Home General ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶାର ସଫଳତା ୬୬ ପ୍ରତିଶତ

ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶାର ସଫଳତା ୬୬ ପ୍ରତିଶତ

କଟକ: ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶା ଗ୍ରହଣ କରିଥିବା ପଦକ୍ଷେପକୁ ୬୬ ପ୍ରତିଶତ ସ୍କୋର ମିଳିଛି । ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି (ଏସସିସିଆରଏସ) ରାଜ୍ୟମାନଙ୍କୁ ଦିଆଯାଇଥିବା ସଡକ ସୁରକ୍ଷା ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରିତା ସ୍ଥିତିକୁ ଆକଳନ କରିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ, ଏସସିସିଆରଏସ ଦ୍ୱାରା ନିୟୋଜିତ ଏକ ପରାମର୍ଶଦାତା ଦଳ ଜୁନ୍ ମାସରେ ୧୫ ଦିନ ପାଇଁ ଓଡିଶା ଗସ୍ତ କରିଥିଲେ। ଏହି ଟିମ୍ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟର ପରିମାଣ ଏବଂ ଗୁଣର ମୂଲ୍ୟାଙ୍କନ କରିଥିଲେ ।

ପରିବହନ ବିଭାଗ ସହିତ ଅଂଶୀଦାର ହୋଇଥିବା ଅନୁପାଳନ ରିପୋର୍ଟ ଅନୁଯାୟୀ, ଓଡ଼ିଶା ୬୬% ସ୍କୋର କରିଛି ଏବଂ ବିଭିନ୍ନ ସଡକ ସୁରକ୍ଷା ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ‘ଉଚ୍ଚ ପ୍ରଦର୍ଶନକାରୀ ଭାବେ ଶ୍ରେଣୀଭୁକ୍ତ ହୋଇଛି । ପ୍ରୋଜେକ୍ଟ ରକ୍ଷକ, ବାହକ୍ ଏବଂ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସମେତ ବିଭାଗର କିଛି ପଦକ୍ଷେପକୁ ସେମାନେ ବିଶେଷ ପ୍ରଶଂସା କରିଛନ୍ତି ।

ଏହି ଦଳ, ଭୁବନେଶ୍ୱର ସହରରେ ହେଲମେଟ ପିନ୍ଧିବା ନିୟମ ପାଳନକୁ ପ୍ରଶଂସା କରିଛି । ଭୁବନେଶ୍ୱରର ଆରଟିଓରେ ଲାଗୁ ହୋଇଥିବା ସ୍ମାର୍ଟ କ୍ୟୁ ସିଷ୍ଟମକୁ ମଧ୍ୟ ଏଜେନ୍ସି ପ୍ରଶଂସା କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭିତ୍ତିଭୂମି ସଂପନ୍ନ କରିବାରେ ସ୍ମାର୍ଟ କ୍ୟୁ ସିଷ୍ଟମ ସମ୍ପୂର୍ଣ୍ଣ ରୂପେ ଭଲ କାମ କରୁଛି ।

ରିପୋର୍ଟ ଅନୁଯାୟୀ, ଏହା ଦେଖାଯାଇଛି ଯେ ରାଜ୍ୟ ଉଚ୍ଚ ପ୍ରଦର୍ଶନକାରୀ ବର୍ଗରେ ଥିଲେ ମଧ୍ୟ ତଥାପି ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପଡିବ । ଅନ-ଗ୍ରାଉଣ୍ଡରେ ଅଶାନୁରୂପ ଫଳ ପାଇବା ପାଇଁ ଯନ୍ତ୍ରପାତି, ଭିତ୍ତିଭୂମି ଉପଲବ୍ଧତା ଏବଂ ନିୟମ ପାଳନକୁ କାର୍ଯ୍ୟକାରୀ କରିବାରେ ବିଶେଷ ଧ୍ୟାନ ଆବଶ୍ୟକ ଦରକାର ।

ଲିଡ୍ ଏଜେନ୍ସିର କାର୍ଯ୍ୟକାରିତା ଏବଂ ସଡକ ସୁରକ୍ଷା ପାଣ୍ଠିର ବ୍ୟବହାରକୁ ଅନ୍ତର୍ଭୁକ୍ତ କରୁଥିବା ଆନୁଷ୍ଠାନିକ ବର୍ଗରେ, ଏଜେନ୍ସି  ୨୫% ମଧ୍ୟରୁ ୧୯% ସ୍କୋର ଦେଇଛି । ସେହିଭଳି ୨୫% ରୁ ୧୫.୭%  ଟ୍ରାଫିକ ଏନଫୋର୍ସମେଣ୍ଟ ପାଇଁ ପ୍ରାପ୍ତ ହୋଇଛି ଏବଂ ୨୫% ସ୍କୋର ମଧ୍ୟରୁ ୧୪.୪% ଇଞ୍ଜିନିୟରିଂ ପାଇଁ ଦିଆଯାଇଛି । ଜରୁରୀକାଳୀନ ଚିକିତ୍ସାରେ ୧୫% ରୁ ୧୦.୫% ଏବଂ ସଡକ ସୁରକ୍ଷା ଶିକ୍ଷା କ୍ଷେତ୍ରରେ ୧୦% ରୁ ୬.୩%  ସ୍କୋର କମିଟି ପ୍ରଦାନ କରିଛନ୍ତି ।