିସି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।
ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ରିଲିଫ୍ କାର୍ଯ୍ୟରେ ସରକାରଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ସେପଟେ ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ପାଇଁ ସମସ୍ତ କର୍ମଚାରୀଙ୍କ ଶନିବାର ଓ ରବିବାର ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର ।
ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଦେବରଞ୍ଜନ କୁମାର ସିଂହ ସମସ୍ତ ବିଭାଗକୁ ଚିଠି ଲେଖିଛନ୍ତି।
ସାମୁଦ୍ରିକ ଝଡ଼ ‘ଦାନା’ର ପ୍ରଭାବ ଯୋଗୁଁ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ପ୍ରତିକ୍ରିୟା କାର୍ଯ୍ୟକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଛନ୍ତି ଯେ ସମ୍ପୃକ୍ତ ବିଭାଗଗୁଡ଼ିକ ସେମାନଙ୍କ କାର୍ଯ୍ୟାଳୟ ଖୋଲିବା ବାଧ୍ୟତାମୂଳକ ଏବଂ ସମ୍ପୃକ୍ତ ଅଧିକାରୀମାନେ ଅକ୍ଟୋବର ୨୬ ଓ ୨୭ ତାରିଖରେ ପୂର୍ବଭଳି ଡ୍ୟୁଟି କରିବେ।
ସେହିପରି ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ଅଧିକାଂଶ ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଛି।
 
            
