Home General ସତର୍କ କଲେ ଜଳସମ୍ପଦ ମନ୍ତ୍ରୀ

ସତର୍କ କଲେ ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: କୋଟି କୋଟି ଟଙ୍କା ବ୍ୟୟରେ ଜଳସେଚିତ ହେଉଥିବା ଜମିର କିସମ ପରିବର୍ତ୍ତନ ପରବର୍ତ୍ତୀ ପିଢ଼ି ପାଇଁ ଭୟଙ୍କର ଅବସ୍ଥା ସୃଷ୍ଟି କରିବ । ଏ ସଂକ୍ରାନ୍ତରେ ସତର୍କ କରାଇଦେଇଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଜଳସେଚନ ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତରଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଏଭଳି ମତ ଦେବା ସହିତ ଜଳସେଚିତ ଜମିର କିସମ ପରିବର୍ତ୍ତନ ରୋକିବା ଲାଗି ବିଧାୟକ ଓ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଜଳସେଚିତ ଜମିର ପରିମାଣ ହ୍ରାସ ପାଇବାରେ ଲାଗିଛି । ନିରନ୍ତର ଭାବେ ଚାଲିଥିବା ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ ନ କଲେ ଚାଷ ଜମିର ପରିମାଣ କମିଯିବ । ଏହା ଉତ୍ତର ପିଢ଼ି ପାଇଁ ବିପଦ ଆଣିବ ।

ଏହି ପ୍ରଶ୍ନ ଉପରେ ଗୃହର ଉଦ୍‍ବେଗକୁ ଲକ୍ଷ୍ୟକରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏଭଳି କିସମ ପରିବର୍ତ୍ତନକୁ ବ୍ୟାନ୍‍ କରାଯାଇପାରିବ କି? ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ କିସମ ପରିବର୍ତ୍ତନ କାମ ରାଜସ୍ୱ ବିଭାଗର । ତେବେ ରାଜସ୍ୱ ଓ ଜଳସେଚନ ବିଭାଗର ସହଭାଗିତାରେ ଏ କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିବ ।

୩୫ ପ୍ରତିଶତ ଚାଷଜମିକୁ ଜଳସେଚନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୩୧୪ ବ୍ଲକ୍‍ରୁ ୨୫୧ଟିରେ ୩୫ ପ୍ରତିଶତ ଚାଷଜମି ଜଳସେଚିତ ହୋଇଛି । ଅବଶିଷ୍ଟ ୬୩ଟି ବ୍ଲକ୍‍ରେ ଜଳସେଚନ ପ୍ରକ୍ରିୟା ଜାରି ରହିଛି । ତେବେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଭଳି ଏଭଳି କେତେକ ବ୍ଲକ୍‍ ରହିଛି ଯେଉଁଠାରେ ଚାଷ ଜମିକୁ ଜଳସେଚିତ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ।

ସେହିଭଳି ଲୋୟର ସୁକତେଲ ସଂକ୍ରାନ୍ତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପର କାର୍ଯ୍ୟ ଗତ ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ଲାଗି ପଦକ୍ଷେପ ନିଆଯାଉଛି । ଶ୍ରୀ ଶତପଥୀଙ୍କ ମୂଳ ପ୍ରଶ୍ନ ଉପରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସନ୍ତୋଷ ସିଂ ସାଲୁଜା, ପ୍ରଦୀପ ଅମାତ୍‍, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ ।

ଏହି ପ୍ରସଙ୍ଗରେ ୬୦ରୁ ଊର୍ଦ୍ଧ୍ୱ ସଦସ୍ୟ ପ୍ରଶ୍ନ ପଚାରିଥିବାରୁ ବିଧାନସଭା ଅଧିବେଶନ ପରେ କେଉଁ ପ୍ରକଳ୍ପରେ କେତେ ବ୍ୟୟ ହୋଇଛି ଓ କାର୍ଯ୍ୟରେ ଅଗ୍ରଗତି କ’ଣ ହୋଇଛି ସେ ସଂକ୍ରାନ୍ତରେ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ବାଚସ୍ପତି ମନ୍ତ୍ରୀ ଶ୍ରୀ ଦାସଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here