Home News in Odia ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ

ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୪ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଦାୟିତ୍ୱ ମିଳିଥିବାବେଳେ ୧୯୯୨ ବ୍ୟାଚ୍‍ର ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ସେହିଭଳି ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ବଦଳି କରାଯାଇଛି । ଶ୍ରୀ ଷଡଙ୍ଗୀ ଓଡିଶା ପୁଲିସ୍‍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଶ୍ରୀ ପଣ୍ଡା ଏବେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳିବେ ।

୧୯୯୪ ବ୍ୟାଚ୍‍ ଆଇପିଏସ୍‍ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଶ୍ରୀ ଜେଠୱା ଏଡିଜି, ଆଇନ୍‍ ଶୃଙ୍ଖଳା ଦାୟିତ୍ୱରେ ଥିଲେ । ସେହିଭଳି ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ଆର.କେ.ଶର୍ମାଙ୍କୁ ଏଡିଜି, ଆଇନ୍‍ ଶୃଙ୍ଖଳା ଭାବେ ବଦଳି କରାଯାଇଛି । ଶ୍ରୀ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ ।

୧୯୯୬ ବ୍ୟାଚ୍‍ ଆଇପିଏସ୍‍ ଅରୁଣ କୁମାର ବୋଥ୍ରାଙ୍କୁ ରାଜ୍ୟ ପରିବହନ କମିଶନର ପଦବୀକୁ ବଦଳି କରାଯାଇଛି । ଶ୍ରୀ ବୋଥ୍ରା ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସହିତ କ୍ରୁଟ ଦାୟିତ୍ୱରେ ଥିଲେ । ୧୯୯୭ ବ୍ୟାଚ୍‍ ଆଇପିଏସ୍‍ ଅସିତ ପାଣିଗ୍ରାହୀଙ୍କୁ ଆଇଜି, ଭିଜିଲାନ୍ସ ପଦକୁ ବଦଳି କରାଯାଇଛି । ଶ୍ରୀ ପାଣିଗ୍ରାହୀ ଆଇଜି, ହୋମଗାର୍ଡ ଓ ଅଗ୍ନିଶମ ଦାୟିତ୍ୱ ତୁଲାଉଥିଲେ ।