Home Covid ସଟ୍‍ଡାଉନ୍‍ ପରେ ଅମାନିଆଙ୍କ ରାଜୁତି

ସଟ୍‍ଡାଉନ୍‍ ପରେ ଅମାନିଆଙ୍କ ରାଜୁତି

132
0

ଭୁବନେଶ୍ୱର : କରୋନାର ଦ୍ରୁତ ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଅନେକ ପଦସ୍ଥ ସରକାରୀ ଅଧିକାରୀ ମାନୁ ନାହାନ୍ତି । ଖୋଦ ରାଜଧାନୀ ଭୁବନେଶ୍ୱରରେ ସପ୍ତାହନ୍ତ ସଟ୍‍ଡାଉନ୍‍ ସମୟରେ ବି ଅମାନିଆଙ୍କ ଉତ୍ପାତ ଦେଖିବାକୁ ମିଳିଥିବାବେଳେ ଏବେ ରାତି ୯ଟା ପରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ଥିବା ସତ୍ୱେ ଦଳ ଦଳ ହୋଇ ଯୁବକ ବି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାସ୍ତାକଡରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି ।

ରାଜ୍ୟ ସରକାର ଆସନ୍ତା ମଇ ୧୫ତାରିଖ ପର୍ଯ୍ୟନ୍ତ ଯେଉଁ କଟକଣା ଜାରି କରିଛନ୍ତି ସେଥିରେ ଟ୍ୟାକ୍ସି ଓ ଅଟୋରେ ଦୁଇଜଣରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ ଏବଂ ବସ୍‍ ଗୁଡିକରେ ଯେତିକି ସିଟ୍‍ ତାହାଠାରୁ ଅଧିକ ଯାତ୍ରୀ ଯିବେନାହିଁ ବୋଲି କୁହାଯାଇଛି । କିନ୍ତୁ ସପ୍ତାହନ୍ତ ସଟ୍‍ଡାଉନ୍‍ ପରେ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅଟୋରିକ୍ସାରେ ୪/୫ଜଣ ଓ ତଦୁର୍ଧ ଲୋକ ଖୁନ୍ଦାଖୁନ୍ଦି ହୋଇ ଯାଉଥିବା ଦେଖାଦେଇଛି । ଏମିତିକି ବ୍ୟସ୍ତବହୁଳ ଟ୍ରାଫିକ ଛକ ଗୁଡିକ ଦେଇ ଏହି ଅଟୋରିକ୍ସା ସବୁ ଅତିକ୍ରମ କରୁଥିବାବେଳେ ସେମାନଙ୍କୁ ପ୍ରାୟ କେହି ଅଟକାଉ ନାହାନ୍ତି । ତେବେ କାଁ ଭାଁ କେତେକ ସ୍ଥାନରେ ପୁଲିସ୍‍ ସେମାନଙ୍କୁ ତାଗିଦା କରୁଥିବା ଲକ୍ଷ୍ୟ କରାଯାଇଛି ।

ଟ୍ୟାକ୍ସିରେ ରେଳଷ୍ଟେସନ, ବିମାନବନ୍ଦର ଓ ଅନ୍ୟ ସ୍ଥାନକୁ ବି ଖୁନ୍ଦାଖୁନ୍ଦି ହୋଇ ଯାତ୍ରୀ ଯାଉଛନ୍ତି । ଏମିତିକି ଘରୋଇ କାରଗୁଡିକ ପାଇଁ ଏହି କଟକଣା ପ୍ରଯୁଜ୍ୟ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ଏହାର ଖୋଲା ଉଲ୍ଲଙ୍ଘନ ହେଉଛି ।

ଗତବର୍ଷ କରୋନା ପର୍ଯ୍ୟାୟ ସଂକ୍ରମଣବେଳେ ଯାନ ବାହାନ ଚଳାଚଳ ପାଇଁ ଅନୁମତି ନିଆଯିବାବେଳେ ଅଟୋ, ଟ୍ୟାକ୍ସି ଓ ଅନ୍ୟ ଘରୋଇ କାର୍‍ ଗୁଡିକରେ ଏହି ଦୁଇ ଜଣିଆ ଯାତ୍ରୀ ପରିବହନ ନିୟମ କଡାକଡି ଭାବେ ପାଳନ କରାଯାଉଥିଲା । ଏମିତିକି ବିମାନ, ରେଳ ଓ ବସ୍‍ରେ ବି ଏକ ତୃତୀୟାଂଶ ଆସନ ଖାଲି ରଖାଯାଉଥିଲା । ଏବେ କିନ୍ତୁ ଏଭଳି କଟକଣା ନଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟିହେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।

ସେହିଭଳି ସରକାରୀ ଅଫିସ ଗୁଡିକରେ ରୋଷ୍ଟର ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ପୂର୍ବଥର ଭଳି ଏଥରର ମାର୍ଗଦର୍ଶିକାରେ କୁହାଯାଇଛି । କିନ୍ତୁ ଏଯାବତ୍‍ ରାଜଧାନୀର ଅନେକ ସରକାରୀ ଓ ଅର୍ଧ ସରକାରୀ ଦପ୍ତରରେ ଏହି ୫୦ ପ୍ରତିଶତ ରୋଷ୍ଟର କଟକଣା କାର୍ଯ୍ୟକାରୀ ହେଉନାହିଁ । କାର୍ଯ୍ୟାଳୟରେ ଭିଡ କମାଇବା ସହିତ କର୍ମଚାରୀମାନେ ସୁରକ୍ଷିତ ରହିବାଲାଗି ଅଧାଦିନ ଅଫିସ ଆସିବାକୁ ସରକାର ବ୍ୟବସ୍ଥା କରିଥିବାବେଳେ ବିଭିନ୍ନ ବିଭାଗ ଓ ଏହାର ଅଧସ୍ତନ ଦପ୍ତରଗୁଡିକ ଏଥିପ୍ରତି କଡା ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି ।

କେତେକ ଦପ୍ତରରେ ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ ଅଫିସରଙ୍କ ଘରେ ନିୟୋଜନ କରାଯାଇ କର୍ମଚାରୀ ସଂଖ୍ୟା ଅଫିସରେ କମ୍‍ ଥିବା ବାହାନାନେଇ ୫୦ ପ୍ରତିଶତ ରୋଷ୍ଟର ଡ୍ୟୁଟିକୁ କେତେକ ଅଧିକାରୀ ଖୋଲାଖୋଲି ଲଙ୍ଘନ କରୁଥିବା ଘେନି ନିର୍ଦ୍ଦିଷ୍ଟ ଅଭିଯୋଗମାନ ଆସିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here